43.9 C
Bhubaneswar
Friday, April 19, 2024
Homeଓଡିଶାବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ନେଇ ରାଜ୍ୟପୁଲିସର ପ୍ରସ୍ତୁତି ବୈଠକ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ନେଇ ରାଜ୍ୟପୁଲିସର ପ୍ରସ୍ତୁତି ବୈଠକ

କଟକ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁନ୍ ୨୦ ତାରିଖରେ ଶ୍ରୀଗୁଣ୍ଡିଚା ଅବସରରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ବିଭିନ୍ନ ତାରିଖରେ ଶ୍ରୀଜୀଉଙ୍କ ରୀତିନୀତି ପାଳନ କରାଯିବ ଓ ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ରେ ବାହୁଡା ଯାତ୍ରା, ୨୯ରେ ସୁନାବେଶ ଓ ଜୁଲାଇ ୧ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ ।

ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ ହେବେ । ତେଣୁ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଡିଜିପି ସୁନୀଲ କୁମାର ବଂସଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ । ଆବଶ୍ୟକତା ଅନୁଯାୟୀ ବୋମା ନିଷ୍କ୍ରିୟକାରୀ ଦଳ, ଏଚ୍‌ଏଚ୍‌ଏମଡି, ଡିଏମ୍‌ଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ୱାର୍ଡଙ୍କୁ ନିୟୋଜିତ କରାଯିବ । ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଓ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ । ଟ୍ରାଫିକ୍ ସୁପରିଚାଳନା ନିମନ୍ତେ ରୋଡ୍ ଡିଭାଇଡର୍‌, ଡିଲିନେଟର୍ ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କରାଯିବ । ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦୃଷ୍ଟି ଦିଆଯିବ ।

ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ଏଡିଜିପି (ଏସଏପି) ଆର.ପି. କୋଚେ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜିପି (ମୁଖ୍ୟାଳୟ) ଆର.କେ. ଶର୍ମା, ପୁଲିସ କମିଶନର (କଟକ-ଭୁବନେଶ୍ୱର) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି, କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଏଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର,ଏଡିଜିପି (ଅପରେସନ) ଏସ. ଦେବଦତ୍ତ ସିଂ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଦୟାଲ ଗଙ୍ଗୱାର, ଏଡିଜିପି (ଆଧୁନିକୀକରଣ) ରାଜେଶ କୁମାର, ଆଇ.ଜି. (ପ୍ରୋଭିଜନିଂ) ଯତିନ୍ଦ୍ର କୋୟଲ, ଆଇ.ଜି. (କ୍ରାଇମବ୍ରାଞ୍ଚ) ଅମିତେନ୍ଦ୍ରନାଥ ସିହ୍ନା, ଆଇ.ଜି. (ଯୋଗାଯୋଗ)ଗଜଭିୟେ ସତିଶ କୁମାର ଈଶ୍ୱର ଦାସ, ଆଇ.ଜି. (କେନ୍ଦ୍ରାଞ୍ଚଳ) ଆଶିଷ କୁମାର ସିଂ, ଡି.ଆଇ.ଜି. (ଗୁଇନ୍ଦା) ଅନୁପ କୁମାର ସାହୁ, ଡି.ଆଇ.ଜି. (ଏସ.ଆଇ.ଡବ୍ଲ୍ୟୁ) ଅଖିଳେଶ୍ୱର ସିଂ, ପୁରୀ ଜିଲ୍ଲା ଏସ୍‌ପି ଡ. କନୱାର ବିଶାଲ ସିଂ, ଏସ.ପି. (ମୁଖ୍ୟାଳୟ) ରାହୁଲ ଜୈନ, ଏସ.ପି. (ସିଗନାଲ),ଏସ.ପି. (ପିଏମଟି), ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking