ରାୟଗଡ଼ା: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ କୁନି ଝିଅ । ପାଣିରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ନିଲୁ କାଡ୍ରାକା ଓ କାମି ତିଆକା । ସୂଚନା ଅନୁସାରେ, ଦୁଇ ନାବାଳିକା ଗାଧୋଇବା ପାଇଁ ଶାନ୍ତିନଗର ଅଞ୍ଚଳର ଏକ ପୋଖରୀକୁ ଯାଇଥିଲେ । ତେବେ ଗାଧୋଇବା ବେଳେ ହଠାତ୍ ଦୁହେଁ ପାଣିରେ ବୁଡ଼ିଯାଇଥିଲେ । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୋଖରୀରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।
ଉଦ୍ଧାର ପରେ ଗାଁଲୋକେ ଦୁଇ ଝିଅଙ୍କୁ ବଡ଼ନାୟକଗୁଡ଼ା ଗାଁକୁ ନେଇଯାଇଥିଲେ। ତେବେ ସେତେବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଦୁଇ ନାବାଳିକା ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଦୁଇ ନାବାଳିକାଙ୍କ ଅକାଳ ମୃତ୍ୟୁରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ଖବର ପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଦୁଇ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଓ ଘଟଣା ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଛି । ଏହି ଘଟଣା ପରେ ଶାନ୍ତିନଗର ଓ ବଡ଼ନାୟକଗୁଡ଼ା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










