ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯନ୍ତାଗାଡ଼ ମଧ୍ୟ ଚଳଚଞ୍ଚଳ । ଆଜି ରଥ ନିର୍ମାଣର ଦ୍ୱାଦଶ ଦିବସରେ ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ରଥଖଳା ଯନ୍ତାଗାଡ଼ ଠାରେ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା ଭୋଇ ସର୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ତଥା ତିନିରଥ ଭୋଇ ସେବକଙ୍କ ସହଯୋଗରେ ସମ୍ପନ୍ନ ହୋଇଯାଇଛି, ଏଥିସହ ତିନିରଥର ତିନି ଗୋଟି ଲେଖାଁଏ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ତିନିରଥ ଭୋଇ ସେବକ ମାନେ ସମ୍ପନ୍ନ କରିଛନ୍ତି ।
ଏଥିସହ ଆଜି ତିନିରଥର ମହାରଣା ମାନେ ତିନିରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଥିଲେ । ତାଳଧ୍ୱଜ ରଥର ୧୬ ଗୋଟି, ଦେବଦଳନ ରଥର ୧୨ ଗୋଟି ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ଗୁଜ ଚଉପଟ ଶେଷ ହୋଇଯାଇଛି । ତିନିରଥର ପର୍ଶ୍ୱଦେବତାଙ୍କ ପାଇଁ ୯/୯ ଗୋଟି ଆସ୍ଥାନ ପ୍ରେମ ବା ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଅଛି । ଏଥି ସହ ଆଜି ତିନିରଥର ମହାରଣା ମାନେ ତିନିରଥର ଦୁଇଟି ଲେଖାଁଏ ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ କାର୍ଯ୍ୟ ସହ ୪/୪ ଗୋଟି କିଳା ନିର୍ମାଣ ଶେଷ କରିଥିଲେ । ତେବେ ଏହି ଯନ୍ତା ପଟା ସାହାର୍ଯ୍ୟରେ ଚକ ନିର୍ମାଣ ପାଇଁ ଅରରେ ପଇ ପିନ୍ଧା କାର୍ଯ୍ୟ ହୋଇଥାଏ । ତିନିରଥର ମହାରଣା ମାନେ ୫/୫ ଟି ଚକ ପାଇଁ ଆବଶ୍ୟାକ ଅର ଗୁଡିକର ମୁଖ ସାଲ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ।
ତିନିରଥର ରୂପକାର ସେବକ ମାନେ ତାଳଧ୍ୱଜ ରଥର ୨ ଗୁଜ, ନନ୍ଦିଘୋଷ ରଥର ୨ ଗୋଟି ଗୁଜ ଏବଂ ଦେବଦଳନ ରଥର ୩ ଗୋଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି । ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ୪୨ ଗୋଟି ତୁମ୍ବ ପାଇଁ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରୀ ରଖିଛନ୍ତି । ତେବେ ଆସନ୍ତା ୧୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ଏହି ଦିନ ୬ ଟି ଚକ ସହ ତିନୋଟି ଅଖ ଡ଼େରାଯିବାର ପରମ୍ପରା ରହିଛି । ଏବଂ ଏହା ପରେ ଅବଶିଷ୍ଟ ୩୬ ଟି ଚକ ନିର୍ମାଣ କାର୍ଯ୍ୟ ଯୋରସୋରରେ ଆରମ୍ଭ ହେବ ବୋଲି କହିଥିଲେ ରଥ ନିର୍ମାଣକାରୀ ।