32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପତଞ୍ଜଳି ଆୟୁର୍ବେଦ କମ୍ପାନୀକୁ ସୁପ୍ରିମ୍‌କୋର୍ଟ ଛାଟ; ପ୍ରତ୍ୟେକ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ୧ କୋଟି ଜୋରିମାନା

ପତଞ୍ଜଳି ଆୟୁର୍ବେଦ କମ୍ପାନୀକୁ ସୁପ୍ରିମ୍‌କୋର୍ଟ ଛାଟ; ପ୍ରତ୍ୟେକ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ୧ କୋଟି ଜୋରିମାନା

ନୂଆଦିଲ୍ଲୀ: ବାବା ରାମଦେବଙ୍କ ମାଲିକାନାରେ ପରିଚାଳିତ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ କମ୍ପାନୀକୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜୋର ଝଟ୍‌କା ଲାଗିଛି । ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ଔଷକ୍ଷ ବ୍ୟବହାର କଲେ, ବିଭିନ୍ନ ପ୍ରକାର ଦୂରାରୋଗ୍ୟ ରୋଗ ଭଲ ହୋଇଯିବ ବୋଲି ଯାହା ବିଜ୍ଞାପନରେ ଉଲ୍ଲେଖ କରାଯାଉଛି, ସେଥିନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ପତଞ୍ଜଳି କମ୍ପାନୀକୁ ଅର୍ଥଦଣ୍ଡର ଧମକ ମଧ୍ୟ ଦେଇଛନ୍ତି । ପତଞ୍ଜଳି ପକ୍ଷରୁ ଏଭଳି ବିଜ୍ଞାପନ ପ୍ରତିବାଦରେ ଆଇଏମଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ) ତରଫରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା ।

ମଙ୍ଗଳବାର ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଏଭଳି ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ପତଞ୍ଜଳି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ପ୍ରତ୍ୟେକ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯିବ ବୋଲି ଖଣ୍ଡପୀଠ ମୌଖିକଭାବେ କହିଛନ୍ତି । ସୂଚନାଯୋଗ୍ୟ କରୋନା ଟିକାକରଣ ଏବଂ ଭେଷଜ ଔଷଧକୁ ନେଇ ବାବା ରାମଦେବ ଆପତ୍ତିଜନକ ମନ୍ତବ୍ୟ ଦେବାପରେ ୨୦୨୨ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌କୁ ନୋଟିସ ଜାରି କରାଯାଇଥିଲା । ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ ଆଧୁନିକ ଭେଷଜ ଔଷଧକୁ ନିମ୍ନମାନର ଦର୍ଶାଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାରୁ ପତଞ୍ଜଳି କମ୍ପାନୀ ନିବୃତ ରହୁ । ନଚେତ୍ ଯଦି ପତଞ୍ଜଳିର କୌଣସି ଔଷଧ ବିଭାନ୍ତିକର ପ୍ରମାଣିତ ହୁଏ, ତେବେ ପ୍ରତି ବିଜ୍ଞାପନ ପିଛା ୧ କୋଟି ଟଙ୍କାର ଅର୍ଥଦଣ୍ଡ ଲାଗୁ କରାଯିବ ବୋଲି ଖଣ୍ଡପୀଠ ପରୋକ୍ଷରେ ଚେତାବନୀ ଦେଇଛନ୍ତି ।

୨୦୧୪ ଫେବୃଆରୀ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଏଲୋପ୍ୟଥି ମେଡିସିନ୍ ଏବଂ ଏଲୋପ୍ୟାଥି ଡାକ୍ତରଙ୍କୁ ସମାଲୋଚନା କରୁଥିବାରୁ ଖଣ୍ଡପୀଠ ବାବା ରାମଦେବଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ଯୋଗଗୁରୁ ଭାବେ ଦେଶବିଦେଶରେ ରାମଦେବଙ୍କର ବିଶେଷ ଖ୍ୟାତି ରହିଥିବାବେଳେ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିବାର ଅଧିକାର ତାଙ୍କ ନିକଟରେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ପତଞ୍ଜଳି ପକ୍ଷରୁ ପ୍ରକାଶିତ ହୋଇଆସୁଥିବା ବିଜ୍ଞାପନରେ ଏଲୋପ୍ୟାଥି ଡାକ୍ତରଙ୍କୁ ରୋଗୀଙ୍କ ହତ୍ୟାକାରୀଭାବେ ଚିତ୍ରଣ କରାଯାଉଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking