ସଂସଦରେ ପିଆଜ ଝଡ

ନୂଆଦିଲ୍ଲୀ : ପିଆଜ ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ବିଭିନ୍ନ ପ୍ରୟାସ ବିଫଳ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି। ଏନେଇ ବୁଧବାର ସଂସଦରେ ପିଆଜ ଝଡ ହୋଇଥିଲା। ଯାହାପରେ ମୁଁ ଏତେ ପିଆଜ ରଶୁଣ ଖାଉ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଗୃହ ହୁଲୁସ୍ତୁଲୁ ହୋଇଥିଲା।
ପିଆଜ ଖାଇବାକୁ ନେଇ କିଛି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିର୍ମଳା ସୀତାରମଣ କହିଥିଲେ ଯେ, ମୁଁ ଏତେ ପିଆଜ ରଶୁଣ ଖାଉ ନାହିଁ। ମୁଁ ଏଭଳି ପରିବାରରୁ ଆସିଛି ଯେଉଁଠାରେ ପିଆଜ ଖାଆନ୍ତି ନାହିଁ। ମହାରାଷ୍ଟ୍ରର ବାରାମତୀରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିୟା ସୁଲେଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ଏଭଳି ଉତ୍ତର ରଖିଥିଲେ।
ଏହାପୂର୍ବରୁ ସାଂସଦ ସୁଲେ ଏନପିଏ ଏବଂ ପିଆଜ କୃଷକଙ୍କ ପ୍ରସଙ୍ଗ ଉଠାଇଥିଲେ। ସୁଲେ କହିଥିଲେ ଯେ, ମୁଁ ପିଆଜକୁ ନେଇ ସରକାରଙ୍କୁ ଏକ ଛୋଟ ପ୍ରଶ୍ନ କରିବାକୁ ଚାହୁଁଛି। ସରକାର ମିଶରରୁ ପିଆଜ ଆମଦାନୀ କରୁଛନ୍ତି। ପିଆଜ ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ମୁଁ ମହାରାଷ୍ଟ୍ରରୁ ଆସିଛି। ଯେଉଁଠାରେ ପିଆଜ ଉତ୍ପାଦନ ହୋଇଥାଏ। ତେଣୁ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହିଁବି ପିଆଜ ଉତ୍ପାଦନ କଣ ପାଇଁ ହ୍ରାସ ହେଲା। ଛୋଟ କୃଷକମାନେ ପିଆଜ ଉତ୍ପାଦନ କରୁଛନ୍ତି। ଏହାକୁ ସଂରକ୍ଷଣ କରିବାକୁ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ସେ କହିଥିଲେ |