24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶପାକିସ୍ତାନରେ ସେନା ଶାସନ ଆଶଙ୍କା; ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ

ପାକିସ୍ତାନରେ ସେନା ଶାସନ ଆଶଙ୍କା; ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ

ଇସଲାମାବାଦ:  ପାକିସ୍ତାନ ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇସାରିଛି । ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସିଥିବା ସୂଚନାନୁସାରେ ପାକିସ୍ତାନ ନ୍ୟାସନଲା ଆସେମ୍ବଲିର ମୋଟ୍ ୩୬୬ ଆସନ ମଧ୍ୟରୁ ୨୬୫ ଆସନ ପାଇଁ କରାଯାଇଥିବା ଭୋଟିଂ ପ୍ରକ୍ରିୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍‌ଙ୍କ ଦଳ ମୁସଲିମ୍ ଲିଗ୍‌-ନୱାଜ୍ (ପିଏମ୍‌ଏଲ୍‌ଏନ୍‌)କୁ ୭୧ଟି ଆସନ ମିଳିଛି । ସେହପରି ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୧ଟି ଆସନ ହାତେଇବାରେ ସଫଳ ହୋଇଛି । ତେବେ ପାକିସ୍ତାନ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଇମ୍ରାନ୍ ଖାନ୍‌ଙ୍କ ସମର୍ôଥତ ପ୍ରାର୍ଥୀ ସର୍ବାଧିକ ୯୧ ଆସନରେ ବିଜୟୀ ହୋଇଛନ୍ତି । ସେହିପରି ବାକି ୪୭ ଆସନ ମଧ୍ୟରୁ ୧୪/୧୫ଟି ଆସନରେ ଫଳାଫଳ ସ୍ପଷ୍ଟ ହୋଇପାରିନଥିବା ବେଳେ ବାକି ୩୨/୩୩ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଏବଂ କିଛି ଛୋଟ ରାଜନୈତିକ ଦଳ ଖାତାକୁ ଯାଇଛି । ଅନ୍ୟପକ୍ଷେ ପାକିସ୍ତାନର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରକାର ଗଠନ କରିବା ପାଇଁ ଯେକୌଣସି ଦଳକୁ ମ୍ୟାଜିକ୍ ନମ୍ବର ୧୩୩ ଆସନର ଆବଶ୍ୟକତା ରହିଛି । କିନ୍ତୁ ନିର୍ବାଚନ ଫଳାଫଳ ଅନୁସାରେ ଦେଶର ୩ ବଡ ରାଜନୈତିକ ଦଳର ନେତା ନୱାଜ୍ ଶରିଫ୍‌, ଇମ୍ରାନ୍ ଖାନ୍ ଏବଂ ବିଲାୱାଲ୍ ଭୁଟ୍ଟୋଙ୍କ ପକ୍ଷେ ୧୩୩ ଆସନ ହାସଲ ସମ୍ଭବ ହୋଇପାରିନାହିଁ । ଫଳରେ ଆଗାମୀ ଦିନରେ ପାକିସ୍ତାନରେ ଏକ ଝୁଲା ସରକାର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।ଇତିମଧ୍ୟରେ ପିଏମ୍‌ଏଲ୍‌ଏନ୍ ମୁଖ୍ୟ ନୱାଜ ଶରିଫ୍ ନିଜ ଦଳର ବିଜୟ ଘୋଷଣା ନିଜେ ନିଜେ କରିଛନ୍ତି । ସେ ଦାବି କରିଛନ୍ତି ଯେ, ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।  ଶରିଫ୍ କହିଛନ୍ତି ଯେ, ଆଗାମୀ ସମୟରେ ତାଙ୍କ ଦଳ ଅନ୍ୟ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବ ଏବଂ ଖୁବଶୀଘ୍ର ପାକିସ୍ତାନରେ ପିଏମ୍‌ଏଲ୍‌ଏନ୍ ନେତୃତ୍ୱାଧୀନ ଏକ ମେଣ୍ଟ ସରକାର ଗଠନ ହେବ । ଏଥିପାଇଁ ସବୁ ରାଜନୈତିକ ଦଳଙ୍କୁ ସେ ମେଣ୍ଟ ପାଇଁ ଆହ୍ୱାନ ମଧ୍ୟ କରିଛନ୍ତି । ଅନ୍ୟପକ୍ଷେ ଅନେକ ମାମଲା ତଥା ଦୁର୍ନୀତି ଭଳି ପ୍ରସଙ୍ଗରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ପ୍ରତି ପାକିସ୍ତାନ ଜେଲ୍‌ରେ କଏଦୀ ଜୀବନ ଅତିବାହିତ କରୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍ ଏ ଇନସାଫ୍ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନ୍‌ଙ୍କ ସମର୍ଥିତ ସଦସ୍ୟମାନେ ଯେଉଁମାନେ କି ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେମାନେ ଏବେ ନୱାଜ୍‌ଙ୍କ ଦାବିକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ସେମାନେ ଦାବି କରିଛନ୍ତି । ପ୍ରକାଶ, ଇମ୍ରାନ୍‌ଙ୍କ ଦଳ ପିଟିଆଇ ଉପରେ ପାକିସ୍ତାନ ନିର୍ବାଚନ ଆୟୋଗ ନିଷେଧାଦେଶ ଲାଗୁ କରିଥିବାରୁ ପିଟିଆଇ ଏଥର ସାଧାରଣ ନିର୍ବାଚନରେ ସିଧାସଳଖ ଭାଗ ନେଇନାହିଁ । ପିଟିଆଇର ସମସ୍ତ ସଦସ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି । ଏସବୁ ମଧ୍ୟରେ ଇମ୍ରାନ୍ ଖାନ୍‌ଙ୍କୁ ସେନା ଉପରେ ଆକ୍ରମଣ କରାଇଥିବା ମାମଲାରେ ଜାମିନ୍ ମିଳିଥିବା ଜଣାପଡିଛି । ତେବେ ସେ ଏବେ ଜେଲ୍ ବାହାରକୁ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ନିର୍ବାଚନ ଆୟାଗଙ୍କ ଫଳାଫଳ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ନୱାଜ୍ ଶରିଫ୍ ଏବଂ ଇମ୍ରାନ୍ ଗୋଷ୍ଠୀଙ୍କ ମଧ୍ୟରେ ଯେଉଁଠି ସତ୍ତାକୁ ନେଇ ଏବେ ଟଣାଭିଡା ଚାଲିଛି ସେଠାରେ ଦେଶରେ ପୁଣିଥରେ ସେନା ଶାସନ ଲାଗୁ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇଆମେରିକା, ବ୍ରିଟେନ୍ ଏବଂୟୁରୋପୀୟ ୟୁନିଅନ୍ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଳରେ ତଦନ୍ତ ଦାବି କରିଛନ୍ତି ।  ସେହିପରି ଅନ୍ୟ ଏକ ପାକ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୱାଜ୍ ଶରିଫ୍ ଏବଂ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ମଧ୍ୟରେ ମେଣ୍ଟ ଗଠନ ପ୍ରକ୍ରିୟା ବିଫଳ ହୋଇଯାଇଛି । ବିଲାୱାଲ୍‌, ଶରିଫ୍‌ଙ୍କ ଦଳ ସହ ମେଣ୍ଟ କରିବାକୁ ମନା କରିଦେଇଛନ୍ତି । ଫଳରେ ଆଜି ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକାର ପ୍ରକ୍ରିୟାକୁ ମଧ୍ୟ ରଦ୍ଦ କରିଦିଆଯାଇଛି । କିନ୍ତୁ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାୟ ୩୪ ନିର୍ଦ୍ଦଳୀୟ ପ୍ରାର୍ଥୀ ଏବେ ନୱାଜ୍‌ଙ୍କ ସଂସ୍ପର୍ଶରେ ଅଛନ୍ତି । ତେବେ ବ୍ୟକ୍ତିଗତ ଭାବେ ନୱାଜ ଶରିଫ୍ ଏଥର ପରାଜିତ ହୋଇଥିବାରୁ ତାଙ୍କ ଭାଇ ଶାହାଜାଦ୍ ଶରିଫ୍‌ଙ୍କୁ ପିଏମ୍‌ଏଲ୍‌ଏନ୍ ପୁନର୍ବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking