30.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟରେ ବଢ଼ିଛି ଆତ୍ମହତ୍ୟା : ପ୍ରେମ ସମ୍ପର୍କରେ ୧୧୧,ପରକୀୟାପ୍ରୀତିରୁ ୩୭, ଯୌତୁକ କାରଣରୁ ୪୯

ରାଜ୍ୟରେ ବଢ଼ିଛି ଆତ୍ମହତ୍ୟା : ପ୍ରେମ ସମ୍ପର୍କରେ ୧୧୧,ପରକୀୟାପ୍ରୀତିରୁ ୩୭, ଯୌତୁକ କାରଣରୁ ୪୯

ଭୁବନେଶ୍ୱର:  ମଣିଷ ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରେ । ଟିକେ ଖୁସିରେ ରହିବାପାଇଁ ଅନବରତ ଚେଷ୍ଟା କରୁଥାଏ । ହେଲେ ପରିସ୍ଥିତି ମଣିଷକୁ ବେଳେବେଳେ ଅବାଟକୁ ନେଇଯାଏ । ମାନସିକ ଦୁଶ୍ଚିନ୍ତାରେ ପଡ଼ି ଶେଷରେ ଜୀବନର ମୋହ ଛାଡ଼ି ଆତ୍ମହତ୍ୟାର ବାଟ ବାଛିବାକୁ ବାଧ୍ୟ ହୁଏ । ଏମିତି କିଛି କାରଣରୁ ରାଜ୍ୟରେ ପ୍ରତିବର୍ଷ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ବର୍ଷ ୨୦୨୦ରେ ରାଜ୍ୟରେ ୫ହଜାର ୫୪୬ଜଣ ଆତ୍ମହତ୍ୟା କରିଛନ୍ତି । ଏହି ସଂଖ୍ୟା ୨୦୧୯ବର୍ଷ ଠାରୁ ୨୧ପ୍ରତିଶତ ଅଧିକ । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ରାଜ୍ୟରେ ଋଣ ସୁଝିନପାରିବାରୁ ୨୬ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ବୈବାହିକ ସମ୍ପର୍କରେ ତିକ୍ତତା କାରଣରୁ ୨୫୦ଜଣ, ପ୍ରେମସମ୍ପର୍କରେ ସମସ୍ୟା କାରଣରୁ ୧୧୧ଜଣ, ଯୌତୁକ ନିର୍ଯାତନା କାରଣରୁ ୪୯ଜଣ, ପରକୀୟାପ୍ରୀତିକୁ ନେଇ ୩୭ଜଣ, ବିବାହ ଛାଡ଼ପତ୍ରରୁ ୨ଜଣ, ପରୀକ୍ଷାରେ ଫେଲ୍ ହେବାରୁ ୧୭ଜଣ, ପାରିବାରିକ ସମସ୍ୟାରୁ ୪୫୦୬ଜଣ, ରୋଗର ଯନ୍ତ୍ରଣା ସହିନପାରିବାରୁ ୭୮ଜଣ ଆତ୍ମହତ୍ୟା କରିଛନ୍ତି ।

ଗତ ୫ବର୍ଷର ତଥ୍ୟକୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ ୨୦୨୦ରେ ଆତ୍ମହତ୍ୟା ହାର ରାଜ୍ୟରେ ଅହେତୁକ ବୃଦ୍ଧିପାଇଛି । ୨୦୧୬ରେ ରାଜ୍ୟରେ ୩୯୦୪ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୭ରେ ୪୪୯୩ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ୨୦୧୮ରେ ୪୫୯୨ଜଣ, ୨୦୧୯ରେ ୪୫୮୨ଜଣ ଏବଂ ୨୦୨୦ରେ ୫୫୪୬(ପୁରୁଷ-୩୯୦, ମହିଳା-୧୬୩୭)ଜଣ ଆତ୍ମହତ୍ୟା କରିଛନ୍ତି । ତେବେ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି । ସମଗ୍ର ଦେଶରେ ୨୦୨୦ରେ ୧ଲକ୍ଷ ୫୩ହଜାର ୫୨ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

କମିଛି ସଡ଼କ ଦୁର୍ଘଟଣା
ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା ସଂଖ୍ୟା ହ୍ରାସପାଉଛି । ଲୋକମାନେ ହେଲ୍‌ମେଟ ପିନ୍ଧିବା ସହ ଟ୍ରାଫିକ୍ ନିୟମ ଅନୁପାଳନ କରୁଛନ୍ତି । ଟ୍ରାଫିକ୍ ନିୟମ କଡ଼ାକଡ଼ି ଓ ସଚେତନତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ରାଜ୍ୟରେ ୨୦୧୯ ମସିହାରେ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୩୩୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୨୦ରେ ୯୮୧୭ଟି ସଡ଼କ ଦୁର୍ଘଟଣା ସମ୍ପର୍କିତ କେସ୍ ହୋଇଥିବାବେଳେ ୪୭୩୮ଜଣଙ୍କ ମୃତ୍ୟୁଘଟିଛି ।

ତେବେ ୨୦୨୦ ମସିହାର ଦୁର୍ଘଟଣା ସଂଖ୍ୟାକୁ ପୂର୍ବବର୍ଷ ସହ ତୁଳନା କଲେ ଏହା କମିଥିବା ଜଣାପଡ଼ିଛି । ଏହିବର୍ଷ ଟ୍ରକ୍ ଧକ୍କାରେ ୩୫୫ଜଣ, ବସ୍ ଧକ୍କାରେ ୯୩ଜଣ, ଏସ୍‌ୟୁଭି ଟ୍ରକ୍ ଧକ୍କାରେ ୭୫ଜଣ, କାର୍ ଧକ୍କାରେ ୩୯୨ଜଣ, ଜିପ୍ ଧକ୍କାରେ ୨୫, ଟ୍ରାକ୍ଟର ଧକ୍କାରେ ୨୯ଜଣ, ଅଟୋ ଧକ୍କାରେ ୧୫୯, ବାଇକ୍ ଧକ୍କାରେ ୨୩୯୧, ଅନ୍ୟାନ୍ୟ ମୋଟରଯାନ ଧକ୍କାରେ ୧୫୪, ୧୪୬ଜଣ ସାଇକେଲଧାରୀ, ୧୮ଜଣ ରିକ୍ସାଧାରୀଙ୍କ ମୃତ୍ୟୁ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking