ପୁରୀ : ରାଷ୍ଟ୍ରପତି ଭବନକୁ ଯିବ ଶ୍ରୀଜିଉଙ୍କ ରଥଯାତ୍ରାର ୩ ରଥର ଗୋଟାଏ ଲେଖାଏଁ ଚକ । ଏହି ଚକଗୁଡ଼ିକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଡ. ପାଢ଼ୀ ସାକ୍ଷାତ କରିଥିଲେ । ଏହି ସମୟରେ ଶ୍ରୀଜିଉଙ୍କ ବ୍ୟବହୃତ ରଥ ଚକ ରାଷ୍ଟ୍ରପତିଙ୍କ ଭବନକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଭବନରେ ଘୋଷଯାତ୍ରାରେ ବ୍ୟବହୃତ ୩ ରଥର ୩ଟି ଚକକୁ ସ୍ଥାପନ କରିବା ପାଇଁ ଏଠାରେ ଶ୍ରୀମତି ମୁର୍ମୁ ସହମତି ପ୍ରଦାନ କରିଥିଲେ । ଏହା ଅତି ଆନନ୍ଦର ଓ ଗୌରବର ବିଷୟ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ପ୍ରତିବର୍ଷ ରଥଯାତ୍ରା ସରିବା ପରେ ରଥକୁ ଭଙ୍ଗା ଯାଏ। ୨ ରଥର ଚକ, ଅଂଶୁଆରୀ, ପ୍ରଭା, ଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରି ଏଥିରୁ ରାଜସ୍ୱ ପାଇଥାଏ । ଯେତେବେଳେ କି ବାକି ରଥକାଠକୁ ଜାଳେଣି ଭାବେ ଶ୍ରୀମନ୍ଦିର କୋଠଭୋଗ ପ୍ରସ୍ତୁତିରେ ବ୍ୟବହୃତ କରାଯାଇଥାଏ । ପ୍ରତିବର୍ଷ ବିଭିନ୍ନ ଜଙ୍ଗଲରୁ କାଠ ଆଣି ରଥଯାତ୍ରା ନିମନ୍ତେ ନୂଆ ୩ଟି ରଥ ନିର୍ମାଣ କରାଯାଏ । ପରେ ଏହାକୁ ପୂର୍ବ ଭଳି ନିଲାମ ଓ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ କରାଯାଇଥାଏ।










