30.1 C
Bhubaneswar
Wednesday, April 24, 2024
Homeଜୀବନଶୈଳୀମାଗୁଣିର ନୂଆ ଶଗଡ଼

ମାଗୁଣିର ନୂଆ ଶଗଡ଼

ଭୁବନେଶ୍ୱର:  ନିଜ ପୁରୁଣା ଶଗଡ଼ ଉପରେ ଆଖି ବୁଲାଇ ଆଣିଲା ମାଗୁଣି।ଅଗଣା ପଛ ଗୁହାଳର ସାମ୍ନା ଖୁଣ୍ଟିରେ ବନ୍ଧା ହୋଇଛନ୍ତି କାଳିଆ,କଷରା:ଦୁଇ ବଳଦ।
ଅନେକ ଦିନ ନୁହେଁ,ଅନେକ ବର୍ଷ ବିତିଗଲାଣି ମାଗୁଣି ଶଗଡ଼କୁ ଗାଁ ଦାଣ୍ଡରେ ଗଡ଼ି ଲୋକଙ୍କୁ ବସାଇ ଟାଉନ କୁ ନେବା ଆଣିବା କରିବାରେ।ଶଗଡ଼କୁ ଏବେ କିଏ ପଚାରୁଛି ?
ବିଡ଼ି ଲଗାଇ ଆକାଶକୁ ଧୂଆଁ ପୁଳାଏ ଛାଡି ଆକାଶକୁ ଅନାଇ ଦୀର୍ଘନିଶ୍ୱାସ ଛାଡିଲା ମାଗୁଣି।ଆସନ୍ତାକାଲି ସେ ଶଗଡ଼ ପୁଣିଥରେ ବାହାର କରିବ ବୋଲି ସ୍ତ୍ରୀ କୁ କହିଛି।
ପିଲାମାନେ ସବୁବେଳେ ତାରି ନାଁ ପାଇଁ ବିରକ୍ତ ହୋଇ କୁହନ୍ତି,
-ବାପା, କୋର୍ଟରେ ଆଫିଡେବିଟ କରି ତମ ନାଁ ବଦଳାଇ ଦେଇ ଅନ୍ୟକିଛି ନାଁ ରଖ।”
ଚିଡିଯାଇ ମାଗୁଣି ଥରେ କହିଥିଲା,
-ଅନ୍ୟ ନାଁ କିଆଁ ରଖିବି ?କେତେ ସିନିହରେ ମୋ ଗୋସେଇଁ ବାଆ ରଖିଥିଲା ମୋ ନାଁ ମାଗୁଣି।ସବୁ ସରକାରୀ ଖାତା କାଗଜରେ,ଆଧାର ଭୋଟ କାର୍ଡ ସବୁଠି ମାଗୁଣି।ପାଠ ଶାଠ ପଢି ବଡ଼ ହେଲା ପରେ ମୋ ନାଁ ପାଇଁ ତମର ସବୁ କି ଅସୁବିଧା ହେଉଛି ମୁଁ ଶୁଣେ।”
ମଝିଆଁ ପୁଅ ସେଦିନ କହିଥିଲା,
-ପିଲାଙ୍କ ସ୍କୁଲ ବହିରେ ଆଗରୁ ଗୋଟେ ଗପ ଥିଲା ମାଗୁଣି ର ଶଗଡ଼।ସେଥିରେ ସେ ଶଗଡ଼ିଆ ର ଦୁଇ ବଳଦଙ୍କ ନାଁ ବି କାଳିଆ,କଷରା ଥିଲା,ଠିକ ଆମ ବଳଦ ଙ୍କ ଭଳି।ଆଉ….ଆଉ….
ପୁଅକୁ ଚୁପ ହୋଇଯିବାର ଦେଖି ମାଗୁଣି ପୁଣି ପଚାରିଲା,
-ପୁଣି କଣ ଆଉ ?”
ଛେପ ଢ଼ୋକି ମଝିଆଁ ପୁଅ କହିଲା,
-ସେ ଗପ ରେ ଗାଁ ପ୍ରଧାନ ଘର, ସହରକୁ ମୋଟର ବସ ପକାଇଲା ପରେ ମାଗୁଣି’ର ଶଗଡ଼ ବନ୍ଦ ହୋଇଯାଇଥିଲା ବୋଲି ଲେଖାହୋଇଥିଲା।ଆମ ଗାଆଁରେ ବି ସାହୁ ଘର ଟାଉନ ବସ,ଟ୍ୟାକ୍ସି ପକାଇଲା ପରେ,ତମ ଶଗଡ଼ ଆଉ ଚାଲୁନି ବୋଲି ଆମ ସାଙ୍ଗମାନେ ଆମକୁ ଛିଗୁଲେଇ ଟାହି ଟାପରା କରି କଥା ଶୁଣାଉଛନ୍ତି।ଏ ଶଗଡ଼ ପୋଡି ନଷ୍ଟ କରିଦିଅ ନହେଲେ,ତମ ନାଁ ଟା ବଦଳାଇ ଅନ୍ୟ କିଛି ଭଲ ନାଁ ରଖ,ଯେମିତି ରଣବୀର,ଅକ୍ଷୟ କୁମାର,ଅନୁଭବ, ବାବୁସାନ…କିଛି ବି।
ଫେଁ କିନା ହସି ମାଗୁଣି କହିଲା,
-ନାଁ ବଦଳାଇଦେଲେ କଣ ଭାଗ୍ୟ ବଦଳିଯିବ ?ତା ଛଡା ମୋ ଶଗଡ଼ ବନ୍ଦ ତ ହୋଇନି।ଚାଷୀମାନେ ବିଲରୁ ଫସଲ ଅମଳ ହେଲାପରେ ମୋ ଶଗଡ଼ରେ ସେସବୁ ଲଦି ଖଳାକୁ ଆଣୁଛନ୍ତି।କିଏ ନିଜ ବାରି ଖତ ବିକିବାକୁ ମୋ ଶଗଡ଼ ଭଡାରେ ନେଉଛି।ତା ଛଡା କାଳିଆ,କଷରାଙ୍କୁ ମୁଁ ଭଡାରେ ଚାଷ ପାଇଁ ବି ଲଗାଉଛି।”
ହଠାତ ମାଗୁଣି ଆଖିରେ ନାଚିଗଲା କିଛି ଦୃଶ୍ୟ।ଓଡ଼ିଆ ସିନେମା “ଜଗା ହାତରେ ପଘା” ସୁଟିଂ।”ରୁପା ଶଗଡି ରେ ସୁନା କନିଆଁ….
କେତେ ସୁମଧୁର ସ୍ମୃତି,ଓଡ଼ିଆ ହିରୋ ସ୍ୱର୍ଗତଃ ବିଜୟ ମହାନ୍ତି ଙ୍କ ସହ ସାମ୍ନାସାମ୍ନି ଭେଟ,କଥାବାର୍ତ୍ତା,ପରିଚୟ।ମାଗୁଣି ଓଠରେ ଖେଳିଗଲା ଧାରେ ହସ।
ମାଗୁଣି ହସିଦେଇ କହିଲା,
-ଆରେ,ମୋରି ଶଗଡ଼ ରେ ପରା ବିଜୟ ବାବୁ ଅପରାଜିତାଙ୍କୁ ବସାଇ ସେଇ ଗୀତ “ରୁପା ଶଗଡ଼ିରେ ସୁନା କନିଆଁ ବୋଲିଥିଲେ।ଆମ ଗାଁ ସାରା ଲୋକ ସେ ସିନେମାକୁ ଦେଖିଥିଲେ।ଆଜି ବି ଟିଭିରେ ସେ ଗୀତ ଦେଖିଲେ ସବୁ କଥା ମନେପଡିଯାଏ।ମାଗୁଣି ଶଗଡ଼ ଅମର ହୋଇ ଯାଇଛି ସେ ଗୀତ ପାଇଁ।ବଳଦ ଙ୍କୁ କେମିତି ମଣ କରି ଶଗଡ଼ ଚଳେଇବ,ସେକଥା ପରା ମୁଁ ଟ୍ରେନିଂ ଦେଇଥିଲି ବିଜୟ ବାବୁଙ୍କୁ।”
ବଡ଼ପୁଅ ଚଟ କିନା କହିଲା,
-ଓହୋ ବାପା,ସେଇ ଗୋଟାଏ କଥାକୁ ତମେ ସବୁବେଳେ ଘୋରି ହେଉଛ।ମାଗୁଣି ଶଗଡ଼ ଉପରେ ସିନେମା କରି ତମକୁ ତ କେହି ହିରୋ କରିନି।ତା ଛଡା ଗପ ବହିର ସେ ମାଗୁଣି ପାଖରେ ଖାଇବାକୁ କିଛି ନଥିଲା।ହେଲେ ଏବେ ସରକାର ତ ଆମକୁ ମାଗଣା ଚାଉଳ,ରୋଷେଇ ଗ୍ୟାସ,କୋଠା ଘର,
ଭତ୍ତା,ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀସହାୟତା,
କାଳିଆ ଟଙ୍କା ଇତ୍ୟାଦି ମିଳୁଛି।”
ଦୁଇଦିନ ତଳେ ଝିଅ ତା ଶଶୁର ଘରୁ ପୁଆଣି ହୋଇ ଆସିଛି।
ଝିଅ ଟିକେ ଆପତ୍ତି ଜଣାଇ କହିଲା,
-ବାପା,ମୋ ଶାଶୁଘର ଲୋକ ମୋତେ ବି ଖୁଣ୍ଟା ଦେଇ କହୁଛନ୍ତି, ତୋ ବାପ ଘର ଚଳଣୀ ଏତେ ଭଲ ଥାଉ ଥାଉ ତୋ ବାପା ଶଗଡ଼ କାହିଁକି ରଖିଛି ?ସେ ଗପ ର ମାଗୁଣି ବୁଢା ଭଳି ତମକୁ ଲୋକେ ତୁଳନା କରୁଛନ୍ତି।”
ବଡ଼ ପୁଅ କହିଲା,
-ବୋଉ କହୁଥିଲା, ତମେ କାଳେ କାଲିଠୁ ପୁଣି ଶଗଡ଼ ଚଳାଇବ ?”
-ହଁ,କାଲି ଠୁ ପୁଣି ଗଡିବ ମାଗୁଣି ଶଗଡ଼।”
-ବାପା,ତମ ମୁଣ୍ଡ ଖରାପ ହେଲାଣି କି?ଏ ଯୁଗରେ କିଏ ବସିବ ଶଗଡ଼ରେ ?”
-ମଝିଆଁ ପୁଅ କହିଲା,
-ଆଗକୁ ବଳିଆ,ସୁଭଦ୍ରା ଯୋଜନା ଟଙ୍କା ବି ଆସିପାରେ।ଏତେ ସୁବିଧା,ମାଗଣା ଜିନିଷ ଥାଉ ଥାଉ ତମେ ଶଗଡ଼ କାହିଁକି ଚଳାଇବ ?”
ଟିକେ ନିରବ ରହିଲା ମାଗୁଣି।ଉଠିପଡ଼ି ନିଜ ପୁରୁଣା ଶଗଡ଼ରେ ଭଳିକି ଭଳି ରଙ୍ଗ ଦେଇ ସଜାଇଲା।ଶଗଡ଼ ଉପରେ ବି ବାଉଁଶ ପାତିଆ ଚାଦର କୁ ଲଗାଇ ତା ଉପରେ ରଙ୍ଗୀନ କନା ଓ ଘୁଙ୍ଗୁର ଲଗାଇଲା।କାଳିଆ,କଷରା’ଙ୍କ ପିଠିରେ ପଡିବା ପାଇଁ ରଙ୍ଗୀନ କନା, ଶିଙ୍ଗରେ ପ୍ଲାଷ୍ଟିକ ଓ ତୁଳା ଫୁଲ,ବେକରେ ଘୁଙ୍ଗୁର।ପୁରା ଫିଲ୍ମ ଷ୍ଟାଇଲ ରେ ସଜା ହୋଇଥିଲା ଶଗଡ଼।
ମାଗୁଣି ସ୍ତ୍ରୀ ବାହାରକୁ ଆସି କହିଲା,
-ଏତେ ସଜବାଜ କାହା ପାଇଁ ?
ସ୍ତ୍ରୀ,ଦୁଇପୁଅ ଓ ଝିଅଙ୍କୁ ପାଖକୁ ଡାକି ମାଗୁଣି କହିଲା,
-ପେଟ୍ରୋଲ ରେଟ ଏବେ ଶହେ ଟପିଲାଣି ଓ କରୋନା କଟକଣା ଯୋଗୁଁ ସାହୁ ବସ ଓ ଟ୍ୟାକ୍ସି ର ବହୁତ ଲସ।ଲୋକ ହେଉ ନାହାନ୍ତି ବୋଲି ବସ,ଟ୍ୟାକ୍ସି ବନ୍ଦ ।ଆସନ୍ତାକାଲି ବିରୋଧୀ ଦଳ ବାଲା ପେଟ୍ରୋଲ,ଡିଜେଲ ଦାମ ବୃଦ୍ଧି ପ୍ରତିବାଦ ପାଇଁ ମୋ ଶଗଡ଼ ଭଡାରେ ନେଉଛନ୍ତି।ଭଲ ରେଟ ଦେବେ।”
ବଡ଼ ପୁଅ କହିଲା,
-ଗୋଟାଏ ଦିନ ପାଇଁ ଏତେ ସଜାସଜି ?”
ମୃଦୁ ହସି ମାଗୁଣି କହିଲା,
-କରୋନା ସମୟରେ ମୋରି ଶଗଡ଼ରେ କେତେ ଗାଁ ଓ ଆଖପାଖ ଲୋକଙ୍କୁ ହସ୍ପିଟାଲ ନେଇଥିଲି ବୋଲି ସେ ଖବର ଏବେ ଗୋଟେ ସମ୍ବାଦପତ୍ର ରେ ବାହାରିଥିଲା।ତାକୁ ଦେଖି,ଗୋଟାଏ ଦିନ ପାଇଁ ନୁହେଁ,ପ୍ରଦୂଷଣ ମୁକ୍ତ ଏଇ ପୁରୁଣା ଶଗଡ଼ ଗାଡ଼ିରେ ପର୍ଯ୍ୟଟକ ମାନଙ୍କୁ ଇକୋ ଟୁରିଜିମ ଓ ହେରିଟେଜ ଟ୍ରାଭେଲ ପାଇଁ ଗୋଟେ ସଂସ୍ଥା ମୋ ସହ ଚୁକ୍ତି କରିଛି।ଆଉ ହଁ, ମୋ ଦୁଇ ବଳଦ କାଳିଆ,କଷରା ଙ୍କ ଭଳି ମୁଁ ବି କାମକୁ ଡରେନା। ମାଗୁଣି ଭଳିପରିଶ୍ରମୀ ,
ଆତ୍ମସମ୍ମାନ ସଚେତନ ଲୋକ କେବେ ମାଗଣା ଖାଇବାକୁ ପସନ୍ଦ କରନ୍ତିନି।ମାଗୁଣି ର ଶଗଡ଼ ଯେତେ ପୁରୁଣା ହେଲେ ବି, ସମୟ ଆସିଲେ ପୁଣି ରାସ୍ତାରେ ଦୌଡେ।”
ଟିକେ ନିଶ୍ବାସ ନେଲା ମାଗୁଣି।ଧୀର ଓ ଗମ୍ଭୀର ସ୍ୱରରେ ପୁଣି କହିଲା,
-ସାହୁ ଟ୍ରାଭେଲସ ମାଲିକ ମୋତେ ଗୋଟେ ନୂଆ ପ୍ରସ୍ତାବ ଦେଇ କହିଛି,ପେଟ୍ରୋଲ,
ଡିଜେଲ ଦାମ ବଢିବା ଯୋଗୁଁ ତା ବନ୍ଦ ପଡିଥିବା ଗୋଟେ ଟ୍ୟାକ୍ସିରୁ ସାମ୍ନା ପଟ କାଟି, ମୋ ଶଗଡ଼ରେ ଯୋଡି ଚଳାଇବା ପାଇଁ।ମାନେ ଖାଲି ସିଟ ରହିବ, ଟାଣିବେ ମୋ କାଳିଆ କଷରା।କାଠ ଚକ ବଦଳରେ ଟାୟାର ଚକ, ବଳଦଙ୍କୁ ଓ ପାସେଞ୍ଜରଙ୍କୁ ବି ଆରାମ।ଯୁଗ ବଦଳୁଛି।ସେବେ ମାଗୁଣି ର ଶଗଡ଼ ବନ୍ଦ ହେଉଥିଲା,ଏବେ ଗାଡି ମୋଟର ବନ୍ଦ ହେଉଛି।ସମୟ ସହ ତାଳ ଦେଇ ମାଗୁଣି ଭଳି ମାଗୁଣିର ଶଗଡ଼ ବି ବଦଳିବା ଦରକାର।ମାଗୁଣି’ର ପୁରୁଣା ଶଗଡ଼’ର ଏବେ ନୂଆ ରୂପ ଦେଖିବେ ସମସ୍ତେ।”

#ଅରବିନ୍ଦଦାସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking