ଭୁବନେଶ୍ୱର: ଖଣ୍ଡଗିରିରେ ଏବେ ସନ୍ଧ୍ୟାହେଲେ ପ୍ରବଳ ଭିଡ଼ ଜମୁଥିବା ବେଳେ ଗାଡ଼ି ପାର୍କିଂକୁ ନେଇ ସମସ୍ୟା ଦେଖାଦେଇଛି । ଗାଡ଼ି ରଖିବାକୁ ପାର୍କିଂ ପ୍ଲେସ ଅଣ୍ଟୁନି। ପାର୍କିଂ ଫି ବି ଅଧିକ । ଲୋକ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ରଖୁଥିବା ବେଳେ ବିଏମ୍ସି ଉଠାଇ ନେଉଛି। ଏହାକୁ ନେଇ ଲୋକ ତାତିଛନ୍ତି । ଖଣ୍ଡିଗିରିରେ ଗାଡ଼ି ପାର୍କିଂ ନେଇ ଜନତା ଓ ବିଏମସି ଅଧିକାରୀଙ୍କ ମଧ୍ୟରେ ବଚସା ହୋଇଛି। ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୩ଟି ମୁଖ୍ୟ ପାର୍କିଂ ଓ ରାସ୍ତାକଡ଼ରେ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ତଥାପି ଜାଗା କମ୍ ପଡୁଥିବାରୁ ଲୋକ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ରଖିୁଛନ୍ତି। ବାହାରେ ଗାଡ଼ି ରଖିଲେ ବିଏମ୍ସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଉଠାଇ ନେଉଛି, ଆଉ ୮ ଶହ ଟଙ୍କାର ଚାଲାଣ କାଟୁଛି। ଏହାକୁ ନେଇ ବିଏମ୍ସି ଅଧିକାରୀ ଓ ଲୋକ ମୁହାଁମୁହିଁ ହୋଇଛନ୍ତି । ସେହିପରି ପାର୍କିଂ ପାଇଁ ଚଢ଼ା ମୂଲ୍ୟ ଧାର୍ୟ୍ୟ କରାଯାଇଥିବାରୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଟୋ ପାର୍କିଂ ପାଇଁ ୧୦୦ ଟଙ୍କା ଓ ବାଇକ୍ ପାର୍କିଂ ୫୦ ଟଙ୍କା ନିଆଯାଉଛି ।ଯାହାକି ବହୁତ ଅଧିକ । ଖଣ୍ଡଗିରି ମେଳାରେ ପାର୍କିଂ ଦାୟିତ୍ୱ ଥାର୍ଡ ପାର୍ଟିକୁ ବିଏମ୍ସି ଦେଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ପାର୍କିଂରେ ଗାଡ଼ି ଜଗିବା ପାଇଁ କେହି ନାହାନ୍ତି।