ଛତିଶଗଡ଼: ଝିରମ ଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତ । ଆଜି (ବୁଧବାର) ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିଚାରପତି ଅଜୟ ସିଂହ ରାଜପୁତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ସମସ୍ତ ୧୦ ଦୋଷୀ ବର୍ତ୍ତମାନ ଜଗଦଲପୁର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଅଛନ୍ତି । ଦଣ୍ଡାଦେଶ ଶୁଣାଣି ସମୟରେ ଅଭିଯୁକ୍ତମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଅଦାଲତ ବାହାରେ ଉପସ୍ଥିତ ଥିଲେ । ବିଜାପୁର ଓ ଦାନ୍ତେୱାଡାରୁ ମଧ୍ୟ କିଛି ସମ୍ପର୍କୀୟ ଜଗଦଲପୁରରେ ପହଞ୍ଚିଥିଲେ ।ସ୍ୱତନ୍ତ୍ର ଅଦାଲତ ସେପ୍ଟେମ୍ବର ୫ ତାରିଖରେ ଦେଇଥିବା ରାୟରେ ପ୍ରମିଳା ମୋଡିୟାମ, ସୁମିତ୍ରା ପୁନେମ, ମୁକ୍କା ମାଣ୍ଡଭୀ, ମଡକାମୀ ଦେବା, କୋସା କାଭାସୀ, ଆୟତ ମରକାମ, ବଞ୍ଜାମୀ ସେନା, ଚୈତୁ ଲେକାମ, ଜୋଗା ମଡକାମୀ ଏବଂ ମହାଦେବ ନାଗାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେମାନଙ୍କୁ ୭ଟି ଧାରାରେ ଦୋଷୀ ଠାବ କରାଯାଇଥିଲା ।
ଘଟଣାଟି ୨୦୧୩ ମେ’ ୨୫ ତାରିଖରେ ଘଟିଥିଲା । କଂଗ୍ରେସର ‘ପରିବର୍ତ୍ତନ ଯାତ୍ରା’ ଉପରେ ଛତିଶଗଡ଼ ଦରଭା ଅଞ୍ଚଳର ଝିରମ ଘାଟିରେ ମାଓବାଦୀମାନେ ଘାତ ଲଗାଇ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତତ୍କାଳୀନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ତତ୍କାଳୀନ ପ୍ରଦେଶ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, ପୂର୍ବତନ ବିଧାୟକ ଉଦୟ ମୁଦଲିଆର ଓ ଯୋଗେନ୍ଦ୍ର ଶର୍ମାଙ୍କ ସମେତ ମୋଟ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା ।










