ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବରମୁଣ୍ଡା ଅଞ୍ଚଳର ନୃସିଂହଚରଣ ସିଂ ଓରଫ ପିଣ୍ଟୁ । ପିଣ୍ଟୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ଖଣ୍ଡଗିରି ଥାନାରେ ୫ଟି ଅପରାଧିକ ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି ।
ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ ସିଆର୍ପିସିର-୧୧୦ ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଛି । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱରରୁ ଫୁଲବାଣୀକୁ ଯିବାଆସିବା କରୁଥିବା ‘ବାଲାଜି’ ନାମକ ଏକ ବସ୍ ଘଟଣା ଦିନ ବରମୁଣ୍ଡା ଓଭରବ୍ରିଜ ନିକଟରେ ପହଞ୍ଚିବା ପରେ ପିଣ୍ଟୁ ସମ୍ପୃକ୍ତ ବସର କର୍ମଚାରୀଙ୍କ ନିକଟକୁ ଆସି ଦିନକୁ ୩୦୦ଟଙ୍କା ଲେଖାଏଁ ଦାଦାବଟି ଦେବାକୁଚହିଥିଲେ ।
ଉକ୍ତ ବସର କର୍ମଚାରୀ ଜଣକ ତାଙ୍କୁ ଟଙ୍କା ଦେବା ନିମନ୍ତେ ମନା କରିବାରୁ ପିଣ୍ଟୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ । ଏପରିକି ବସକୁ ସେଠାରୁ ଯିବା ପାଇଁ ନଦେଇ ‘ବିକାଶ’ ନାମକ ଅନ୍ୟ ଏକ ବସକୁ ତାଙ୍କ ଆଗରେ ଯିବା ନିମନ୍ତେ ବାଧ୍ୟ କରିଥିଲେ । ଏନେଇ ଅଭିଯୋଗ ପରେ ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।