28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶ‘ଟମାଟୋ ଫ୍ଲୁ' ଆତଙ୍କ: ସ୍ଥିତିକୁ ଦେଖି ଆଲର୍ଟ, କେରଳରୁ ଆସୁଥିବା ଯାତ୍ରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

‘ଟମାଟୋ ଫ୍ଲୁ’ ଆତଙ୍କ: ସ୍ଥିତିକୁ ଦେଖି ଆଲର୍ଟ, କେରଳରୁ ଆସୁଥିବା ଯାତ୍ରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀରେ ଲୋକେ ଏବେବି ଆଉଟୁପାଉଟୁ ହେଉଥିବାବେଳେ ନୂଆ ଭୁତାଣୁ ‘ଟମାଟୋ ଫ୍ଲୁ’ ଆତଙ୍କ ସୃଷ୍ଟି କରିଛି । କେରଳରେ ଜଣେ ଯୁବତୀ ଏଥିରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଓଡ଼ିଶା ସମେତ ସବୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । କାଳେ କେରଳରୁ ଆସୁଥିବା ଯାତ୍ରୀଙ୍କ ଜରିଆରେ ଓଡ଼ିଶାରେ ଏହି ମାରାତ୍ମକ ରୋଗ ତା’ର କାୟା ବିସ୍ତାର କରିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆବଶ୍ୟକ ପଡ଼ିଲେ ସବୁ ଜିଲ୍ଲାରେ ‘ଆଲର୍ଟ’ ଜାରି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବିଭାଗୀୟ ବିଶେଷଜ୍ଞଙ୍କ କହିବାନୁସାରେ ‘ଟମାଟୋ ଫ୍ଲୁ’ ଏକ ନୁଆ କିସମର ଭୂତାଣୁ । ଏହି ରୋଗରେ ଲକ୍ଷଣ ସ୍ୱତନ୍ତ୍ର । ରୋଗୀର ହାତ ପାପୁଲି ଓ ବେକ ସହ ଶରୀରରେ ବିଭିନ୍ନ ସ୍ଥାନରେ ଟମାଟୋ ଆକୃତିର ଗୋଲାକାର ଫୁଲାମାନ ସୃଷ୍ଟି ହୋଇଥାଏ । ସେହି ଫୁଲାଗୁଡ଼ିକର ରଙ୍ଗ ଲାଲ୍ ହୋଇଥାଏ । ଗଣ୍ଠି ଫୁଲା ବି ହୁଏ । ତେଣୁ ରୋଗର ନାମ “ଟମାଟୋ ଫ୍ଲୁ’ କିମ୍ବା “ଟମାଟୋ ଫିବର’ ନାମରେ ନାମିତ କରାଯାଇଛି । ଏହି ରୋଗ ହେଲେ ଚର୍ମ ଫଳିଯିବା ସହ ବାରମ୍ବାର କୁଣ୍ଡାଇ ହୋଇଥାଏ । ଶରୀରର ଜଳୀୟ ଅଂଶ ହ୍ରାସପାଏ । ଭୀଷଣ ଜ୍ୱର ହୁଏ ଓ ଶରୀରରେ ବିଭିନ୍ନ ସ୍ଥାନରେ ଫଳିଯିବା ଯୋଗୁଁ ଗଭୀର ଯନ୍ତ୍ରଣା ହୁଏ । ରୋଗୀକୁ ଥକାପଣ ଆଦି ପରିଲକ୍ଷିତ ହୋଇଥାଏ ।

ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ ଅଧିକ ସଂଖ୍ୟାରେ ‘ଟମାଟୋ ଫ୍ଲୁ’ରେ ସଂକ୍ରମିତ ହୋଇ ଜ୍ୱରରେ ପଡ଼ିଥାନ୍ତି । ହେଲେ ଅନ୍ୟ ବୟସର ଲୋକଙ୍କୁୁ ଯେ ଜ୍ୱର ହେବନାହିଁ ତାହା ନୁହେଁ, ସମସ୍ତଙ୍କୁ ବ୍ୟାପିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କତା ଅବଲମ୍ବନ ଜରୁରୀ । କାରଣ କେରଳର କାସାରାଗଡ଼ରେ ଜଣେ ଯୁବତୀ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ସଦ୍ୟ ପ୍ରମାଣ ରହିଛି । ସଂପୃକ୍ତ ଯୁବତୀ ଏକ ରେସ୍ତୋରାଁରୁ ଖାଦ୍ୟ ଖାଇ ଫେରିବା ପରେ ‘ସିଗେଲା’ ନାମକ ବ୍ୟାକ୍ଟେରିଆ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିଲେ । ପରେ ‘ଟମାଟୋ ଫିବର’ ହୋଇଥିଲା । ଡାକ୍ତରମାନେ ପ୍ରଥମେ ରୋଗ ଚିହ୍ନଟ ନେଇ ଦ୍ୱନ୍ଦ୍ୱରେ ଥିଲେ ହେଁ ପରେ ଜାଣିପାରିଥିଲେ । ମାତ୍ର ସେତେବେଳକୁ ସମୟ ଅତିକ୍ରାନ୍ତ ହୋଇସାରିଥିଲା । ସେହି ଯୁବତୀ ପ୍ରାଣ ହରାଇଥିଲେ । ସେଥିପାଇଁ ଏବେ କେରଳରେ ହାଇ ଆଲର୍ଟ ଜାରି ହୋଇଛି । ପରେ ସ୍ଥିତିକୁ ଦେଖି କର୍ଣ୍ଣାଟକ,ମହାରାଷ୍ଟ୍ର ଓ ତାମିଲନାଡ଼ୁ ସରକାର ବି ଆଲର୍ଟ ଜାରି କରିପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ଓଡ଼ିଶା ସରକାର ସଂକ୍ରମଣକୁ ଲକ୍ଷ୍ୟ କରି ଆଲର୍ଟ ଜାରି କରିବେ । ତେବେ ଏଥିପୂର୍ବରୁ ତିନି ସରକାରୀ ମେଡିକାଲ କଲେଜ ହସ୍ପିଟାଲ (ଏମସିଏଚ୍‌) ସହ ଜିଲ୍ଲା ସଦର ହସ୍ପିଟାଲ (ଡିଏଚ୍‌ଏଚ୍‌), ଉପଖଣ୍ଡ ହସ୍ପିଟାଲ (ଏସ୍‌ଡିଏଚ୍‌), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଓ ମୋବାଇଲ୍ ସ୍ୱାସ୍ଥ୍ୟ କେନ୍ଦ୍ର (ଏମଏଚ୍‌ୟୁ) ଚିକିତ୍ସା ସୁବିଧା କରିବେ । କୋଭିଡ୍ ଭଳି ଏମ୍‌ସିଏଚ୍ ଓ ଡିଏଚ୍‌ଏଚ୍‌ରେ ‘ସ୍ୱତନ୍ତ୍ର ୱାର୍ଡ଼’ ଖୋଲିବାର ପ୍ରସ୍ତାବ ରହିଛି । କେବଳ ସରକାରୀ ନୁହେଁ ବେସରକାରୀ ୩ ମେଡିକାଲ କଲେଜ ହସ୍ପିଟାଲକୁ ମଧ୍ୟ ଜାରି ହେବାକୁ ଥିବା ନୂଆ ମାର୍ଗଦର୍ଶିକା ବିଷୟରେ ଜଣାଇ ଦିଆଯିବ । ତେବେ ଏହି ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା କିଛି ସୃଷ୍ଟ ହୋଇନ ଥିଲେ ହେଁ ସେ ସମ୍ପର୍କରେ ଗବେଷଣା କରିବାକୁ ଆଏମ୍‌ଆର୍‌ସିକୁ ଦାୟିତ୍ୱ ଦିଆଯିବ । ତେବେ ରାଜ୍ୟରେ ଲୋକଙ୍କୁ ଆତଙ୍କିତ ନକରି ସଚେତନତା କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେବାକୁ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ବିଭାଗର ସଂପୃକ୍ତ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖନୀୟ ଯେ କେବଳ କେରଳରେ ଜଣେ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ‘ଟମାଟୋ ଫିବର’ରେ ସଂକ୍ରମିତ ହୋଇଛନ୍ତି । କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡ଼ୁର ସ୍ଥିତି ଖରାପ ହେବ ବୋଲି ଅନୁମାନ କରାଯାଇଛି । କେରଳରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଲୋକ ଓ ଶିଶୁ ଥିବାରୁ ଏବଂ ସେମାନେ ନିୟମିତ ଓଡ଼ିଶା ଅସିଥିବାରୁ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ଏହି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସ୍ଥିତିକୁ ଦେଖି କଟକଣା ଜାରି ହୋଇପାରେ ବୋଲି ଜଣାପଡ଼ିଛି ।
ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଜ୍ୱର ହେଲେ ଲକ୍ଷଣ ଦେଖିବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ରୋଗୀ ଠାରୁ କିଛି ଦିନ ଦୁରେଇ ରୁହନ୍ତୁ । ମୁହଁ ଓ ବେକର ଚର୍ମକୁ ଆଦୌ ଘଷନ୍ତୁ ନାହିଁ । ଯଥେଷ୍ଟ ବିଶ୍ରାମ ନିଅନ୍ତୁ । ପ୍ରଚୁର ପାଣି ପିଇନ୍ତୁ । ଉଷୁମ ପାଣିରେ ଗାଧାନ୍ତୁ । ସଂକ୍ରମିତ ନ ହେବା ପାଇଁ ଘରକୁ ବିଶୋଧନ କରନ୍ତୁ । ନିକଟସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରୋଗର ଲକ୍ଷଣ ବିଷୟରେ ଜଣାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking