29.1 C
Bhubaneswar
Friday, May 17, 2024
Homeଓଡିଶାସମୁଦ୍ରରେ ଲାଗିଲା ରେଡ ଫ୍ଲାଗ

ସମୁଦ୍ରରେ ଲାଗିଲା ରେଡ ଫ୍ଲାଗ

ପୁରୀ : ସମୁଦ୍ର ସ୍ନାନ ଏବେ ପର୍ଯ୍ୟଟକଙ୍କ ପାଇଁ କାଳ ସାଜିଥିବା ବେଳେ ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି ପର୍ଯ୍ୟଟକ । ଗୋଟିଏ ପଟେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀରେ ପରିଣତ କରିବାକୁ ସରକାର ଦିନରାତି ଏକ କରିଦେଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ସେବାୟତ, ପର୍ଯ୍ୟଟକ ମାନେ ପ୍ରଶାସନକୁ ଦାୟୀ କରିଥିବା ବେଳେ କିଛି ଅମାନିଆଙ୍କ ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଲାଇଫଗାର୍ଡ ମାନେ କହିଛନ୍ତି ।

ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣରେ ଲାଇଫଗାର୍ଡ ନଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱୀକାର କରିଥିବା ବେଳେ ଆଗକୁ ଏ ଦିଗରେ ଧ୍ୟାନ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ । ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ହେବା ଆଶଙ୍କାରେ ଲଗାଯାଇଛି ରେଡ ଫ୍ଲାଗ । ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟା ସମେତ ଏହାର ୨ ଦିନ ପୂର୍ବ ଓ ୨ ଦିନ ପରେ ସମୁଦ୍ରରେ ଅଧିକ ଜୁଆର ମାଡ଼ି ଆସିଥାଏ । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏ ସଂକ୍ରାନ୍ତରେ ଅବଗତ ରହୁ ନ ଥିବାରୁ ବାରମ୍ବାର ଅଘଟଣ ଘଟୁଛି । ତେଣୁ ତାଙ୍କୁ ସଚେତନ କରିବା ସହ ଅଘଟଣକୁ ରୋକିବାକୁ ପ୍ରଶାସନ ତରଫରୁ ରେଡ ଫ୍ଲାଗ ଲଗାଯାଇଥିବା ଜଣାଯାଇଛି ।

ତେବେ ଲଗାତାର ଦୁଇଦିନ ଅର୍ଥାତ ୩ ତାରିଖ ଓ ୪ ତାରିଖରେ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡି ଯାଇ ୪ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି । ସେପଟେ ଏଭଳି ଅଘଟଣ ଘଟିବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଆଜି ପୁରୀ ସମୁଦ୍ରରେ ଲାଗିଛି ନାଲି ପତାକା ଓ ଘନଘନ ପଇଁତରା ମାରୁଛି ଜେଟସ୍କି । ଗତ ବୁଧବାର ଓ ଗୁରୁବାର ସମୁଦ୍ରରେ ଚାରୋଟି ଜୀବନ ଚାଲିଗଲା ପରେ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଲଗାଯାଇଛି ନାଲି ପତାକା । ପୁରୀ ବେଳାଭୂମିର ୧୨, ୧୩ ଓ ୧୪ ନମ୍ବର ସେକ୍ଟରରେ ରଶି ଲଗାଯିବା ସହ ରେଡଫ୍ଲାଗ ଲଗାଯାଇଛି । ତଥା ନାଲି ପତାକା ଲଗାଯାଇଥିବା ସ୍ଥାନରେ କୌଣସି ପର୍ଯ୍ୟଟକ ଯେଭଳି ସ୍ନାନ ନକରିବେ ସେନେଇ ଲାଗିଛି କଟକଣା ।

ଏଥିସହ ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି । ତେବେ ଅନେକ ଅମାନିଆ ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ଲାଇଫଗାର୍ଡଙ୍କ କଥା ନମାନି ପାଲଟା ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଲାଇଫଗାର୍ଡ ସହ ପ୍ରଶାସନ ପକ୍ଷରୁ ବେଳାଭୂମିର ବିଭିନ୍ନ ସ୍ଥାନରେ ବିଭିନ୍ନ ଭାଷାରେ ସାଇନ୍ ବୋର୍ଡ ଲଗାଯିବା ଦିଗରେ ପ୍ରଶାସନ ଧ୍ୟାନ ଦେଲେ ସମୁଦ୍ରରେ ଏଭଳି ଅଘଟଣକୁ ରୋକା ଯାଇପାରନ୍ତା ବୋଲି ପର୍ଯ୍ୟଟକ ମାନେ କହିଥିଲେ । ସେପଟେ ପୁରୀର ବିସ୍ତୀର୍ଣ୍ଣ ବେଳାଭୂମିକୁ ୧୬ ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୧୦୦ ଜଣ ସରକାରୀ ଲାଇଫଗାର୍ଡ ଓ ୩୫୦ ଜଣ ବେସରକାରୀ ଲାଇଫଗାର୍ଡ ମୁତୟନ ରହୁଛନ୍ତି । କିନ୍ତୁ ପର୍ଯ୍ୟଟକଙ୍କ ଖାମଖିଆଲି ମନୋଭାବ ଓ ଅସାବଧାନତା ଯୋଗୁଁ ସମୁଦ୍ର ସ୍ନାନ ବେଳେ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି ବୋଲି ଲାଇଫ ଗାର୍ଡ ମାନେ ଅଭିଯୋଗ କରିଛନ୍ତି ।

ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ଭିଡ ଜମିବାର ଆଶଙ୍କା ରହିଛି । ତେଣୁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ ସହ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଥିଲେ । ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ବେଳାଭୂମିରେ ମୁତୟନ ନଥିବା ପୁରୀ ଜିଲ୍ଲାପାଳ ସ୍ୱୀକାର କରିଥିବା ବେଳେ ଖୁବଶୀଘ୍ର ଲାଇଫଗାର୍ଡଙ୍କ ସଂଖ୍ୟାକୁ ବଢେଇବା ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking