ନୂଆଦିଲ୍ଲୀ : ଭାରତର ଅନ୍ୟତମ ଘରୋଇ ଏୟାରଲାଇନ୍ସ ସ୍ପାଇସ୍ଜେଟ୍ ପକ୍ଷରୁ ପୁଣିଥରେ ‘ସ୍ପାଇସ୍ ଲକ୍’ ସିଷ୍ଟମ ପ୍ରଚଳନ କରାଯାଇଛି। ଏହି ସିଷ୍ଟମ ଦ୍ୱାରା ଜଣେ ବିମାନଯାତ୍ରୀ ତାଙ୍କର ମନପସନ୍ଦ ବିମାନଭଡାକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଲକ୍ କରିପାରିବେ । ଫଳରେ ୪୮ ଘଣ୍ଟା ମଧ୍ୟରେ ବିମାନ ଭଡା ବଢିବା କିମ୍ବା ବିମାନରେ ବୁକିଂ ନ ମିଳିବା ଭଳି ଆଶଙ୍କା ଦୂର ହେବ ବୋଲି କୁହାଯାଇଛି ।
ଏଭଳି ଲକିଂ ସିଷ୍ଟମ ଦ୍ୱାରା ଏୟାରଲାଇନ୍ସ ବୁକ୍ କରାଯାଇଥିବା ସିଟ୍କୁ ଅନ୍ୟ କାହାକୁ ବିକ୍ରି କରିପାରିବେ ନାହିଁ କିମ୍ବା ଭଡା ମଧ୍ୟ ବୃଦ୍ଧି କରିପାରିବେ ନାହିଁ । ସ୍ପାଇସ୍ଜେଟ୍ର ଘରୋଇ ଓ ଆନ୍ତର୍ଜାତିକ ଉଡାଣ ପାଇଁ ଏହି ବ୍ୟବସ୍ଥା ଉପଲବ୍ଧ ହେବ ବୋଲି କୁହାଯାଇଛି । ଘରୋଇ ଉଡାଣର ୭ ଦିନ ଓ ଆନ୍ତର୍ଜାତିକ ଉଡାଣର ୧୫ ଦିନ ପୂର୍ବରୁ ଜଣେ ଗ୍ରାହକ କେବଳ ୯୯ ଟଙ୍କା ଦାଖଲ କରି ଏହି ସୁବିଧା ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।