29.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଚୂଡାନ୍ତ ପର୍ଯ୍ୟାୟରେ ଟନେଲ୍‌ରୁ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା; ଲକ୍ଷ୍ୟଠାରୁ ଦୂରତା ଆଉ ମାତ୍ର ୧୨ ମିଟର

ଚୂଡାନ୍ତ ପର୍ଯ୍ୟାୟରେ ଟନେଲ୍‌ରୁ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା; ଲକ୍ଷ୍ୟଠାରୁ ଦୂରତା ଆଉ ମାତ୍ର ୧୨ ମିଟର

ଡେରାଡୁନ: ଆଜକୁ ବାର ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ଟନେଲ୍ ମଧ୍ୟରେ ଫସିରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଆଶା ଅତ୍ୟନ୍ତ ଉଜ୍ଜ୍ୱଳ ହୋଇଉଠିଛି । ବର୍ତ୍ତମାନ ଟନେଲ୍‌ରେ ଜମା ହୋଇଥିବା ଅତଡା ଏବଂ ଫସିଥିବା ଶ୍ରମିକଙ୍କ ମଧ୍ୟରେ କେବଳ ୧୨ ମିଟର ଦୂରତ୍ୱ ରହିଛି । ଅତଡା ପରିଷ୍କାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି ପରିପ୍ରେକ୍ଷୀରେ ବୁଧବାର ବିଳମ୍ବିତ ରାତି କିମ୍ବା ଗୁରୁୁବାର ସକାଳ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି । ବୁଧବାର ମଧ୍ୟାହ୍ନ ୧୨.୪୫ରେ ଆମେରିକାରୁ ଅଣାଯାଇଥିବା ଆର୍ଥ ଡ୍ରିଲିଂ ମେସିନ୍ (ଅଗୁର) ଜରିଆରେ ପୁଣି ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଅପରାହ୍ନ ୫ଟା ସୁଦ୍ଧା ମେସିନ୍ ଆଉ ୧୮ ମିଟର ଦୂରତା ପର୍ଯ୍ୟନ୍ତ ଖୋଳିପାରିଛି ବୋଲି ଉତ୍ତରାଖଣ୍ଡ ସଡକ ଓ ପରିବହନ ବିଭାଗର ବରିଷ୍ଠ ପଦାଧିକାରୀ ମେହମୁଦ ଅହମ୍ମଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଟନେଲ ପ୍ରବେଶପଥରୁ ୫୭ ମିଟର ଦୂରରେ ଶ୍ରମିକମାନେ ଫସିଥିବା ଅନୁମାନ କରାଯାଇଥିଲା । ଅଗୁର ମେସିନ୍ ଏପର୍ଯ୍ୟନ୍ତ ମୋଟ ୪୫ ମିଟର ଖୋଳିସାରିଥିବାବେଳେ ଆଉ ୧୨ ମିଟର ଖୋଳାକାର୍ଯ୍ୟ ବାକି ରହିଛି । ଖନନ କାର୍ଯ୍ୟ ଚାଲିଥିବାବେଳେ ଟନେଲ ମଧ୍ୟକୁ ଏକ ୮୦୦ ମିଲିମିଟର ଓସାରିଆ ଲୁହା ପାଇପ୍ ମଧ୍ୟ ସମାନ୍ତରାଳ ଭାବେ ଭର୍ତ୍ତି କରାଯାଉଛି । ସେହିବାଟରେ ଶ୍ରମିକଙ୍କୁ ଉଦ୍ଧାର ଯୋଜନା ରହିଛି । ମଙ୍ଗଳବାର ରାତିରୁ ଖୋଳାଖୋଳି କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୩୯ ମିଟର ଲମ୍ବର ପାଇପ୍ ଟନେଲ ମଧ୍ୟରେ ପ୍ରବେଶ କରାଯାଇଛି ।

ଯଦି ଅବଶିଷ୍ଟ ଖନନ କାର୍ଯ୍ୟରେ ବାଧା ସୃଷ୍ଟି ନହୁଏ, ତେବେ ବୁଧବାର ବିଳମ୍ବିତ ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଉଛି । ଖନନ ଚାଲିଥିବାବେଳେ ଅତଡା ମଧ୍ୟରେ ବଡ ଲୁହାରଡ୍ ଠାବ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଲୁହାରଡ୍ କୌଣସି ସମସ୍ୟା ସୃଷ୍ଟି କରିପାରିନାହିଁ । ଅବଶ୍ୟ ଚୂଡାନ୍ତ ପର୍ଯ୍ୟାୟ ଖନନ କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କୁହାଯାଇଛି । ଯଦି ଅନ୍ତିମ ଲଗ୍ନରେ ଅତଡା ଖସେ କିମ୍ବା ଡ୍ରିଲିଂ ମେସିନ୍ ଅକାମୀ ହୋଇପଡେ, ତେବେ ଏହି ପ୍ରକ୍ରିୟା ଅଧୁରା ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଗତ ଶୁକ୍ରବାର ଏହି ମେସିନ୍ ଖନନ କାର୍ଯ୍ୟ ଚଳାଇଥିବାବେଳେ ଏକ ବୋଲଡର ସହ ଧକ୍କା ହେବାରୁ ଅକାମୀ ହୋଇପଡିଥିଲା ଯାହାଫଳରେ ଉଦ୍ଧାର କାର୍ଯ୍ୟକୁ ତିନିଦିନ ସ୍ଥଗିତ ରଖିବାକୁ ପଡିଥିଲା । ଯଦି ପ୍ରବେଶ ପଥ ଜରିଆରେ ଖନନ କାର୍ଯ୍ୟ ବିଫଳ ହୁଏ, ତେବେ ଟନେଲ ଉପରିଭାଗରୁ ଗର୍ତ୍ତ ଖନନ କରାଯାଇ ଭୂଲମ୍ବ (ଭର୍ଟିକାଲ) ଭାବେ ଶ୍ରମିକଙ୍କୁ ଉଦ୍ଧାର କରାଯିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ପୂର୍ବରୁ ଟନେଲ ମଧ୍ୟକୁ ଏକ ୬ ଇଞ୍ଚ୍ ଓସାର ବିଶିଷ୍ଟ ପାଇପ୍ ପ୍ରବେଶ କରାଯାଇ ସେହିବାଟେ ଶ୍ରମିକଙ୍କୁ ଗରମ ଖେଚୁଡି, ଭିଟାମିନ ଓ ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ପଠାଯାଇଛି । ଏପରିକି ମଙ୍ଗଳବାର ଏଣ୍ଡୋସ୍କୋପିକ୍ କ୍ୟାମେରା ଜରିଆରେ ଫସିଥିବା ଶ୍ରମିକଙ୍କ ମୁହଁ ମଧ୍ୟ ଦେଖାଯାଇଛି । ଶ୍ରମିକଙ୍କ ମୁହଁ ଦେଖାଯିବାପରେ ଉଦ୍ଧାରକାରୀ ଦଳ ଏବଂ ଘଟଣାସ୍ଥଳରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗ ଆଶ୍ୱସ୍ତ ହୋଇପଡିଛନ୍ତି ।

ମଙ୍ଗଳବାର ରାତିରେ ଶ୍ରମିକଙ୍କୁ ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ଭେଜ୍ ପଲାଉ, ବଟର ଚପାଟି ଓ ମଟର ପନିର ତରକାରୀ ଯୋଗାଇ ଦିଆଯାଇଛି । ପ୍ରଥମେ ବୋତଲରେ ଭର୍ତ୍ତି କରାଯାଇଥିବା ଖେଚୁଡି ଓ ଡାଲିଆ ସେମାନଙ୍କ ନିକଟକୁ ପଠାଯାଇଥିବା କୁହାଯାଇଥିଲା । ତେବେ ଅଣଓସାରିଆ ପାଇପ୍‌ରେ ପଠାଯିବା ସମ୍ଭବ ହୋଇପାରିନଥିଲା ବୋଲି ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ କର୍ପୋରେସନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ପାଇପ୍‌କୁ ପରିଷ୍କାର କରାଯିବାପରେ ଭେଜ୍ ପଲାଉ, ବଟର ଚପାଟି ଓ ମଟର ପନିର ସମେତ କମଳା ଓ କଦଳୀ ମଧ୍ୟ ପଠାଯାଇଛି । ଦୀର୍ଘଦିନ ଟନେଲରେ ଖସିଥିବାରୁ ଶ୍ରମିକମାନେ ମାନସିକ ଓ ଶାରିରୀକଭାବେ ଅବସାଦଗ୍ରସ୍ତ ହୋଇପଡିଛନ୍ତି ।

ଏହି ପରିପ୍ରେକ୍ଷୀରେ ଟନେଲ ମଧ୍ୟରେ ଚଳପ୍ରଚଳ, ଯୋଗାଭ୍ୟାସ କରିବା ସହ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଟନେଲ ମଧ୍ୟରେ ୨ କିମି ଦୂରତ୍ୱ ପର୍ଯ୍ୟନ୍ତ ଚଳପ୍ରଚଳ ହେବାର ସୁଯୋଗ ରହିଛି । ଦୀର୍ଘ ୧୨ ଦିନ ହେଲା ଶ୍ରମିକମାନେ ରାତିରେ ନିଦ୍ରା ଯାଇଥିବା ଶୁଭ ସଙ୍କେତ ବୋଲି କୁହାଯାଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିସ୍କ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତଦାରଖ କରୁଛନ୍ତି । ଟନେଲରୁ ଉଦ୍ଧାର ହେବାପରେ ସମସ୍ତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ଉତ୍ତରକାଶୀ ଜିଲ୍ଲାର ଚିନ୍‌ୟାଲିସୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୧ଟି ଶଯ୍ୟାକୁ ପ୍ରସ୍ତୁତ ରଖାଯାଇଛି । ଉତ୍ତରକାଶୀ ଦୁର୍ଘଟଣା ପରେ ଦେଶରେ ନିର୍ମାଣାଧୀନ ଅବସ୍ଥାରେ ଥିବା ୨୯ଟି ଟନେଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦାୟିତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking