ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ବା ଓ ଲାହୌଲ-ସ୍ପିତି ଜିଲ୍ଲା ସୀମାରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା । ପାଙ୍ଗି-ଉଦୟପୁର ସଡ଼କର କଡୁ ନାଳା ନିକଟରେ ଯାଉଥିବା ଏକ ଟାଟା ସୁମୋ ଉପରେ ହଠାତ୍ ପାହାଡ଼ରୁ ବଡ଼ ବଡ଼ ପଥର ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୬ ମାସର ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଲାହୌଲ-ସ୍ପିତି ପୁଲିସ ଅଧୀକ୍ଷକ ଶିବାନୀ ମେହଲାଙ୍କ ସୂଚନା ଅନୁସାରେ, ଗାଡ଼ିଟି ଉପରେ ପାହାଡ଼ରୁ ପଥର ଖସିପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକ ବୀର ସିଂହ ମଧ୍ୟ ରହିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ଚମ୍ବା ଜିଲ୍ଲାର ପାଙ୍ଗି ଘାଟି ଅଞ୍ଚଳର ବାସିନ୍ଦା ।
ଦୁର୍ଘଟଣା ପରେ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଥିବା ଚିତ୍ରରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ଚମ୍ବାର ଭରମୌର ବିଧାୟକ ଡ଼ଃ ଜନକରାଜ ମଧ୍ୟ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଚମ୍ବା ଜିଲ୍ଲାପାଳ ମୁକେଶ ରେପସ୍ୱାଲ କହିଛନ୍ତି, ଦୁର୍ଘଟଣାସ୍ଥଳ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ମୋବାଇଲ୍ ନେଟୱର୍କ ଉପଲବ୍ଧ ନାହିଁ । ଫଳରେ ସଠିକ୍ ସୂଚନା ସଂଗ୍ରହରେ ଅସୁବିଧା ହେଉଛି । ଘଟଣାସ୍ଥଳକୁ ବିଆରଓ, ସ୍ଥାନୀୟ ପୁଲିସ ଓ ଚମ୍ବା ପୁଲିସ ଟିମ୍ ପଠାଯାଇଛି ଏବଂ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରହିଛି ।










