28.1 C
Bhubaneswar
Saturday, July 27, 2024
Homeଓଡିଶାଇରାକ୍‌ରେ ବିଶ୍ୱର ବୃହତ୍ତମ କବରସ୍ଥଳୀ; ଏପର୍ଯ୍ୟନ୍ତ ପୋତା ହେଲାଣି ୬୦ ଲକ୍ଷ ମୃତଦେହ

ଇରାକ୍‌ରେ ବିଶ୍ୱର ବୃହତ୍ତମ କବରସ୍ଥଳୀ; ଏପର୍ଯ୍ୟନ୍ତ ପୋତା ହେଲାଣି ୬୦ ଲକ୍ଷ ମୃତଦେହ

ବାଗ୍‌ଦାଦ: ଇରାକ୍‌ର ପବିତ୍ର ଧର୍ମନଗରୀ କୁହାଯାଉଥିବା ନଜାଫ୍ ସହରରେ ରହିଛି ବିଶ୍ୱର ବୃହତ୍ତମ କବରସ୍ଥଳୀ । ଜାତିସଂଘ ସଂସ୍ଥା ୟୁନେସ୍କୋ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ଏହି କବରସ୍ଥଳୀ ‘ୱାଦି ଅଲ୍‌-ସଲାମ’ ଅର୍ଥାତ୍ ଶାନ୍ତିର ଉପତ୍ୟକାଭାବେ ପ୍ରସିଦ୍ଧି ଅର୍ଜନ କରିଛି । ଏହି କବରସ୍ଥଳୀ ନଜାଫ୍ ସହରର ୧୩ ପ୍ରତିଶତ ଜାଗା ମାଡିବସିଛି । ଏଠାରେ ମହାପୁରୁଷଙ୍କଠାରୁ ଆରମ୍ଭ କରି ସୁଲତାନ୍‌, ବୈଜ୍ଞାନିକ, ରାଜ ପରିବାର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ କବର ଦିଆଯାଇଛି । ଏପରିକି ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ୍ ମହମ୍ମଦଙ୍କ ଜ୍ୱାଇଁ ଇମାମ ଅଲ୍ଲୀ ଇବନ୍ ଆବି ତାଲିବ୍‌ଙ୍କୁ ମଧ୍ୟ ଏଠାରେ କବର ଦିଆଯାଇଥିବାର ଶୁଣିବାକୁ ମିଳିଥାଏ । ଦୈନନ୍ଦିନ ଶତାଧିକ ମୃତଦେହ କବର ଦିଆଯାଉଥିବାରୁ କବରସ୍ଥଳୀର ପରିସୀମା ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୨୧ରେ ରଏଟର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ କବର ଦେବାର ଖର୍ଚ୍ଚ ମଧ୍ୟ ଦ୍ୱିଗୁଣିତ ହେବାରେ ଲାଗିଛି । ଆକାଶମାର୍ଗରୁ ଲକ୍ଷ୍ୟ କଲେ, ଏହି ସ୍ଥାନଟି ଏକ ସହରର ଭ୍ରମ ସୃଷ୍ଟି କରିଥାଏ ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇରାକ୍ ବୁଲିଆସୁଥିବା ମୁସଲମାନ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୟୁନେସ୍କା ସୂଚନା ଅନୁଯାୟୀ ମଧ୍ୟଯୁଗରୁ ଏଠାରେ ଲୋକଙ୍କୁ କବର ଦିଆଯାଉଛି । କବରସ୍ଥଳୀରେ ବିଭିନ୍ନ କ୍ୟାଟେଗୋରୀ ପାଇଁ ବ୍ୟବସ୍ଥା ରହିଛି । ଅଳ୍ପ ଅର୍ଥ ଖର୍ଚ୍ଚ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କମ ଉଚ୍ଚତାର କବର ନିର୍ମାଣ କରାଯାଉଥିବାବେଳେ ଅଧିକ ଅର୍ଥ ଦେଉଥିବା ବ୍ୟକ୍ତି ସୁଉଚ୍ଚ କବର ନିର୍ମାଣର ସୁଯୋଗ ପାଇଥାନ୍ତି । କେବଳ କବରସ୍ଥଳୀ ନୁହେଁ, ଏହି ସ୍ଥାନଟି ସାଂସ୍କୃତିକ ପରମ୍ପରାର ପ୍ରତୀକ ବୋଲି ମଧ୍ୟ ବିବେଚିତ ହୋଇଆସୁଛି । ବିଶ୍ୱର ବିଭିନ୍ନ ସ୍ଥାନରେ ବାସ କରୁଥିବା ସିହା ସଂପ୍ରଦାୟର ବ୍ୟକ୍ତିମାନେ ଏଠାରେ ନିଜର ଆତ୍ମୀୟ ସ୍ୱଜନଙ୍କୁ କବର ଦେବାକୁ ଅଧିକ ପସନ୍ଦ କରିଥାନ୍ତି ବୋଲି ଅଲ୍‌-ଜଜିରା ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ଏଠାରେ ପ୍ରାୟ ୫୦ ହଜାର ମୃତଦେହକୁ କବର ଦିଆଯାଇଥାଏ ।

ସମ୍ବାଦ ସରବରାହ ସଂସ୍ଥା ଏଏଫ୍‌ପି ରିପୋର୍ଟ ଅନୁଯାୟୀ ଏଠାରେ ପ୍ରତ୍ୟେକ କବର ଖୋଳିବାକୁ ୧୦୦ ଡଲାର ଏବଂ ତାହା ଉପରେ ସୌଧ ନିର୍ମାଣ କରିବାକୁ ୨୦୦ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । ୯୧୭ ହେକ୍ଟର ଜମି ଉପରେ ଅବସ୍ଥିତ ଏହି କବରସ୍ଥଳୀର ଆୟତନ ୧୭୦୦ ଫୁଟ୍‌ବଲ ପଡିଆର ଆୟତନ ସହ ସମାନ ବୋଲି କୁହାଯାଇଛି । ତେବେ କବରସ୍ଥଳୀ ପରିଦର୍ଶନ କରୁଥିବା ପର୍ଯ୍ୟଟକମାନେ ବହୁ ସମୟରେ ପଥଭ୍ରଷ୍ଟ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି । ସେମାନଙ୍କର ମାର୍ଗଦର୍ଶନ ପାଇଁ ସେଠାରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ମଧ୍ୟ ଏହାକୁ ବିଶ୍ୱର ବୃହତ୍ତମ କବରସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking