29.1 C
Bhubaneswar
Friday, February 7, 2025
Homeଦେଶ ବିଦେଶବିବାହରେ ଏକ ଟଙ୍କା ନେଲେ ସୁନାପୁଅ

ବିବାହରେ ଏକ ଟଙ୍କା ନେଲେ ସୁନାପୁଅ

ନୂଆଦିଲ୍ଲୀ: କଥାରେ ଅଛି ଗୁପ୍ତ ରଖିବା ସଂପର୍କ ସବୁବେଳେ ସୁସ୍ଥ ରହିଥାଏ । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ସୁନାପୁଅ ନୀରଜ୍ ଚୋପ୍ରା ।  ସବୁବେଳେ ନିଜ କ୍ୟାରିୟର୍ , ଖେଳକୁ ନେଇ ଚର୍ଚ୍ଚାରେ ରହୁଥିବା ନୀରଜ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଜାନୁଆରୀ ୧୭ ତାରିଖରେ ହିମାନୀ ମୋର୍ ନାମକ ଯୁବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁନାପୁଅ ନୀରଜ୍ । ନିଜ ପ୍ରେମକୁ ନେଇ ଚର୍ଚ୍ଚିତ ହୋଇନଥିବା ନୀରଜ ଏବେ ସିଧା ବିବାହ କରି ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି । ସେ ନିଜ ବିବାହର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସ ଏବଂ ମିଡିଆକୁ ଏନେଇ ସୂଚନା ଦେଇଛନ୍ତି । ଟେନିସ୍ ଖେଳାଳୀ ହିମାନୀ ମୋରକୁ ସାତଜନ୍ମର ସାଥି କରିଥିବା ନୀରଜଙ୍କ ମା’ କୁହନ୍ତି , ଦୁଇ ପରିବାର ୭ ରୁ ୮ ବର୍ଷ ହେଲା ଭଲ ବନ୍ଧୁତ୍ବରେ ଥିଲେ ଏବଂ ଏହି ବନ୍ଧୁତ୍ବକୁ ସଂପର୍କର ସୂତାରେ ବାନ୍ଧିବାକୁ ଚିନ୍ତା କଲେ । ପରିବାରର ପସନ୍ଦରେ ଗ୍ରୀନ୍ ସିଗନାଲ୍ ଦେଖାଇଲେ ଉଭୟ ନୀରଜ୍ ଏବଂ ହିମାନୀ । ପ୍ରେମବିବାହ ନ ହୋଇଥିଲେ ହେଁ ଉଭୟ ବର-କନ୍ୟା ପୂର୍ବରୁ ହିଁ ପରସ୍ପରକୁ ଜାଣିଥିଲେ । ହରିୟାଣା ରୀତିନୀତିରେ ଉଭୟଙ୍କ ବିବାହ ହିମାଚଳରେ ହୋଇଥିଲା । ୨ ପରିବାର ଏବଂ ସଂପର୍କୀୟଙ୍କୁ ଛାଡ଼ି ଦେଲେ ବିବାହ ବିଷୟରେ ଆଉ କେହି ଜାଣିପାରିନଥିଲେ । ବାହାଘରକୁ ନେଇ ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କୁହନ୍ତି , ଉଭୟ ପରିବାର ବିବାହକୁ ଗୁପ୍ତ ରଖିବାକୁ ଚାହୁଁଥିଲେ । ବର ପରିବାର କନ୍ୟା ପରିବାରଙ୍କୁ ଆଗରୁ ହିଁ କହିଥିଲେ ଯେ ବିବାହ ବିନା ଯୌତୁକରେ ହିଁ ହେବ । କିନ୍ତୁ ରୀତିନୀତି ଅନୁସାରେ ସଗୁନ୍ ଅର୍ଥାତ୍ ଯୌତୁକ ପାଇଁ ନୀରଜ୍ କେବଳ ଏକଟଙ୍କା ଶ୍ବଶୁର ଘରୁ ନେଇଆସିଥିଲେ । ଏତେ ବଡ଼ ଷ୍ଟାର୍ ଜାଭଲିନ୍ ଥ୍ରୋଅର୍ ବିବାହରେ ଏକଟଙ୍କା ଯୌତୁକ ଆଣିବା ବିଷୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୋସିଆଲ୍ ମିଡିଆରେ ୟୁଜର୍ସ କହୁଛନ୍ତି , ନୀରଜଙ୍କ ପରି ଜ୍ବାଇଁ ପ୍ରତିଟି ଶାଶୂଶ୍ବଶୁରଙ୍କୁ ମିଳୁ । ଆଜିର ସମୟରେ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ , ଯୌତୁକରେ ଦାମୀ ଗାଡ଼ି , ନୋଟ୍ ର ଗଦି ନ ଦେଖିଲେ ବରପକ୍ଷଙ୍କ ଆତ୍ମସନ୍ତୋଷକୁ ଧକ୍କା ଲାଗୁଥିବା ବେଳେ ନୀରଜଙ୍କ ଏଭଳି ବଡ଼ପଣ ସମାଜକୁ ପ୍ରେରଣା ଯୋଗାଇବ ବୋଲି ଆଶା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking