ପୁରୀ : ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ। ଶ୍ରୀଗୁଣ୍ଡିଚାରେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଲୀଳାଖେଳା ସାରି ଦଶମୀ ତିଥିରେ ଦାରୁବ୍ରହ୍ମ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦିରୁ ଧାଡ଼ି ପଣ୍ଡିରେ ଆସି ଶରଧାବାଲିରେ ଥିବା ରଥ ଉପରେ ବିରାଜମାନ କରିବେ। ବଡ଼ଦାଣ୍ଡରେ ଘର୍ଘର ନାଦକରି ପୁଣି ଥରେ ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ଗଡ଼ିବ। ଶରଧାବାଲିରୁ ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ତିନିରଥ ବାହାରିବ। ଘଣ୍ଟ, ଶଙ୍ଖ ଏବଂ ହରିବୋଲର ଧ୍ବନି ଶୁଭିବ। ବ୍ରହ୍ମାଣ୍ଡ ଠାକୁର ନିଜର ଭକ୍ତଙ୍କ ସହିତ ଭାବ ବିନିମୟ କରିବେ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ।










