ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍ରେ ଆଜିଠାରୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଦେଶବିଦେଶର ସାମ୍ବାଦିକ ଏବଂ ପ୍ରତିନିଧିମାନଙ୍କ ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଗୁଡି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏହି ଉପହାର ଜରିଆରେ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ଏକ ସୁନ୍ଦର ପ୍ରୟାସ କରାଯାଇଛି। ଗୁଡି ବ୍ୟାଗରେ ଓଡ଼ିଶାର ଆଦିବାସୀ ପାହାଡ଼ିଆ କଫି ରହିଛି । ଓଡ଼ିଶାର ଆଦିବାସୀ ଅଞ୍ଚଳରୁ ସଂଗୃହୀତ ୧୦୦ ପ୍ରତିଶତ ଆରାବିକା ସ୍ପେଶାଲିଟି କଫି ଏହି ହାମ୍ପରର ଶୋଭା ବଢ଼ାଉଛି । ଏହାର ସୁବାସ ଏବଂ ସ୍ବାଦ ବିଦେଶୀ ଅତିଥିମାନଙ୍କୁ ଭାରତୀୟ ସ୍ଥାନୀୟ ଉତ୍ପାଦର ଏକ ନିଆରା ଅନୁଭବ ଦେବ । ସେହିପରି ବିହାରର ପ୍ରସିଦ୍ଧ ସତୁ ବା ଛତୁଆ ମଧ୍ୟ ଏଥିରେ ସ୍ଥାନ ପାଇଛି । ପ୍ରୋଟିନ୍ରେ ଭରପୂର ଏହି ପାରମ୍ପରିକ ଖାଦ୍ୟକୁ ବିହାରର ଏକ ବଡ଼ ଗୁପ୍ତ ରତ୍ନ ଭାବେ ବର୍ଣ୍ଣନା କରାଯାଇଛି । ଆଗାମୀ ଦିନରେ ଏହା ବିଶ୍ୱବ୍ୟାପୀ ଏକ ‘ସୁପରଫୁଡ୍’ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ କଦଳୀ ଚିପ୍ସ ପରେ ଭାରତର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ ଭାବେ ପରିଚିତ ମଖାନା ଏଥିରେ ସାମିଲ ଅଛି ।










