ନୟାଗଡ଼: ଓଡ଼ଗାଁରେ ମଙ୍ଗଳବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ପୁଣି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଛୋଟଛୁଆ ପାଣିମୋଟର ଅନ୍ କରିଦେବାରୁ ଶାଶୁ, ଶ୍ୱଶୁରଙ୍କ କଥାରେ ପଡ଼ି ସ୍ୱାମୀ ନିଜ ସ୍ତ୍ରୀକୁ ନିସ୍ତୁକ ମାଡ଼ମାରି ରକ୍ତାକ୍ତକରିଛି । ପରେ ସ୍ତ୍ରୀକୁ ନେଇ ବାପ ଘର ଆଗରେ ଫିଙ୍ଗିଦେଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଶିଖରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଓଡ଼ଗାଁ ଥାନା ପାଣ୍ଡେରିପଡା ଗ୍ରାମର ହରିବନ୍ଧୁ ସାହୁଙ୍କ ଝିଅ ରଶ୍ମିତା ମନ୍ତ୍ରୀ ଶରଣକୁଳ ଥାନା ଶିଖରପୁର ଗ୍ରାମର ରାଜୁ ମନ୍ତ୍ରୀଙ୍କ ପୁଅ କାହ୍ନୁଚରଣ ମନ୍ତ୍ରୀଙ୍କୁ ବିବାହ କରିଥିଲେ । ଗୁରୁବାର ସକାଳ ୮ଟା ସମୟରେ ରଶ୍ମିତାଙ୍କ ୭ବର୍ଷର ଝିଅ ସପନା ମନ୍ତ୍ରୀ ପାଣିମୋଟର ସ୍ୱିଚ୍ ଅନ୍ କରିଦେବାରୁ ଶ୍ୱଶୁର ରାଜୁ ମନ୍ତ୍ରୀଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଶ୍ୱଶୁର ଉତ୍ତ୍ୟକ୍ତ ହୋଇ ବୋହୂକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ତାଙ୍କ ସହିତ ଶାଶୁ କମଳା ମଧ୍ୟ ନାନାଦି କଟୁକଥା କହି ଘରୁ ତଡ଼ିଦେବା ସହିତ ବେଲଣାବାଡ଼ି କାଠିରେ ପିଟିଥିବା ଅଭିଯୋଗ ହୋଇଛି । ସେହି ସମୟରେ ସ୍ୱାମୀ କାହ୍ନୁଚରଣ ଆସି କିଛି ନବୁଝି ବାପା-ମାଆ କଥାରେ ପଡ଼ି ସ୍ତ୍ରୀକୁ ବେଲଣା କାଠିରେ ପିଟିବାକୁ ଲାଗିଥିଲା । ସ୍ତ୍ରୀ ରଶ୍ମିତା ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେ ଶୁଣିବା ଅବସ୍ଥାରେ ନଥିଲେ । ମାଡ଼ରେ ରଶ୍ମିତାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବାବେଳେ ମୁହଁ ଓ ଦେହରୁ ରକ୍ତଧାର ବୋହୁଥିବା ଦେଖିବାକୁ ମିଳିଥିଲା । ରଶ୍ମିତାଙ୍କ ଚିତ୍କାରଶୁଣି ଦାଦା ଶ୍ୱଶୁରଙ୍କ ପୁଅ ବାଗି ମନ୍ତ୍ରୀ ଏବଂ ଦୀପୁ ମନ୍ତ୍ରୀ ତାଙ୍କୁ ଉଦ୍ଧାରକରି ପ୍ରଥମେ ଶରଣକୁଳ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଚିକିତ୍ସିତ କରିଥିଲେ । ଏହାର କିଛି ସମୟ ପରେ ରଶ୍ମିତାଙ୍କ ଗାଁ ପାଣ୍ଡେରିପଡା ଗ୍ରାମ ବାପଘର ବାରିପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଶ୍ମିତାଙ୍କୁ ଫିଙ୍ଗିଦେଇ ଚାଲିଯାଇଥିବା ରଶ୍ମିତାଙ୍କ ବାପା ହରିବନ୍ଧୁ କହିଛନ୍ତି । ରଶ୍ମିତା ପ୍ରଥମେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଶିଖରପୁର ଶରଣକୁଳ ଥାନା ଅଧୀନରେ ଯାଉଥିବାରୁ ସେଠାରେ ଅଭିଯୋଗ କରିବାକୁ ଥାନା ଅଧିକାରୀ ପୀଡ଼ିତାଙ୍କୁ ପରାମର୍ଶ ଦେଇଥିଲେ ।