ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି, ସାଂଗଠନିକ ଜିଲ୍ଲା ଅଧ୍ୟକ୍ଷ ମାନେ ଯୋଗ ଦେଇ ଓଡ଼ିଶାର ଆଦିବାସୀଙ୍କର ବର୍ତ୍ତମାନର ରାଜନୈତିକ ସ୍ଥିତି, ସଂଗଠନ ଦୃଢିକରଣ ଏବଂ ଆଗାମୀ ରଣନୀତି ଉପରେ ଗଭୀର ଭାବରେ ଚର୍ଚ୍ଚା କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜମି ଆଉ ଜଙ୍ଗଲ ଉପରେ ଅଧିକାର ପାଇଁ ଲଢେ଼ଇ କରୁଥିବା ଆଦିବାସୀଙ୍କୁ ଏକତ୍ରିତ କରି ଦୁର୍ବାର ଜନ ଆନ୍ଦୋଳନ ଠିଆ କରିବା ନିମନ୍ତେ ଆଦିବାସୀ କଂଗ୍ରେସକୁ ଆହ୍ବାନ କରିଥିଲେ।
ଏହି କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ନିମ୍ନ ଲିଖିତ ପ୍ରସ୍ତାବ ପାରିତ କରାଗଲା :-
୧- ଆଦିବାସୀ କଂଗ୍ରେସର ଜିଲ୍ଲା ଓ ବ୍ଲକ କମିଟି ଆସନ୍ତା ଏକ ମାସ ମଧ୍ୟରେ ଗଠନ କରାଯିବ।
୨- ସଂଗଠନରେ ନେତୃତ୍ୱ ଗଠନ ଏବଂ ବୈଚାରିକ ଦୃଢତା ନିମନ୍ତେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।
୩- ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ଅନେକ ନିର୍ବାଚନରେ ମେଣ୍ଟ ହେଉଥିବାରୁ ମୟୃରଭଂଜ ଆଉ ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସର ନେତୃତ୍ୱ ଆଗେଇ ପାରୁନାହିଁ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତି ଆଉ ଆଦିବାସୀଙ୍କ ସମର୍ଥନ
କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ଭବିଷ୍ୟତରେ କେବେ ମେଣ୍ଟ ନ ହେଉ।
୪- ପେସା ସଠିକ୍ ଭାବରେ ଲାଗୁ କରାଯିବା ସହ ଏହାର ଅନୁପାଳନ ନିମନ୍ତେ ପରିପୂର୍ଣ୍ଣ ନିର୍ଦ୍ଦେଶାବଳୀ ଲାଗୁ କରାଇବା ପାଇଁ ଆଦିବାସୀ କଂଗ୍ରେସ ତୃଣମୂଳ ସ୍ତରରେ ଲଢେଇ କରିବ।
୫- ଜଙ୍ଗଲ ଅଧିକାର ଆଇନ-୨୦୦୫ ଅନୁପାଳନକୁ ଓଡିଶାରେ ସରକାର କ୍ରମାଗତ ଭାବରେ ଅବହେଳା କରାଯାଉଥିବାରୁ ଆଦିବାସୀ ମାନେ ଜମି ଉପରେ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏହା ଉପରେ ଆଦିବାସୀ କଂଗ୍ରେସ ତରଫରୁ ଆଗାମୀ ଦିନରେ ଜନସଚେତନତା କାର୍ଯ୍ୟକ୍ରମ ସହ ଗଣ ଆନ୍ଦୋଳନ କରାଯିବ।










