40.1 C
Bhubaneswar
Thursday, April 25, 2024
Homeଖେଳଟୋକିଓ ପାରାଲିମ୍ପିକ୍ସ : ସେମିରେ ପ୍ରମୋଦ

ଟୋକିଓ ପାରାଲିମ୍ପିକ୍ସ : ସେମିରେ ପ୍ରମୋଦ

ଟୋକିଓ: ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ଇଭେଣ୍ଟ୍ ସ୍ଥାନ ପାଇଥିବା ବେଳେ ଏଥିରେ ଭାରତ ଏକାଧିକ ପଦକ ହାତେଇବା ଲକ୍ଷ୍ୟରେ ରହିଛି । ବିଶେଷକରି ବିଶ୍ୱର ଏକ ନମ୍ବର ପାରା ଶଟଲର୍ ପ୍ରମୋଦ ଭଗତଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ୱାର୍ଲ୍ଡ ଚାମ୍ପିଅନଶିପ୍‌ରେ ୫ଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଖେଳାଳି ଜଣକ ଚଳିତ ପାରାଲିମ୍ପିକ୍ସରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ବଳରେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ବୁଧବାର ଏସ୍‌ଏଲ୍‌୩ କାଟାଗୋରୀରେ ପ୍ରମୋଦ ତାଙ୍କର ପ୍ରଥମ ସିଙ୍ଗଲ୍ସ ମ୍ୟାଚ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ବେଶ୍ ସହଜରେ ପରାସ୍ତ କରିଥିବା ବେଳେ ଗ୍ରୁପ୍‌-ଏ’ର ଦ୍ୱିତୀୟ ଲିଗ୍ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇଛନ୍ତି । ଗୁରୁବାର ତାଙ୍କର ମୁକାବିଲା ୟୁକ୍ରେନ୍‌ର ଓଲେକଜାଣ୍ଡର୍ ଚିର୍କୋଭ୍‌ଙ୍କ ସହ ହୋଇଥିବା ବେଳେ ଏଥିରେ ପ୍ରମୋଦ ୨୧-୧୨, ୨୧-୯ରେ ବିଜୟୀ ହୋଇଛନ୍ତି ।

ଏହି ମ୍ୟାଚ୍‌ର ଫଳାଫଳ ନିଜ ସପକ୍ଷରେ କରିବା ସକାଶେ ପ୍ରମୋଦଙ୍କୁ ମାତ୍ର ୨୬ ମିନିଟ୍ ସମୟ ଲାଗିଥିଲା । ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନରେ ରହି ୩୩ ବର୍ଷୀୟ ପ୍ରମୋଦ ଶେଷ ୪ ଖେଳାଳି ସୂଚୀରେ ସାମିଲ୍ ହୋଇପାରିଛନ୍ତି । ମ୍ୟାଚ୍ ଜିତିବା ପରେ ନିଜ ପ୍ରତିକ୍ରିୟାରେ ପ୍ରମୋଦ କହିଛନ୍ତି ଯେ ଆଜି ବେଶ୍ ଭଲ ଫର୍ମରେ ଥିଲି ଓ ସେଥିପାଇଁ ପ୍ରଦର୍ଶନ ବି ବେଶ୍ ଉଚ୍ଚକୋଟିର ରହିଥିଲା । ଚିର୍କୋଭ୍ ଜଣେ ଭଲ ଖେଳାଳି ଓ ମ୍ୟାଚ୍‌ରେ ସେ କେତେଗୁଡ଼ିଏ ଚକିତ କରିବା ଭଳି ଷ୍ଟ୍ରୋକ୍ ଖେଳିଛନ୍ତି । କିନ୍ତୁ ତାଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚି ମୁଁ ବେଶ୍ ଖୁସି । ନକଆଉଟ୍ ପର୍ଯ୍ୟାୟରେ କ୍ରମଶଃ ସ୍ଥିତି ଅଧିକ କଷ୍ଟସାଧ୍ୟ ହେବ ।

କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ମ୍ୟାଚ୍ ଉପରେ ଫୋକସ୍ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରମୋଦ କହିଛନ୍ତି । ଏଥିସହ ମିକ୍ସଡ ଡବଲ୍ସରେ ପଲକ କୋହଲିଙ୍କ ସହ ପ୍ରଥମ ଗ୍ରୁପ୍ ମ୍ୟାଚ୍‌ରେ ପରାଜୟ ବରଣ କରିଥିବା ପ୍ରମୋଦ ଦ୍ୱିତୀୟ ମ୍ୟାଚ୍ ଉପରେ ମଧ୍ୟ ଫୋକସ୍ କରିବେ ବୋଲି କହିଛନ୍ତି । ଉକ୍ତ ମ୍ୟାଚ୍‌ରେ ଆଜି ଏସ୍‌ଏଲ୍‌୩-ଏସ୍‌ୟୁ୫ କାଟାଗୋରୀରେ ପ୍ରମୋଦ ଓ ପଲକଙ୍କ ମୁକାବିଲା ଥାଇଲାଣ୍ଡ୍ ଯୋଡ଼ି ସିରିପୋଙ୍ଗ୍ ଟିମାରୋମ୍‌-ନିପଦା ସାଏନ୍‌ସୁପାଙ୍କ ସହ ହେବ । ସେମିଫାଇନାଲ୍‌ରେ ପହଞ୍ଚି ପ୍ରମୋଦ ପଦକ ନିକଟତର ହୋଇଥିବା ବେଳେ ବିଶ୍ୱର ଏକ ନମ୍ବର ଖେଳାଳି ଭାବେ ତାଙ୍କ ଉପରେ ଅଧିକ ଚାପ ରହିଛି । କିନ୍ତୁ ଏହି ଚାପକୁ ମନୋବଳରେ ପରିବର୍ତ୍ତନ କରି ଅତି କମ୍‌ରେ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣପଦକ ହାସଲ କରିପାରିବେ ବୋଲି ପ୍ରମୋଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking