16.1 C
Bhubaneswar
Tuesday, February 10, 2026
Homeଓଡିଶା‘ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ’

‘ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ’

ଭୁବନେଶ୍ୱର: ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ହୋଇ ରହିଛି, ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରି ନାହିଁ। ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭାଷଣ ଉପରେ ବିଜେଡି ପକ୍ଷରୁ ଏଭଳି କୁହାଯାଇଛି। ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୧୬ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ରହିଛି। ପୂର୍ବ ବିଜେଡି ସରକାରଙ୍କ ଯୋଜନାଗୁଡ଼ିକର କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବେଳେଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାରଙ୍କ ଅଧିକାଂଶ କାର୍ଯ୍ୟକ୍ରମ କେବଳ ଘୋଷଣାରେ ସୀମିତ ହୋଇ ରହିଯାଉଛି। ଡ଼ ମହାନ୍ତି ଆହୁରି କହିଛନ୍ତି ଯେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରିଛି ।

ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଅହେତୁକ ବୃଦ୍ଧି ପାଇଥିବା କଥାକୁ ବିଳମ୍ୱରେ ହେଲେ ବି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଏପରିକି ଏହି ଚୋରାଚାଲାଣ କାରବାର ଯୋଗୁଁ ରାଜ୍ୟର ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ ବର୍ଷରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ ବେଳେ ଏହା ମାତ୍ର ୬୦୦ କୋଟି ଟଙ୍କାକୁ ଖସି ଆସିଛି। ସେହିପରି ଚୋରା ମଦ କାରବାରକୁ ରୋକିବା ପାଇଁ ଦେଇଥିବା ନିର୍ଦ୍ଦେଶ ମଧ୍ୟ ରାଜ୍ୟରେ ଚାଲୁଥିବା ଚୋରା ମଦ କାରବାରକୁ ସ୍ୱୀକାର ସଦୃଶ ହୋଇଛି । ବିଜେପି କ୍ଷମତାକୁ ଆସିବାର କିଛି ମାସ ପରେ ଗଞ୍ଜାମ ଜିଲ୍ଲାରେ ଚୋରା ତଥା ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାର ରାଜ୍ୟରେ ଚୋରା ମଦ କାରବାରକୁ ରୋକିବାରେ ସଫଳ ହୋଇ ନାହାନ୍ତି।ଡ଼ ମହାନ୍ତି ଆହୁରି କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଉପଲବ୍ôଧ ବୋଲି ଦାବି କରିଥିବା ବେଳେ ବାସ୍ତବରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଇଟାଟିଏ ପଡ଼ିପାରି ନାହିଁ। ଅପରପକ୍ଷରେ ପୂର୍ବ ବିଜେଡି ସରକାରଙ୍କ ସମୟରେ ପୁଞ୍ଜି ନିବେଶ ପାଇଁ ସ୍ୱାକ୍ଷରିତ ହୋଇଥିବା ଅନେକ ଶିଳ୍ପ ଅନୁଷ୍ଠାନ ବିଜେପି ସରକାର ଆସିବା ପରେ ରାଜ୍ୟ ଛାଡ଼ି ଚାଲି ଗଲେଣି । ସେମାନଙ୍କ ଭିତରୁ ଜେଏସ୍‌ଡବ୍ଲ୍ୟୁ ଇଭି କାରଖାନା, ଆର୍ସେଲର ମିତ୍ତଲ ଇସ୍ପାତ କାରଖାନା, ଏସ୍ ରାମ ଏନ୍ ରାମ ସେମି କଣ୍ଡକ୍ଟର କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଅଧିକାଂଶ କାର୍ଯ୍ୟକ୍ରମ ବାଟବଣା ହୋଇଥିବା ବେଳେ, ସରକାର ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking