ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ସ୍ଥିତ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରଠାରେ ଚାଲିଥିବା ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍ର ମହିଳା ବିଭାଗୀୟ ପ୍ରତିଯୋଗିତା ଆଜି ଶେଷ ହୋଇଛି। ଅନ୍ତିମ ଦିନରେ ରୋମାଞ୍ଚକର ଖେଳ ପ୍ରଦର୍ଶନ ସହ ଏହି ଜାତୀୟ ସ୍ତରର ପ୍ରତିଯୋଗିତା ସମ୍ପନ୍ନ ହୋଇଛି।ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୩୬ ଓଲିମ୍ପିକ୍ସ ଭାରତରେ ଆୟୋଜନ ହେବାର ଦୃଢ଼ ଆଶା ପ୍ରକଟ କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତ୍ତମାନର ଜିମ୍ନାଷ୍ଟିକ ଚାମ୍ପିୟନସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ‘ଲଞ୍ଚପ୍ୟାଡ୍’ ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରକୁ ସମଗ୍ର ଦେଶ ପାଇଁ ଏକ ‘ଓଲିମ୍ପିକ ଟ୍ରେନିଂ ସେଣ୍ଟର’ ଭାବେ ଗଢ଼ିତୋଳିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କ୍ରୀଡ଼ାବିତମାନେ ଆଗାମୀ ଓଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ପ୍ରସ୍ତୁତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଶେଷରେ, କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ କହିଥିଲେ ଯେ ଓଡ଼ିଶାର ପାଇକ ବିଦ୍ରୋହ ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ ଥିଲା ଏବଂ ପାଇକମାନଙ୍କ ବ୍ୟାୟାମ ଆଜିର ଜିମ୍ନାଷ୍ଟିକ୍ସ ସହ ସମାନ। ସେ ପୁରୀର ଜଗାଘର ସଂସ୍କୃତିର ଗୁରୁତ୍ୱ କଥା ଉଲ୍ଲେଖ କରି ସେଗୁଡ଼ିକୁ ପରିଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ଜାତୀୟ କୋଚ୍ ରାକେଶ ପାତ୍ରଙ୍କ ସଫଳତାକୁ ଉଦାହରଣ ଭାବେ ଦେଇ କ୍ରୀଡ଼ାରେ ଓଡ଼ିଶାର ଅବଦାନ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ଖେଲୋ ଇଣ୍ଡିଆ’ ଓ ‘ଟପ୍ସ’ ଯୋଜନା ମାଧ୍ୟମରେ କ୍ରୀଡ଼ାର ବିକାଶ ହେଉଥିବା କହିଥିଲେ। ସେ ଯୁବ ଖେଳାଳିମାନଙ୍କୁ ୨୦୩୬ ଓଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୋଇ ଦେଶ ପାଇଁ ପଦକ ଜିତିବାକୁ ପ୍ରେରଣା ଦେଇଥିଲେ।
ସିନିୟର ମହିଳା ବର୍ଗର ଫଳାଫଳ:
ବ୍ୟାଲାନ୍ସିଂ ବିମ୍ :
🥇 ନିରଞ୍ଜନା ପୁନିଆ (ହରିୟାଣା) – ସ୍ୱର୍ଣ୍ଣ
🥈 ଅନୁଷ୍କା ପାଟିଲ (ମହାରାଷ୍ଟ୍ର) – ରୌପ୍ୟ
🥉 ପ୍ରିୟାଂଶୀ ବଂଶଲ (ଓଡ଼ିଶା) – କାଂସ୍ୟ
ଫ୍ଲୋର୍ ଏକ୍ସରସାଇଜ୍ (Floor Exercise):
🥇 କରିଷ୍ମା (ରେଳବାଇ – RSPB) – ସ୍ୱର୍ଣ୍ଣ
🥈 ଅଶ୍ମୀ ଦେବନାଥ (ପଶ୍ଚିମବଙ୍ଗ) – ରୌପ୍ୟ
🥉 ଇଷିତା ରେୱାଲେ (ମହାରାଷ୍ଟ୍ର) – କାଂସ୍ୟ
ଭଲ୍ଟ (Vault):
🥇 ଇଷିତା ରେୱାଲେ (ମହାରାଷ୍ଟ୍ର) – ସ୍ୱର୍ଣ୍ଣ
🥈 ପିୟାସା କୁଣ୍ଡୁ (ରେଳବାଇ – RSPB) – ରୌପ୍ୟ
🥉 ସୌମିଲି କରାର (ପଶ୍ଚିମବଙ୍ଗ) – କାଂସ୍ୟ
ଅନଇଭେନ୍ ବାର୍ସ (Uneven Bars):
🥇 ତନ୍ନୁ (ଓଡ଼ିଶା) – ସ୍ୱର୍ଣ୍ଣ
🥈 ଦିଆ ଠାକୋର (ଗୁଜରାଟ) – ରୌପ୍ୟ
🥉 ଅମାନି ଦିଲଶାଦ (କେରଳ) – କାଂସ୍ୟ
ଜୁନିୟର ମହିଳା ବର୍ଗର ଫଳାଫଳ:
ବ୍ୟାଲାନ୍ସିଂ ବିମ୍: ଅନୁସୁଆ ହାଓଲାଦର (ପଶ୍ଚିମବଙ୍ଗ) – ସ୍ୱର୍ଣ୍ଣ
ଫ୍ଲୋର୍ ଏକ୍ସରସାଇଜ୍: ଶ୍ରୀପର୍ଣ୍ଣା ଦେବନାଥ (ତ୍ରିପୁରା) – ସ୍ୱର୍ଣ୍ଣ
ଭଲ୍ଟ: ବୈଷ୍ଣବୀ ବ୍ୟାସ (ତେଲେଙ୍ଗାନା) – ସ୍ୱର୍ଣ୍ଣ
ଅନଇଭେନ୍ ବାର୍ସ: ପାରୋମିତା ବେରା (ପଶ୍ଚିମବଙ୍ଗ) – ସ୍ୱର୍ଣ୍ଣ
(ତ୍ରିପୁରାର ଶ୍ରେୟାଂଶୀ ରାୟ ଏକାଧିକ ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି)
ଅତିଥି ଓ ସମ୍ମାନ:
ଉଦ୍ଯାପନୀ ଦିବସରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ବିଶିଷ୍ଟ ଜିମ୍ନାଷ୍ଟ ପଦ୍ମଶ୍ରୀ ଦୀପା କର୍ମକାର ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବିଶ୍ୱେଶ୍ୱର ନନ୍ଦୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ସଫଳ ଆୟୋଜନ ପୁଣିଥରେ ପ୍ରମାଣିତ କରିଛି ଯେ, ଓଡ଼ିଶା ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ ଏବଂ ଜିମ୍ନାଷ୍ଟିକ୍ସ ଭଳି ଖେଳକୁ ପ୍ରୋତ୍ସାହନ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି।










