27.8 C
Bhubaneswar
Friday, April 19, 2024
Homeଖେଳସମ୍ମାନ ରଖିଲେ ଶାର୍ଦ୍ଦୁଲ୍ : ଭାରତ ୧୯୧

ସମ୍ମାନ ରଖିଲେ ଶାର୍ଦ୍ଦୁଲ୍ : ଭାରତ ୧୯୧

ଓଭାଲ:  ଚଳିତ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ଟେଷ୍ଟ୍ ଗୁରୁବାରଠାରୁ ଆରମ୍ଭ ହୋଇଛି । ତେବେ ସିରିଜ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିବା ବେଳେ ପ୍ରଥମ ଦିନରେ ଭାରତ ତା’ର ବ୍ୟାଟିଂ ଦୁର୍ବଳତାରେ ବିଶେଷ କିଛି ସୁଧାର ଆଣିପାରିନାହିଁ । କାରଣ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ କରିବା ପରେ ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହେବାରୁ ଦଳ ୧୯୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି । ପୁଣିଥରେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଫେଲ୍ ମାରିଥିବା ବେଳେ ଈଶାନ୍ତ ଶର୍ମାଙ୍କ ସ୍ଥାନରେ ଦଳକୁ ଫେରିଥିବା ଶାର୍ଦ୍ଦୁଲ୍ ଠାକୁର ୫୭ ରନ୍ କରି ଦଳର ସମ୍ମାନ ରଖିଛନ୍ତି । ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ ମଧ୍ୟ ଏହାପରେ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରି ନ ଥିଲେ । ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୧୭ ଓଭର୍‌ରେ ୩ଟି ୱିକେଟ୍ ହରାଇ ୫୩ ରନ୍ କରିଥିବା ବେଳେ ଡେୱିଡ୍ ମାଲାନ୍ ୪ଟି ଚୌକା ସହ ୨୬ ଓ ନାଇଟ୍ ୱାଚ୍‌ମ୍ୟାନ୍ ଭାବେ ଆସିଥିବା କ୍ରେଗ୍ ଓଭର୍ଟନ୍ ୧ ରନ୍ କରି ଅପରାଜିତ ଅଛନ୍ତି ।

ଭାରତ ଲିଡ୍ସରେ ବରଣ କରିଥିବା ପରାଜୟ ପରେ ଦଳରେ ଦୁଇଟି ପରିବର୍ତ୍ତନ କରି ଶାର୍ଦ୍ଦୁଲ୍‌ଙ୍କ ସହ ଉମେଶ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଥିଲା । ତେବେ ଏଠାକାର ପିଚ୍ ସ୍ପିନର୍‌କୁ ସୁହାଇବ ବୋଲି ଆଶା କରାଯାଉଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଚୂଡ଼ାନ୍ତ ଏକାଦଶରେ ଉପରୋକ୍ତ ଦୁଇ ବୋଲର୍‌ଙ୍କୁ ଛାଡ଼ିଲେ ଆଉ କେହି ବି ବଦଳି ନ ଥିଲେ । ଦୁଇ ଓପନର ଲେ।।କେଶ ରାହୁଲ୍ ଓ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ ହେଁ ୨୮ ରନ୍‌ରେ ରୋହିତ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ବିଦାୟ ନେଇଥିଲେ । ସେ ୨୭ଟି ବଲ୍ ଖେଳି ଗୋଟିଏ ଚୌକା ସହ ମାତ୍ର ୧୧ ରନ୍ କରିଥିଲେ । ପରେ ରାହୁଲ୍ ୩ଟି ଚୌକା ସହ ୧୭ ରନ୍ ଓ ପୂଜାରା ୪ ରନ୍ କରି ଆଉଟ୍ ହୋଇଥିଲେ ।

ଅଧିନାୟକ କୋହଲିଙ୍କ ସହ ବ୍ୟାଟିଂ କ୍ରମରେ ଉନ୍ନତି ପାଇଥିବା ରବୀନ୍ଦ୍ର ଜାଡେଜା ୩୦ ରନ୍ ଯୋଡ଼ିବା ପରେ ବ୍ୟକ୍ତିଗତ ଭାବେ ୧୦ ରନ୍ କରି ବିଦାୟ ନେଇଥିଲେ । ତାଙ୍କ ସ୍ଥାନରେ ଉପଅଧିନାୟକ ରାହାଣେ ପିଚ୍‌କୁ ଆସିଥିବା ବେଳେ ସେ କୋହଲିଙ୍କ ସହ ୩୬ ରନ୍ ଯୋଡ଼ିଥିଲେ । ଇତିମଧ୍ୟରେ କୋହଲି ଚଳିତ ସିରିଜ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ୮ଟି ଚୌକା ସହ ୫୦ ରନ୍ କରିଥିବା ବେଳେ ସେ ଓଲି ରବିନସନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ପରେ ପରେ ରାହାଣେ ମାତ୍ର ୧୪ ରନ୍‌ରେ ବିଦାୟ ନେଇ ତାଙ୍କର ଦୁର୍ବଳ ପ୍ରଦର୍ଶନ ଜାରି ରଖିଥିଲେ ।

ଋଷଭ ପନ୍ତ୍ ମଧ୍ୟ ବେଶୀ ସମୟ ତିଷ୍ଠିପାରି ନ ଥିଲେ ଓ ମାତ୍ର ୯ ରନ୍‌ର ଅବଦାନ ଦେଇଥିଲେ । କିନ୍ତୁ ଶାର୍ଦ୍ଦୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୩୬ଟି ବଲରେ ୭ଟି ଚୌକା ଓ ୩ଟି ଛକା ସହ ୫୭ ରନ୍ କରି ଦଳୀୟ ସ୍କୋର୍‌କୁ ୧୯୦ରେ ପହଞ୍ଚାଇଥିଲେ । ସେ ଅନ୍ୟତମ ବୋଲର୍ ଉମେଶ ଯାଦବଙ୍କ ସହ ଅଷ୍ଟମ ୱିକେଟ୍‌ରେ ୬୩ ରନ୍ ଯୋଡ଼ିଥିଲେ । ଏଥିରେ ଉମେଶଙ୍କ ଅବଦାନ ମାତ୍ର ୧୦ ରନ୍‌ର ଥିଲା । ଶେଷରେ ଦଳ ୬୧.୩ ଓଭର୍‌ରେ ୧୯୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସର୍ କ୍ରିସ୍ ଓକ୍ସ ସର୍ବାଧିକ ୪ଟି, ରବିନ୍‌ସନ୍ ୩ଟି ଏବଂ ଜେମ୍ସ ଆଣ୍ଡର୍‌ସନ୍ ଓ କ୍ରେଗ୍ ଓଭର୍ଟନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking