ଇଞ୍ଜେକ୍ସନ ନେବା ପରେ ଜଣେ ମୃତ : ରାସ୍ତାରୋକ

ରତ୍ନଗିରି : ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଆଧାରରେ ଜଣେ ଔଷଧ ଦୋକାନୀ ବୃଦ୍ଧଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କର ମୃତ୍ୟୁହେବା ଭଳି ଏକ ଅଭାବନୀୟ ଶୁକ୍ରବାର ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ବ୍ଲକ ଅଟିରା ପଞ୍ଚାୟତର ମହମ୍ମଦପୁର ଗ୍ରାମର କୈଳାସ ମଲ୍ଲିକ(୬୦) ସକାଳେ ଡାକ୍ତରଙ୍କ ପ୍ରେସକ୍ରିପ୍ସନକୁ ନେଇ ସ୍ଥାନୀୟ ସନ୍ଥନ ଛକ ନିକଟରେ ଥିବା ଏକ ମେଡିସିନ ଷ୍ଟୋରକୁ ଇଞ୍ଜେକ୍ସନ ନେବାକୁ ଆସିଥିଲେ । ପରେ ଔଷଧ ଦୋକାନୀ ତାଙ୍କୁ ପ୍ରେସକ୍ରିପ୍ସନ ଆଧାରରେ ଇଞ୍ଜେକ୍ସନ ଦେଇଥିଲେ । ତେବେ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଦୀର୍ଘ ସମୟ ଧରି ଶ୍ରୀ ମଲ୍ଲିକ ଅସୁସ୍ଥ ଅବସ୍ଥାରେ ଔଷଧ ଦୋକାନ ବାରଣ୍ଡାରେ ପଡ଼ି ରହିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାକୁ ଦୀର୍ଘ ସମୟ ଧରି ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଏହି ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ବରୀ ଥାନାର ସେକେଣ୍ଡ ଅଫିସର ନାରାୟଣ ପ୍ରସାଦ ବେହେରା ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ ହଟାଇବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।