ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଓକାକ ଟେଣ୍ଡର ଦୁର୍ନୀତିରେ ସଂପୃକ୍ତ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇଟି ପ୍ରିନ୍ସପାଲ ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । କଳା ତାଲିକା ଭୁକ୍ତ ଠକ ଓ ଅସାଧୁ କମ୍ପାନୀକୁ କାମ ଦିଆଯାଇ ତାଙ୍କ ଠାରୁ କୋଟି କୋଟି ଲାଞ୍ଚ ନେବାପାଇଁ ମନ୍ତ୍ରୀ ମହାଲିଙ୍ଗ ଓ ଆଇଟି ପ୍ରିନ୍ସପାଲ ସଚିବ ବିଶାଳ ଦେବ ଷଡଯନ୍ତ୍ର କରିଛନ୍ତି । ଯେତେ ସବୁ ଠକ କମ୍ପାନୀ ସେହିମାନେ ବିଶାଳ ଦେବ ଓ ମନ୍ତ୍ରୀ ମହାଲିଙ୍ଗଙ୍କ ସହତ ଘନିଷ୍ଠ ସମ୍ପର୍କ ରଖି ବେଆଇନ ଭାବେ ଓକାକ ଟେଣ୍ଡର ଜିତି ଲାଭବାନ ହେଉଛନ୍ତି । ଓଡ଼ିଶାର ସ୍କୁଲ ଶିକ୍ଷା, ଆଦର୍ଶ ବିଦ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରଭୃତିରେ ଯଥାକ୍ରମେ ଏଆଇ କ୍ଲାସରୁମ, କମ୍ପ୍ୟୁଟର ଲ୍ୟାବ ଓ ଭିଡିଓ କନଫରେନ୍ସି ଇନଫ୍ରାଷ୍ଟ୍ରଚର କାମ ପାଇଁ ଭିନ୍ନ ଭିନ୍ନ ପ୍ରାୟ ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ବ୍ୟବସ୍ଥାର ଟେଣ୍ଡର ହୋଇସାରିଛି । ମନ୍ତ୍ରୀ ଓ ଆଇଟି ସଚିବ ହରିଲୁଟ କରିବାପାଇଁ ସଂପୂର୍ଣ୍ଣଭାବେ ଷଡଯନ୍ତ୍ର ପସ୍ତୁତ କରି ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ତଥା ଭୁବନେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏହି ଦୁର୍ନୀତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କହିଥିଲେ ଯେ – ସେଲକନ ଇମପେକ୍ସ ପ୍ରାଇଭେଟ ଲିମିଟେଡ ଓଡ଼ିଶାର ୫୩୭୦ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସ ରୁମ ପାଇଁ ଓକାକ ମାଧ୍ୟମରେ ୧୦୦୦ କୋଟି ଟଙ୍କାର ଟେଣ୍ଡରକରାଯାଇଛି । ଏହାର କାର୍ଯ୍ୟାନୟନ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୫ ବର୍ଷ ଅବଧି ରହିବ । ଯେଉଁ ସେଲକନ ଇମଫେକ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ କାର୍ଯ୍ୟଭାର ଦିଆଯାଇଛି ତାହା ଏକ ଦୁର୍ନୀତିଗସ୍ତ କମ୍ପାନୀ ଓ ତା ନାମରେ ନିଜର ଆର୍ଥିକ ସ୍ଥିତିକୁ ବଢ଼ାଚଡ଼ା କରି ଉପସ୍ଥାପନ କରିବାର ଅଭିଯୋଗ ରହିଛି । ଠକେଇ, ଜାଲିଆତି, ଆର୍ଥିକ ଅପରାଧ, ଭୟ ସୃଷ୍ଟିକାରି ଓ ଷଡଯନ୍ତ୍ର ଭଳି ମକଦ୍ଦମା ହାଇଦ୍ରାବାଦରେ ଏହି କମ୍ପାନୀ ନାମରେ ରହିଛି । ଓଡ଼ିଶା ହାଇକୋର୍ଟରେ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଦୁର୍ନୀତିପୂର୍ଣ୍ଣ ଦର୍ଶାଇ କେସ ହୋଇଛି । ଓଡ଼ିଶାରେ ସରକାରୀ ସ୍କୁଲମାନଙ୍କର ଚିତ୍ର ଅତି ବିକଳ । ପ୍ରାୟ ୫୦ ହଜାର ସ୍କୁଲରେ ଭୟଙ୍କର ଶିକ୍ଷକ ମରୁଡ଼ି ଥିବାବେଳେ ସ୍କୁଲର ଭିତ୍ତିଭୂମି ଅତି ଦୟନ ପରିସ୍ଥିତିରେ ଅଛି । ଡ୍ରପଆଉଟ ଦିନକୁ ଦିନ ବଢ଼ିଚାଲିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଉନାହାନ୍ତି । କମ୍ପ୍ୟୁଟର ଶିକ୍ଷକ ଅଭାବରୁ କମ୍ପ୍ୟୁଟର ଖତ ଖାଉଛି । ୨୦ ହଜାର ସ୍କୁଲରେ ଡ୍ରେକ୍ସ ବେଞ୍ଚ ନାହିଁ । ୧୫ ଶହ ସ୍କୁଲରେ ବିଜୁଳି ନାହିଁ । ଏଆଇ ଶିକ୍ଷକ ନାହାନ୍ତି । ୧୭୬୩ ସରକାରୀ ସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି । ଏଭଳି ପରିସ୍ଥିତିରେ ଏଆଇ କ୍ଲାସ ରୁମ ପାଇଁ ୧୦୦୦ କୋଟି ଖର୍ଚ୍ଚ କରିବା ପୁଣି ଏକ ଠକ କମ୍ପାନୀ ସେଲକନ ଇମଫେକ୍ସ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଯାହାକି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ବିଶ୍ୱାସଘାତକତା ଛଡ଼ା ଆଉ କିଛି ନୁହେଁ । ଆଇଏନପି ଟେକ୍ନୋଲୋଜିସ ଲିମିଟେଡଆଦର୍ଶ ବିଦ୍ୟାଳୟ ସଂଗଠନରେ ୧୨୮ ଟି କମ୍ପ୍ୟୁଟର ଲ୍ୟାବ ସ୍ଥାପନ ପାଇଁ ଆଇଏପି ଟେକ୍ନୋଲୋଜି ଲିମିଟେଡ ଓକାକ ମାଧ୍ୟମରେ ହାତେଇଛି ୭୦ କୋଟି ଟଙ୍କାର ଟେଣ୍ଡର । ଆଇଏନପି କମ୍ପାନୀ ନାମରେ ବିନା ଅନୁମତିରେ “ସବଜେକ୍ଟ ୱାର୍କସ” ବ୍ୟବହାର ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଥିନଭେଣ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ କେସ କରିଛନ୍ତି । ଅଭିଯୋଗକାରୀ କମ୍ପାନୀର ଇଂଜିନିୟରମାନେ ପରୀକ୍ଷା କରି ଦେଖିଛନ୍ତି ଯେ ଏଭଳି ଚୋରି କାର୍ଯ୍ୟ କରିଛି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି । ଏଣୁ ଆଇଏନପିର ଚୋରି ବାବଦରେ କେସ ଚାଲୁ ରହିଛି । ଅନ୍ୟପକ୍ଷରେ ଏହି ଆଇଏନପି କମ୍ପାନୀକୁ କାର୍ଯ୍ୟାଦେଶ ନଦେବା ପାଇଁ ୨୦୨୩ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ତତ୍କାଳନୀ ପ୍ରୋଜେକ୍ଟ ଡାଇରେକ୍ଟର ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା ୨୦୧୬/ଓଏଭିଏସ ଏକ ପତ୍ର ଲେଖିଥିଲେ ଯେ ସ୍ମାର୍ଟକ୍ଲାସ, ଆଇସିଟି ଲ୍ୟାବ, ସିସିଟିଭି ନେଟୱାକିଂ ପ୍ରଭୃତି ପାଇଁ ଆଇଏନପିକୁ କାର୍ଯ୍ୟାଦେଶ ନଦେବା ପାଇଁ । ହେଲେ ଏସବୁକୁ ବେଖାତିର କରି ଆଇଏପିକୁ ଦିଆଯାଇଛି କାର୍ଯ୍ୟାଦେଶ ।
ଓମିନିଲିଙ୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଓମିନିଲିଙ୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ସମସ୍ତ ପୌରାଞ୍ଚଳ କାର୍ଯ୍ୟାଳୟରେ ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗରେ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଭିଡିଓ କନଫରେସିଂ ଇନଫ୍ରାଷ୍ଟ୍ରଚର ସ୍ଥାପନ ପାଇଁ ୭୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ପ୍ରିଣ୍ଟ ଲିଙ୍କ ଏକ କଳା ତାଲିକାଭୁକ୍ତ ଠକ କମ୍ପାନୀଭାବେ ବଦନାମ ମୁଣ୍ଡାଇଲା ପରେ ଏହାର ନାମ ବଦଳାଇ ଏହି କମ୍ପାନୀର ନାମକୁ ଓମିନିଲିଙ୍କ ଭାବେ ନାମିତ କରାଯାଇଛି । ଭାରତ ସରକାରଙ୍କର ଟେଲି କମ୍ୟୁନିକେସନ ପକ୍ଷରୁ ପତ୍ର ସଂଖ୍ୟା ଟିସିଆଏଲ / ଡିଟି / ଟିସି / ଓସିଏସି -ଭିସି /୦୨/ ବ୍ୟାନିଂ ରେ ପ୍ରିଂଟଲିଙ୍କ କମ୍ପ୍ୟୁଟର ଆଣ୍ଡ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡକୁ ସଂପୂର୍ଣ୍ଣ ବ୍ୟବସାୟୀକ ଡିଲିଂ ବ୍ୟାନ କରାଯାଇଛି । ଏହି କମ୍ପାନୀ ଏକ କଳା ତାଲିକାଭୁକ୍ତ କମ୍ପାନୀ ହୋଇଥିଲେ ବି ଆଇଟି ମନ୍ତ୍ରୀ ଓ ଆଇଟି ସଚିବଙ୍କ ନିକଟରେ ଏହା ବିଶ୍ୱାସଭାଜନ ହୋଇପାରିଛି ।
ଇ ସ୍କୋୟାର ସିଷ୍ଟମ ଆଣ୍ଡ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ଭାବେ ଏକ ୱେସାଇଡ ଏବଂ ଏକ ଆପ ବା ପୋର୍ଟାଲ ରହିଛି । ଯେଉଁଥିରେ ହିତାଧିକାରୀମାନେ ଯୋଜନାରେ ଅର୍ନ୍ତଭୁକ୍ତ ହେବାପାଇଁ ଆବେଦନ କରିବା ସହ ଯୋଜନା ସମ୍ପର୍କିତ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଏହି ୱେବସାଇଡ ଆପକୁ ଇ ସ୍କୋୟାର ସିଷ୍ଟମ ଆଣ୍ଡ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ କମ୍ପାନୀ ପ୍ରସ୍ତୁତ କରୁଛି । ଏହି ୱେସାଇଡ ଅତ୍ୟନ୍ତ ଦୁର୍ବଳ ଏବଂ ଏହାଦ୍ୱାରା କାର୍ଯ୍ୟ ବହୁ ବାଧାପ୍ରାପ୍ତ ହେଉଛି । ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଧିରେନ୍ଦ୍ର କୁମାର ଖଣ୍ଡେଲୱାଲ । ଯାହାଙ୍କ ବିରୁଦ୍ଧରେ ୨୦୧୬ ମସିହାରେ ଚିଟଫଣ୍ଡ ଠକେଇ ମାମଲା ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଛି । କମ୍ପାନୀର ମାଲିକ ଏବେ ସୁଦ୍ଧା ବେଲରେ ଆସିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଓଡ଼ିଶା ସରକାରଙ୍କର ଇଓଡବ୍ଲୁର କେସ ଚାଲୁରହିଛି । ପ୍ରଶ୍ନ ଉଠିଛି ଜଣେ ଚିଟଫଣ୍ଡ ମାଫିଆଙ୍କୁ ବିଜେପି ସରକାରଙ୍କର ପ୍ରେମ କେତେ । ଅନ୍ୟପକ୍ଷରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ଧିରେନ୍ଦ୍ର କୁମାର ଖଣ୍ଡେଲୱାଲ ଘନିଷ୍ଠ ସମ୍ପର୍କର ଫଟୋ ଚିତ୍ର ଗଣମାଧ୍ୟମରେ ଘୁରି ବୁଲୁଛି । ସୁତରାଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇଟି ପ୍ରିନ୍ସପାଲ ସଚିବ ବିଶାଳ ଦେବ ଓକାକ ମାଧ୍ୟମରେ ଯେଉଁ ହରିଲୁଟର ଚକ୍ରାନ୍ତ କରୁଛନ୍ତି ତାହାର ବିଚାର ବିଭାଗୀୟ ତଦନ୍ତ ହେଉ ଏବଂ ଉପରୋକ୍ତ ଟେଣ୍ଡରଗୁଡ଼ିକ ତୁରନ୍ତ ବାତିଲ କରାଯାଉ । ଆବଶ୍ୟକତା ଦୃଷ୍ଟିରୁ ବିଶ୍ୱାସନୀୟତା ଥିବା କମ୍ପାନୀକୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରାଯାଉ । ଆଜିର କାର୍ଯ୍ୟକ୍ରମରେ ଆଲୋକ ଦାସ, ମହମ୍ମଦ ଗୁଲଫାମ, ଅଭିଜିତ ଜେନା, ବିରଞ୍ôଚ ବାରିକ, ବଟକୃଷ୍ଣ ରାଉତରାୟ, କାର୍ତ୍ତିକେଶ୍ୱର କାଣ୍ଡି, ଗଣେଶ ଦାସ, ବାବୁ ଜେନା, ସୁନିଲ ସାହୁ ଗାନ୍ଧୀ, ବଳରାମ ନନ୍ଦ, ରଣଜିତ ସେନାପତି, ଦିଲ୍ଲୀପ ସ୍ୱାଇଁ, ଚିତ୍ତରଞ୍ଜନ ନାୟକ, ସନ୍ଦୀପ ରାଉତରାୟ, ଚନ୍ଦନ ନାୟକ, ଜିନେଶ ତ୍ରିପାଠୀ, ବିଭୂତି ଭୂଷଣ ମହାନ୍ତି, ସଂଗ୍ରାମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।










