23.1 C
Bhubaneswar
Sunday, December 8, 2024
Homeଦେଶ ବିଦେଶବଢ଼ୁଛି ୟୁକ୍ରେନ୍ ଯୁଦ୍ଧର ତୀବ୍ରତା, କିଭ୍ ଉପରେ ଡ୍ରୋନ୍ ଓ ମିସାଇଲ୍ ବର୍ଷା କଲା ଋଷ

ବଢ଼ୁଛି ୟୁକ୍ରେନ୍ ଯୁଦ୍ଧର ତୀବ୍ରତା, କିଭ୍ ଉପରେ ଡ୍ରୋନ୍ ଓ ମିସାଇଲ୍ ବର୍ଷା କଲା ଋଷ

ନୂଆଦିଲ୍ଲୀ: ଅଢେଇ ବର୍ଷରୁ ଅଧିକ ସମୟ ହେବ ଋଷ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଦୁଇ ପକ୍ଷ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଋଷିଆ ଆଜି ୟୁକ୍ରେନର ରାଜଧାନୀ କିଭ ଉପରେ ଜୋରଦାର ଆକ୍ରମଣ କରିଛି । ଦୀର୍ଘ ଦୁଇମାସର ନିରବତା ପରେ ଏହା କିଭ ଉପରେ ପ୍ରଥମ ମିଳିତ ବିମାନ ଆକ୍ରମଣ । ଏହି ଆକ୍ରମଣରେ ଋଷିଆ ବହୁଳ ପରିମାଣରେ ଡ୍ରୋନ ଓ ମିସାଇଲ ବ୍ୟବହାର କରିଥିବାର ସୂଚନା ମିଳିଛି । ଆକ୍ରମଣ ପରେ କିଭର ଆଖପାଖ ଅଞ୍ଚଳ ଛାରଖାର ହେଇଯିବା ସହ ଋଷ ସୈନିକମାନେ ପୂର୍ବ ୟୁକ୍ରେନ ଆଡକୁ ଅଗ୍ରସର ହେବାକୁ ଲାଗିଛନ୍ତି ।

ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଥିବାରୁ ୟୁକ୍ରେନକୁ ଆମେରିକା ତରଫରୁ ମିଳୁଥିବା ସାହାଯ୍ୟ ଆଉ ମିଳିବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ବ୍ରୋଭାରୀ ଉପକଣ୍ଠରେ ଜଣଙ୍କ ଉପରେ ଡ୍ରୋନର କିଛି ଭଗ୍ନାବଶେଷ ପଡିଯିବା ଯୋଗୁଁ ସେ ଆହତ ହୋଇଥିବା କିଭର ଅଧିକାରୀମାନେ ସୂଚନା ଦେଇଛନ୍ତି । ଆକ୍ରମଣ ପରେ ଚାରିଆଡେ ନିଆଁ ଲାଗିଯାଇ ଥିବାରୁ ଅଗ୍ନିଶମ ବିଭାଗ ନିଆଁ ଲିଭାଉ ଥିବାର ଚିତ୍ର ଜରୁରୀକାଳୀନ କର୍ମଚାରୀମାନେ ସେୟାର କରିଛନ୍ତି । ସେହିପରି ଋଷିଆ ନିଜର ଅଞ୍ଚଳ କହି ଦାବି କରୁଥିବା ଦକ୍ଷିଣ ୟୁକ୍ରେନର ଖେରସନ ଅଞ୍ଚଳରେ ମଧ୍ୟ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣ ଫଳରେ ଜଣେ ୫୨ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି । ଭାରତୀୟ ସମୟ ଭୋର ୪ଟା ୩୦ ସମୟରେ ରାଜଧାନୀ କିଭରେ ମିସାଇଲ ଆକ୍ରମଣ ନେଇ ଏୟାର ରେଡ ଆଲାର୍ମ ବାଜି ଉଠିଥିଲା ।

ଋଷ ୟୁକ୍ରେନର ରାଜଧାନୀ କିଭକୁ ଲକ୍ଷ କରି ଏକ ବାଲିଷ୍ଟିକ ମିସାଇଲ ମାଡ କରିବା ସହ ଡ୍ରୋନ ଆକ୍ରମଣ ମଧ୍ୟ ଜାରି ରଖିଥିଲା । ଗୋଟିଏ ଦିନ ପୂର୍ବରୁ କିଭରେ ଋଷିଆ ଆକ୍ରମଣ କରିଥିଲା ଯେଉଁଥିରେ ଜଣେ ମହିଳାଙ୍କ ସହ ତାଙ୍କର ତିନିଜଣ ସନ୍ତାନଙ୍କର ମୃତ୍ୟୁ ଘଟିଥିଲା । ଗତ ସପ୍ତାହରେ ଉଭୟ ଦେଶ ରାତିସାରା ପରଷ୍ପର ଉପରେ ଡ୍ରୋନ ଆକ୍ରମଣ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି । ୟୁକ୍ରେନ ଉପରେ ଋଷ ଆକ୍ରମଣ ତୀବ୍ର କରୁଥିବାରୁ ୟୁକ୍ରେନ ମାସାଧିକ ସମୟ ଧରି ପାଶ୍ଚାତ୍ୟ ଦେଶ ମାନଙ୍କରୁ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରୁଛି । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତି ଥିବାରୁ ଆମେରିକାରୁ ମିଳୁଥିବା ସୈନ୍ୟ ସହାୟତା ରାଶି ବନ୍ଦ ହେଇଯିବାର ସମ୍ଭାବନା ରହିଛି । କାରଣ ଟ୍ରମ୍ପଙ୍କ ମତରେ ଆମେରିକା ଦେଉଥିବା ସହାୟତା ରାଶି ଦେଶର ସମ୍ବଳକୁ କ୍ଷୟ କରୁଛି । ଏଭଳି ସ୍ଥିତିରେ ଋଷ ସହ ଲଢ଼ିବା ଲାଗି ୟୁକ୍ରେନ୍ ଅସମର୍ଥ ହୋଇପାରେ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking