36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଇଭିଏମରେ କଏଦ ହେବ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ

ଇଭିଏମରେ କଏଦ ହେବ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ୟ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ୟ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍‌ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ୫,ବିହାର ୪, ପଶ୍ଚିମବଙ୍ଗ ୩ , ମଣିପୁର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି। ତେବେ ଏହିସବୁ ରାଜ୍ୟମାନଙ୍କ ମଧ୍ୟରୁ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ଆସନ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହିସବୁ ରାଜ୍ୟରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ଦଳର ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ ହେବ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଭୂପେନ୍ଦ୍ର ଯାଦବ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ, ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ନକୁଲ ନାଥ, ସର୍ବାନନ୍ଦ ସୋନୱାଲ, ଜିତିନ ପ୍ରସାଦ ଏବଂ ଗୌରବ ଗୋଗୋଇଙ୍କ ଭଳି ବହୁ ନେତାଙ୍କ ଭାଗ୍ୟ ଇଭିଏମରେ ନିର୍ଦ୍ଧାରଣ ହେବ। ଏହି ପର୍ୟ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟରଙ୍କ ଆଗ୍ରହ ଏବଂ ନିର୍ବାଚନର ଗତି କିଭଳି ରହିବ ତାହା ସବୁ ଦଳ ପାଇଁ ଆକଳନ କରିବା ସହଜ ହେବ ବୋଲି କୁହାଯାଉଛି। ଏହି ପର୍ୟ୍ୟାୟରେ ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking