22.1 C
Bhubaneswar
Wednesday, January 22, 2025
Homeଅପରାଧଗୁଜରାଟରେ ଘରୋଇ ହିଂସାର ବିଚିତ୍ର ମାମଲା; ୮ ବର୍ଷରେ ୭ ଥର ସ୍ୱାମୀଙ୍କୁ ଗିରଫ କରାଇଛନ୍ତି...

ଗୁଜରାଟରେ ଘରୋଇ ହିଂସାର ବିଚିତ୍ର ମାମଲା; ୮ ବର୍ଷରେ ୭ ଥର ସ୍ୱାମୀଙ୍କୁ ଗିରଫ କରାଇଛନ୍ତି ପତ୍ନୀ

ଅହମ୍ମଦାବାଦ: ଗୁଜରାଟର ମେହସାଣା ଜିଲ୍ଲାରେ ଘରୋଇ ହିଂସାର ଏକ ବିଚିତ୍ର ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ୮ ବର୍ଷ ମଧ୍ୟରେ ସ୍ୱାମୀଙ୍କୁ ମୋଟ ୭ ଥର ଗିରଫ କରାଇଛନ୍ତି ପତ୍ନୀ । ପ୍ରତ୍ୟେକ ଥର ଗିରଫ ହେବାପରେ ପତ୍ନୀଜଣକ ସ୍ୱାମୀଙ୍କୁ ଜାମିନରେ ମୁକୁଳାଇଥିବାର ପ୍ରମାଣ ମଧ୍ୟ ମିଳିଛି । ଜାତୀୟସ୍ତରର ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୦୧ ମସିହାରେ ବିବାହ କରିଥିବା ପ୍ରେମଚାନ୍ଦ ଓ ସୋନୁ ନାମକ ଦମ୍ପତି ମେହସାଣା ଜିଲ୍ଲା ଅନ୍ତର୍ଗତ କାଡି ସହରରେ ବାସ କରୁଛନ୍ତି । ତେବେ ୨୦୧୪ରୁ ସେମାନଙ୍କର ଦାମ୍ପତ୍ୟ ଜୀବନରେ କଳହର ସୂତ୍ରପାତ ହୋଇଥିଲା । ୨୦୧୫ରେ ସୋନୁ ପ୍ରଥମ ଥର ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ସୋନୁଙ୍କୁ ଭରଣପୋଷଣ ବାବଦରେ ମାସିକ ୨୦୦୦ ଟଙ୍କା ଦେବାକୁ ଅଦାଲତ ସେତେବେଳେ ପ୍ରେମଚାନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦିନ ମଜୁରିଆଭାବେ କାର୍ଯ୍ୟ କରୁଥିବା ପ୍ରେମଚାନ୍ଦ ଏହି ଅର୍ଥ ଦେବାରେ ବିଫଳ ହେବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା । ୫ ମାସ ଜେଲ୍‌ରେ ରହିବାପରେ ସୋନୁ ସ୍ୱାମୀଙ୍କୁ ଜାମିନରେ ଆଣିଥିଲେ ।

ଏହାପରଠାରୁ ପତି ପତ୍ନୀ ଅଲଗା ବାସ କରୁଥିଲେ ସୁଦ୍ଧା ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟ କଳି ଝଗଡା ଲାଗିରହୁଥିଲା । ସୋନୁଙ୍କ ଅଭିଯୋଗକୁ ଆଧାର କରି ପୁଲିସ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରେମଚାନ୍ଦଙ୍କୁ ଗିରଫ କରିଥିଲା । ପ୍ରତିଥର ସୋନୁ ନିଜ ହାତରୁ ପଇସା ଖର୍ଚ୍ଚକରି ସ୍ୱାମୀଙ୍କୁ ମୁକୁଳାଇଥିଲା । ଏହାସତ୍ତ୍ୱେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଦୌ ସ୍ୱାଭାବିକ ହୋଇପାରିନଥିଲା । ଜାମିନରେ ଆସିବାପରେ ପ୍ରେମଚାନ୍ଦ ପୁଣି ସୋନୁଙ୍କୁ ନିର୍ଯାତନା ଦେବା ଆରମ୍ଭ କରୁଥିଲେ । ଚଳିତବର୍ଷ ଭରଣ ପୋଷଣ ଅର୍ଥ ଦେଇପାରିନଥିବାରୁ ପ୍ରେମଚାନ୍ଦଙ୍କୁ ପୁଣି ପୁଲିସ ଗିରଫ କରିଥିଲା । ଜୁଲାଇ ୪ରେ ସୋନୁ ପୁଣି ସ୍ୱାମୀଙ୍କୁ ଜାମିନରେ ମୁକୁଳାଇଛନ୍ତି । ତେବେ ନିଜର ମନିପର୍ସ ଓ ମୋବାଇଲ ଗାଏବ ହେବାପରେ ପ୍ରେମଚାନ୍ଦ ସୋନୁଙ୍କୁ ସନ୍ଦେହ କରିଥିଲେ । ସୋନୁ ଏହାକୁ ଫାଙ୍କିବାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା ବୋଲି ପଡୋଶୀ କହିଛନ୍ତି । ଅତ୍ୟଧିକ ଭାରାକ୍ରାନ୍ତ ହୋଇପଡିଥିବା ପ୍ରେମଚାନ୍ଦ ମେହସାଣା ଛାଡି ପଟାନ୍‌ସ୍ଥିତ ନିଜ ମାଆଙ୍କ ନିକଟକୁ ଚାଲିଯାଇଥିବାବେଳେ ସୋନୁ ନିଜର ପୁଅ ସହ ପୁରୁଣା ଘରେ ରହୁଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking