32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଗୁରଜିନ୍ଦରଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ : ପୋଲିସ କ୍ଷମତାସୀନ ଦଳର ପକ୍ଷନେବା ଦୁର୍ଭାଗ୍ୟଜନକ

ଗୁରଜିନ୍ଦରଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ : ପୋଲିସ କ୍ଷମତାସୀନ ଦଳର ପକ୍ଷନେବା ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: କୌଣସି ମାମଲାର ତଦନ୍ତ କରୁଥିବାବେଳେ ପୁଲିସ କ୍ଷମତାସୀନ ଦଳର ପକ୍ଷ ନେଉଥିବାରୁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପୁଲିସର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗୁରୁବାର ଛତିଶଗଡ କ୍ୟାଡରର ବରିଷ୍ଠ ଆଇପିଏସ ଅଫିସର ଗୁରଜିନ୍ଦର ପାଲ ସିଂହଙ୍କ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । କୌଣସି ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଲେ ଆଇଏଏସ, ଆଇପିଏସ ଅଫିସରଙ୍କୁ ଟାର୍ଗେଟ କରାଯାଇ ଯେଭଳି ହଇରାଣ କରାଯାଉଛି, ତାହା ଖରାପ ଧାରା ସୃଷ୍ଟି କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗୁରଜିନ୍ଦର ହେଉଛନ୍ତି ୧୯୯୪ ବ୍ୟାଚ ଛତିଶଗଡ଼ କ୍ୟାଡର ଆଇପିଏସ ଅଫିସର । ପୂର୍ବରୁ ସେ ରାୟପୁର, ଦୁର୍ଗ ଓ ବତଳାସପୁର ଜୋନ୍ ଆଇଜି ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିସାରିଛନ୍ତି । ତେବେ  ୨୦୧୮ ଡିସେମ୍ବରରେ ବିଜେପିକୁ ହରାଇ ଛତିଶଗଡରେ କଂଗ୍ରେସ ସରକାର କ୍ଷମତା ଅକ୍ତିଆର କରିବାପରେ ନୂଆ ସରକାର ଗୁରଜିନ୍ଦରଙ୍କୁ ଟାର୍ଗେଟ କରିଛନ୍ତି ।

ତାଙ୍କ ବିରୋଧରେ ଦୁଇଟି ଦେଶଦ୍ରୋହ ମାମଲା ରୁଜୁ ବ୍ୟତୀତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ମଧ୍ୟ ରୁଜୁ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗୁରଜିନ୍ଦରଙ୍କ ବାସଭବନ ଉପରେ ଚଢଉ କରାଯାଇଛି । ତାଙ୍କ ବିରୋଧରେ ସରକାର ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିବା ଅଭିଯୋଗ ମଧ୍ୟ ଆଗତ କରାଯାଇଛି ।  ଅତିରିକ୍ତ ଡିଜି ଦାୟିତ୍ୱ ତୁଲାଉଥିବା ଜଣେ ବରିଷ୍ଠ ଅଫିସରଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ୍‌ର ଧାରା ୧୨୪(କ) ଅନୁଯାୟୀ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଲଜ୍ଜାଜନକ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି । ଯେତେବେଳେ କୌଣସି ନୂଆ ସରକାର କ୍ଷମତାକୁ ଆସୁଛନ୍ତି, ରାଜ୍ୟ ପୁଲିସ କ୍ଷମତାସୀନ ଦଳକୁ ସମର୍ଥନ କରୁଛି । ଏହି ଧାରାକୁ ବନ୍ଦ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

୨୦୧୮ରେ କଂଗ୍ରେସ କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କୁଆଡେ ସଂପୃକ୍ତ ଆଇପିଏସ ଅଫିସର ଗୁରଜିନ୍ଦରଙ୍କୁ ଡାକି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଅମାନ୍ୟ କରିବାପରେ ଗୁରଜିନ୍ଦର ରାଜ୍ୟ ସରକାରଙ୍କ ଚକ୍ଷୁଶୀଳ ହୋଇପଡିଛନ୍ତି । ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ତାଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି । ଛତିଶଗଡ଼ ହାଇକୋର୍ଟରେ ନିରାଶ ହେବାପରେ ଗୁରଜିନ୍ଦର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ ସଂପୃକ୍ତ ଆଇପିଏସ ଅଫିସରଙ୍କୁ ଗିରଫଦାରୀରୁ ରିଆତି ଦେଇଥିବାବେଳେ କ୍ଷମତାସୀନ ଦଳ ପ୍ରତି ପୁଲିସର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ଗୁରଜିନ୍ଦରଙ୍କ ପକ୍ଷରୁ ଫଲି ନରିମାନ ଓ ଛତିଶଗଡ ସରକାରଙ୍କ ପକ୍ଷରୁ ମୁକୁଲ ରୋହତଗୀ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking