ନୂଆଦିଲ୍ଲୀ : ଇସ୍ରାଏଲର ଜେରୁସାଲେମରେ ଜଣେ ୪୦ ବର୍ଷୀୟ ଭାରତୀୟ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୁଲିସ ଜଣେ ୩୧ ବର୍ଷୀୟ ଇସ୍ରାଏଲୀ ନାଗରିକଙ୍କୁ ଗିରଫ କରିଛି । ଜେରୁସାଲେମର କାଟାମୋନ୍ ଆବାସିକ ଅଞ୍ଚଳସ୍ଥିତ ଏକ ଘର ଭିତରୁ ଭାରତୀୟ ବ୍ୟକ୍ତିଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଥିଲା ।ଘଟଣାର ସୂଚନା ପାଇ ମୋରିଆ ପୁଲିସ ଷ୍ଟେସନର ଅଧିକାରୀ ଓ ଫୋରେନସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲେ । ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ଅପରାଧିକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି । ପୁଲିସ ତୁରନ୍ତ ଇଲାଟ୍ ଅଞ୍ଚଳର ଜଣେ ବାସିନ୍ଦାଙ୍କୁ ଏହି ହତ୍ୟାକାଣ୍ଡ ସନ୍ଦେହରେ ଗିରଫ କରି ଅଧିକ ପଚରାଉଚୁରା ଜାରି ରଖିଛି। ତେବେ ମୃତ ଭାରତୀୟ ନାଗରିକ ଏବଂ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଜେରୁସାଲେମ୍ ଜିଲ୍ଲା କମାଣ୍ଡର ଆଭଶାଲୋମ ପେଲେଡ୍ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଜେରୁସାଲେମ୍ ଜିଲ୍ଲା ସେଣ୍ଟ୍ରାଲ୍ ୟୁନିଟକୁ ତଦନ୍ତ ଭାର ହସ୍ତାନ୍ତର କରିଛନ୍ତି ।










