ନୂଆଦିଲ୍ଲୀ : ଆଫଗାନରେ ନୂଆ ସରକାର ଗଢିବା ପାଇଁ ତତ୍ପରତା ଦେଖାଇଛି ତାଲିବାନ । ଏଥିପାଇଁ ଆଜି ତାଲିବାନର ଜଣେ କମାଣ୍ଡର ଆନ୍ସ ହକ୍କାନୀ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ସହ ରୁଦ୍ଧଦ୍ୱାର ଭେଟିଛନ୍ତି । ସରକାର ଗଠନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ଓ କଣ ସବୁ ବ୍ୟବସ୍ଥା ରହିବ ସେ ବିଷୟରେ ହକ୍କାନୀ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । କାରଜାଇଙ୍କ ସରକାର ସମୟରେ ମୁଖ୍ୟ ଶାନ୍ତିଦୂତ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଏହି ବୈଠକରେ ଯୋଗଦେଇଥିଲା । ବୈଠକ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ । କେବଳ ବୈଠକ ଅନୁଷ୍ଠିତ ହୋଇଥିବା କୁହାଯାଇଛି । ତାଲିବାନ ସଂଗଠନର ମୁଖ୍ୟ ସହଯୋଗୀ ହେଉଛି ହକ୍କାନୀ ନେଟୱର୍କ । ରବିବାର ହକ୍କାନୀ ନେଟୱର୍କ ହିଁ କାବୁଲ ଦଖଲ କରିଥିଲା । ଅପରପକ୍ଷରେ ଗତକାଲି ସନ୍ଧ୍ୟାରେ ତାଲିବାନର ଦ୍ୱିତୀୟ ସର୍ବୋଚ୍ଚ ନେତା ଅବଦୁଲ ଘନି ବରାଦାର ଆଫଗାନିସ୍ତାନ ଫେରିଛନ୍ତି । ସେ ହିଁ ତାଲିବାନ ସରକାରରେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଛି ।