31.1 C
Bhubaneswar
Thursday, April 16, 2026
Homeଓଡିଶାବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ: ଅନୁସୂଚିତ ଜାତି ଆୟୋଗଙ୍କ ତରଫରୁ ତତ୍କାଳ ହସ୍ତକ୍ଷେପ ପାଇଁ...

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ: ଅନୁସୂଚିତ ଜାତି ଆୟୋଗଙ୍କ ତରଫରୁ ତତ୍କାଳ ହସ୍ତକ୍ଷେପ ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଅଧୀନ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ୧୨ ବର୍ଷୀୟ ଆଦିବାସୀ ଛାତ୍ରୀ କୁମାରୀ ରୂପାଲୀ ବେସ୍ରାଙ୍କ ଦୁଃଖଦ ମୃତୁ୍ୟ ଏବଂ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜୁ ଜନତା ଦଳ ।ଘଟଣା ଅନୁଯାୟୀ ୧୨ ଏପ୍ରିଲରେ କାକବନ୍ଧ ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବାସି ଖାଦ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା, ଯାହା ଖାଦ୍ୟ ସୁରକ୍ଷା ମାନଦଣ୍ଡର ଗୁରୁତର ଉଲ୍ଲଙ୍ଘନ ଓ ପ୍ରଶାସନର ଚରମ ଅବହେଳାକୁ ପ୍ରକାଶ କରିଛି । ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଚାଲୁଥିବା ଏହି ଆବାସିକ ସଂସ୍ଥାନରେ ନିର୍ଦ୍ଧାରିତ ପୋଷଣ ମାନଦଣ୍ଡ ଅନୁଯାୟୀ ତାଜା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବାକୁ ପ୍ରାବଧାନ ରହିଛି । କିନ୍ତୁ ବଳକା ଖାଦ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯାଇ ଥିବାରୁ ଏପରି ଗୁରୁତର ଅସୁସ୍ଥତା ସୃଷ୍ଟି ହୋଇଛି । ଏହି ଖାଦ୍ୟ ଖାଇ କୁମାରୀ ରୂପାଲୀ ବେସ୍ରା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ, ଅନ୍ୟାନ୍ୟ ଅସୁସ୍ଥ ଛାତ୍ରଛାତ୍ରୀ ଏବେ ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି, ଯାହା ଘଟଣାର ଗୁରୁତ୍ୱକୁ ପ୍ରକାଶ କରୁଛି ।ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଯଥେଷ୍ଟ କ୍ଷତିପୂରଣ ଦେବା ସହ ମୃତକଙ୍କ ପରିବାରବର୍ଗର ଏକ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଦାବି କରିଛି ବିଜୁ ଜନତା ଦଳ । ସମସ୍ତ ଆଶ୍ରମ ସ୍କୁଲରେ ଖାଦ୍ୟ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରାଯାଉ । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ଓ ପୁନର୍ବାସନ ବ୍ୟବସ୍ଥା କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଏହା ସହିତ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରି ଘଟଣାସ୍ଥଳରେ ପରିସ୍ଥିତିର ସମୀକ୍ଷା କରିବାକୁ ଦଳ ଅନୁରୋଧ କରିଛି ।

ଅଧ୍ୟକ୍ଷ୍ୟଙ୍କ ଗସ୍ତ ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପରିବାରବର୍ଗଙ୍କ ମନରେଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆଦିବାସୀ ସମୁଦାୟର ଅଧିକାର ସୁରକ୍ଷା ପ୍ରତି ଆଶାକୁ ସୁଦୃଢ କରିବ ।ଏହି ହୃଦୟବିଦାରକ ଘଟଣାକୁ ବର୍ଣ୍ଣନା କରି ଦଳ ଉଲ୍ଲେଖ କରିଛି ଯେ, ଆଦିବାସୀ ଶିଶୁମାନଙ୍କ ଜୀବନ ଓ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସେମାନଙ୍କୁ ସୁରକ୍ଷିତ ରଖିବା ନିତାନ୍ତ ଆବଶ୍ୟକ । ଏହି ସ୍ମାରକପତ୍ର ପ୍ରଦାନରେ ବିଜେଡିର ବରିଷ୍ଠ ନେତାମାନେ ଯଥା ଶ୍ରୀ ସୁଦାମ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ସାନନ୍ଦ ମାରାଣ୍ଡି, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଶ୍ରୀ ରାଜକିଶୋର ଦାସ, ଶ୍ରୀମତୀ ଭାରତୀ ହାଁସଦା, ପ୍ରୀତିନନ୍ଦା କାନୁନ୍ଗୋ, ଡ଼ ଦେବାଶିଷ ମାରାଣ୍ଡି, ଶ୍ରୀ ଦେବାଶିଷ ମହାନ୍ତି, ଶ୍ରୀ ଗଣେଶ୍ୱର ପାତ୍ର, ଶ୍ରୀ ସୁନିଲ ନାୟକ, ଶ୍ରୀ ଜିତେନ୍ଦ୍ର ମହାନ୍ତି, ଶ୍ରୀ ସୁବ୍ରମଣିୟମ ମହାନ୍ତି, ସୀମା ଦାସ, ଶ୍ରୀ ଗଙ୍ଗାଧର ହେମ୍ୱ୍ରମ ଏବଂ ଶ୍ରୀ ଦୁଷ୍ମନ୍ତ ମହାନ୍ତ ସାମିଲ ଥିଲେ । ଏହି ଘଟଣାରେ ନ୍ୟାୟ ସୁନିଶ୍ଚିତ କରିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁସୂଚିତ ଜାତି ଆୟୋଗ ତକ୍ରାଳ ପଦକ୍ଷେପ ନେବାକୁ ବିଜୁ ଜନତା ଦଳ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking