ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେଇଛନ୍ତି । ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଭାରତର ଶାଶ୍ୱତ ଚେତନା ଏବଂ ସଭ୍ୟତାଗତ ଶକ୍ତି ଭାବେ ବର୍ଣ୍ଣନା କରିଥିଲେ। ଏହି ଐତିହାସିକ ସମାବେଶରେ ଦିବ୍ୟ ଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଏକ ଉଲ୍ଲେଖନୀୟ ସଙ୍ଗମ ଦେଖିବାକୁ ମିଳିଥିଲା । ବୈଦିକ ମନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ସମୁଦ୍ର ଲହଡ଼ିର ଗର୍ଜନ ସହିତ ଏହି ପବିତ୍ର ସ୍ଥାନର ପୁନଃନିର୍ମାଣ ଉତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଥିଲା ।
ପ୍ରାଚୀନ ଶାସ୍ତ୍ର ଜ୍ଞାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବ୍ରହ୍ମାଣ୍ଡ ଈଶ୍ୱରଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କ ମଧ୍ୟରେ ଲୀନ ହୁଏ। ଶ୍ରୀ ମୋଦୀ କହିଥିଲେ, ‘‘ଯତୋ ଜାୟତେ ପାଲ୍ୟତେ ୟେନ ବିଶ୍ୱମ୍, ତମିଷମ୍ ଭଜେ ଲିୟତେ ୟତ୍ର ବିଶ୍ୱମ୍’’,-ଆଜି ଆମେ ଈଶ୍ୱରଙ୍କ ନିବାସସ୍ଥଳୀ ପୁନଃନିର୍ମାଣର ଉତ୍ସବ ପାଳନ କରୁଛୁ। ନିଜର ବ୍ୟକ୍ତିଗତ ଭକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିଜକୁ ଦାଦା ସୋମନାଥଙ୍କ ଜଣେ ପରମ ଭକ୍ତ ଭାବରେ ବର୍ଣ୍ଣନା କରିଥିଲେ । ଏହି ମନ୍ଦିରକୁ ଅନେକ ଥର ଆସିଥିବା ମନେ ପକାଇଥିଲେ। ଶ୍ରୀ ମୋଦୀ କହିଥିଲେ, ମୁଁ ତାଙ୍କ ସମ୍ମୁଖରେ ଅଗଣିତ ଥର ପ୍ରଣାମ କରିଛି, କିନ୍ତୁ ଆଜି ଯେତେବେଳେ ମୁଁ ଏଠାକୁ ଆସୁଥିଲି, ସେତେବେଳେ ସମୟର ଏହି ଯାତ୍ରା ମୋତେ ଏକ ସୁଖଦ ଅନୁଭୂତି ଦେଇଥିଲା।’’ ପ୍ରଧାନମନ୍ତ୍ରୀ ଶ୍ରୀ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ କିଛି ମାସ ପୂର୍ବରୁ ଏହି ମନ୍ଦିରକୁ ତାଙ୍କର ଯାତ୍ରା ବିଷୟରେ ମନେ ପକାଇଥିଲେ । ଦୁଇଟି ସମାରୋହ ଏକସଙ୍ଗେ ସମ୍ପନ୍ନ ହେବାର ଅଭିନବ ମହତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ, ‘‘ପ୍ରଥମ ବିଧ୍ୱଂସର ୧୦୦୦ ବର୍ଷ ପରେ ମଧ୍ୟ ସୋମନାଥ ଅବିନାଶୀ ରହିବା ଏବଂ ଆଜି ଏହି ଆଧୁନିକ ସ୍ୱରୂପର ପ୍ରାଣ ପ୍ରତିଷ୍ଠାକୁ ୭୫ ବର୍ଷ ପୂରଣ ହେବା ଅବସରରେ ଆମକୁ ହଜାର ହଜାର ବର୍ଷର ଅମର ଯାତ୍ରାକୁ ଅନୁଭବ କରିବାର ସୁଯୋଗ ମିଳିଛି ।’’ ୧୯୫୧ରେ ଏହି ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା କୌଣସି ସାଧାରଣ ଅବସର ନୁହେଁ। ଯଦି ଭାରତ ୧୯୪୭ରେ ସ୍ୱାଧୀନ ହୋଇଥିଲା, ତେବେ ୧୯୫୧ରେ ସୋମନାଥର ପ୍ରାଣ-ପ୍ରତିଷ୍ଠା ଭାରତର ସ୍ୱାଧୀନ ଚେତନାକୁ ଉଦଘୋଷ କରିଥିଲା ।
ଭାରତ ସ୍ୱାଧୀନ ହେବାର ମାତ୍ର ଚାରି ବର୍ଷ ପରେ, ୧୯୫୧ ମସିହାରେ ମନ୍ଦିରର ପୁନଃନିର୍ମାଣର ଗଭୀର ମହତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୫୦୦ ଗଡ଼ଜାତ ରାଜ୍ୟର ରାଜନୈତିକ ଏକୀକରଣ ଏବଂ ସୋମନାଥକୁ ପୁନଃନିର୍ମାଣ କରିବା ଜରିଆରେ ନିଜ ଦୃଢ଼ ସଂକଳ୍ପର ପରିଚୟ ଦେଇଥିଲେ । ଯେତେବେଳେ ଭାରତ ବିଦେଶୀ ଗୋଲାମିରୁ ମୁକ୍ତ ହୋଇଥିଲା, ସୋମନାଥର ପୁନଃନିର୍ମାଣ ସମକାଳୀନ ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲା ଯେ ଭାରତ କେବଳ ସ୍ୱାଧୀନ ହେଉ ନାହିଁ, ବରଂ ଏହାର ପ୍ରାଚୀନ ଗୌରବକୁ ମଧ୍ୟ ଫେରି ପାଉଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ସମାରୋହର ବହୁମୁଖି ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେ କେବଳ ୭୫ ବର୍ଷର ପୁନରାବଲୋକନକୁ ଦେଖୁନାହାନ୍ତି । ଏଠାରେ ସେ ସୃଜନ ଏବଂ ବିଧ୍ୱଂସର ସେହି ସଂକଳ୍ପକୁ ଦେଖୁଛନ୍ତି ଯାହାକୁ ସୋମନାଥ ପୂରଣ କରିଛି । ଏହି ପବିତ୍ର ପରିସରରେ ଅସତ୍ୟ ଉପରେ ସତ୍ୟର ଶାଶ୍ୱତ ବିଜୟକୁ ପ୍ରତ୍ୟକ୍ଷ ରୂପେ ଦେଖୁଥିବା ସେ କହିଥିଲେ । ପ୍ରଧାନମନ୍ତ୍ରୀ ଶହ ଶହ ବର୍ଷ ଧରି ଚାଲି ଆସିଥିବା ଏକ ଆଧ୍ୟାତ୍ମିକ ଚେତନାକୁ ଦେଖିବା ବିଷୟରେ କହିଥିଲେ, ଯାହା ସାର୍ବଜନୀନ କଲ୍ୟାଣ ପାଇଁ ଶିକ୍ଷା ପ୍ରଦାନ କରିଥାଏ। ସେ ସୋମନାଥର ଦୃଢ଼ତାରେ ନିହିତ ଭାରତର ଅବିନାଶୀ ସାରତତ୍ତ୍ୱ ବିଷୟରେ ତାଙ୍କର ଦୃଷ୍ଟିକୋଣ ପ୍ରକାଶ କରିଥିଲେ। ‘‘ମୁଁ ଏଠାରେ ଭାରତର ଅବିନାଶୀ ସାରତତ୍ତ୍ୱକୁ ଦେଖୁଛି, ଯାହାକୁ ଶହ ଶହ ବର୍ଷର କଠୋର ପ୍ରୟାସ ଦ୍ୱାରା ଲିଭାଇ ଦିଆଯାଇପାରିବ ନାହିଁ, ପରାଜିତ କରାଯାଇପାରିବ ନାହିଁ,’’ ଶ୍ରୀ ମୋଦୀ କହିଥିଲେ।
ଏହି ଉତ୍ସବର ଦୂରଦର୍ଶୀ ଦିଗ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ସୋମନାଥ ଅମୃତ ମହୋତ୍ସବ କେବଳ ଏକ ସ୍ମୃତିଚାରଣ ଉତ୍ସବ ନୁହେଁ। ଏହା କେବଳ ଅତୀତର ଏକ ଉତ୍ସବ ନୁହେଁ, ବରଂ ଆଗାମୀ ଏକ ହଜାର ବର୍ଷ ଲାଗି ଭାରତ ପାଇଁ ଏକ ପ୍ରେରଣା। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ସମସ୍ତ ଦେଶବାସୀ ଏବଂ ଭଗବାନ ସୋମନାଥଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ଜାତୀୟ ଇତିହାସର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସହିତ ଯୋଡିଥିଲେ । ସମାରୋହରେ ସେ କହିଥିଲେ, ୧୯୯୮ ମସିହା ମେ ୧୧ ତାରିଖରେ ପୋଖରଣରେ ପରମାଣୁ ପରୀକ୍ଷଣ ମଧ୍ୟ କରାଯାଇଥିଲା । ମେ ୧୧ ତାରିଖରେ ଭାରତ ତିନୋଟି ପରମାଣୁ ପରୀକ୍ଷଣ କରିଥିଲା, ଯାହା ଭାରତୀୟ ବୈଜ୍ଞାନିକଙ୍କ ଦକ୍ଷତାକୁ ପ୍ରଦର୍ଶନ କରିଥିଲା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମେ ୧୩ ତାରିଖରେ ପରବର୍ତ୍ତୀ ପରୀକ୍ଷଣକୁ ଭାରତର ଅଟଳ ରାଜନୈତିକ ସଂକଳ୍ପର ପ୍ରମାଣ ଭାବରେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ସେତେବେଳେ ଭାରତ ଉପରେ ସାରା ବିଶ୍ୱର ଚାପ ରହିଥିଲା । କିନ୍ତୁ ଅଟଳ ଜୀଙ୍କ ନେତୃତ୍ୱରେ ତତ୍କାଳୀନ ସରକାର ପ୍ରଦର୍ଶନ କରିଥିଲେ ଯେ ଦେଶ ଆମ ପାଇଁ ସର୍ବୋପରି । ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇଁ ପାରିବ ନାହିଁ କିମ୍ବା ଚାପ ପକାଇପାରିବ ନାହିଁ ।
ଏହି ଅପରେସନର ନାମକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ପୋଖରଣ ପରମାଣୁ ପରୀକ୍ଷଣକୁ ‘ଅପରେସନ ଶକ୍ତି’ ନାଁ ଦିଆଯାଇଥିଲା । ଏହା ପଛରେ ଏକ ଗଭୀର ସାଂସ୍କୃତିକ କାରଣ ମଧ୍ୟ ରହିଛି । କାରଣ ଶିବଙ୍କ ସହିତ ଶକ୍ତିଙ୍କୁ ପୂଜା କରିବାର ପରମ୍ପରା ଆମ ଦେଶରେ ରହିଛି । ହିନ୍ଦୁ ପ୍ରତିମା ବିଜ୍ଞାନର ଉଦାହରଣ ଦେଇ ସେ କହିଥିଲେ, ଅର୍ଦ୍ଧନାରୀଶ୍ୱର ଶିବ, ଶିବ ଓ ଶକ୍ତିଙ୍କ ଅଭିଭାଜ୍ୟ ପ୍ରକୃତିକୁ ଦର୍ଶାଇଥାଏ । ଭାରତର ଚନ୍ଦ୍ରଯାନ ମିଶନ ଯେତେବେଳେ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଥିଲା, ସେତେବେଳେ ଏହି ଦର୍ଶନ ଅନୁସାରେ ଅବତରଣ ସ୍ଥାନର ନାମକରଣ କରାଯାଇଥିଲା। ବ୍ୟୁତ୍ପତ୍ତି ସହ ସମ୍ପର୍କ ଉପରେ ଆଲୋକପାତ କରି, ସେ ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ସଫଳତାର ସଙ୍ଗମକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଜ୍ୟୋତିର୍ଲିଙ୍ଗକକୁ ଚନ୍ଦ୍ର (ସୋମ)ଙ୍କ ନାମାନୁସାରେ ସେମନାଥ ରୂପେ ପୂଜା କରାଯିବା ଅତି ଖୁସିର ବିଷୟ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଶିବ ଏବଂ ଶକ୍ତିଙ୍କୁ ଏକାଠି ପୂଜା କରିବାର ଦର୍ଶନ ଏବେ ଭାରତର ବୈଜ୍ଞାନିକ ପ୍ରଗତିକୁ ପ୍ରେରଣା ଦେଉଛି। ଶିବ ଏବଂ ଶକ୍ତିଙ୍କ ପୂଜା ଦେଶର ବୈଜ୍ଞାନିକ ପ୍ରଗତି ପାଇଁ ପ୍ରେରଣା ହେବା ଉଚିତ ବୋଲି ଆମର ସଂକଳ୍ପ ସାକାର ହେଉଥିବା ଆମେ ଦେଖୁଛୁ । ଅପରେସନ ଶକ୍ତିର ବର୍ଷପୂର୍ତ୍ତି ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମନ୍ଦିରର ହଜାର ବର୍ଷର ବିନାଶ ଏବଂ ପୁନଃନିର୍ମାଣ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏହି ଇତିହାସକୁ ଜୀବନ୍ତ କରୁଥିବା ଅଦମ୍ୟ ଇଚ୍ଛାଶକ୍ତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ମେହମୁଦ ଗଜନୀ ଏବଂ ଆଲ୍ଲାଉଦ୍ଦିନ୍ ଖିଲଜୀଙ୍କ ଭଳି ଆକ୍ରମଣକାରୀଙ୍କ ଦ୍ୱାରା ବାରମ୍ବାର ଆକ୍ରମଣର ଶିକାର ହେବା ସତ୍ତ୍ୱେ, ରାଜା ଭୋଜ, ଭୀମଦେବ ପ୍ରଥମ, କୁମାରପାଳ, ମହୀପାଳ ପ୍ରଥମ ଏବଂ ରାଓ ଖଙ୍ଗରଙ୍କ ପରି ଉତ୍ସର୍ଗୀକୃତ ଶାସକମାନେ ମନ୍ଦିରକୁ ବାରମ୍ବାର ପୁନର୍ବାର ନିର୍ମାଣ କରିଥିଲେ । ଏମାନେ ସମେସ୍ତ ଏକ ଶକ୍ତିଶାଳୀ ଆଧ୍ୟାତ୍ମିକ ଆହ୍ୱାନର ଜବାବ ଦେଇଥିଲେ। ଯେଉଁମାନେ ବିନାଶ ଘଟାଇଥିଲେ ସେମାନେ କେବଳ ପଥର ଓ କାଦୁଅ ଦେଖିଥିଲେ, କିନ୍ତୁ ସେମାନେ ଆମ ସଭ୍ୟତାର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ କେବେ ବି ବୁଝିପାରିନଥିଲେ ।
ଦେଶର ସାଂସ୍କୃତିକ ପୁନରୁଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ପବିତ୍ର ଐତିହ୍ୟକୁ ସଂରକ୍ଷଣ କରିଥିବା ସନ୍ଥ ଲକୁଲିଶ ଏବଂ ସୋମ ଶର୍ମାଙ୍କ ଭଳି ବିଶିଷ୍ଟ ବିଦ୍ୱାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସେ ଭବ ବୃହସ୍ପତି, ପଶୁପତାଚାର୍ଯ୍ୟ ଏବଂ ଏହି ଅଞ୍ଚଳର ଆଧ୍ୟାତ୍ମିକ ପରମ୍ପରାକୁ ଜୀବନ୍ତ ରଖିଥିବା ଅନେକ ବିଦ୍ୱାନଙ୍କ ଅବଦାନକୁ ମଧ୍ୟ ଉଚ୍ଚପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅଞ୍ଚଳର ଚେତନା ରକ୍ଷା କରିଥିବା ବିଶାଲଦେବ ଏବଂ ତ୍ରିପୁରାନ୍ତକଙ୍କ ଭଳି ବୁଦ୍ଧିଜୀବୀଙ୍କୁ ମଧ୍ୟ ସସମ୍ମାନେ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ ବୀର ହମିରଜୀ ଗୋହିଲ, ବୀର ଭେଗଦାଜୀ ଭିଲ, ପୁଣ୍ୟଶ୍ଲୋକ ଅହଲ୍ୟାବାଇ ହୋଲକର, ବଡ଼ୋଦାର ଗାଏକୱାଡ ଏବଂ ଜାମ ସାହେବ ମହାରାଜା ଦିଗବିଜୟ ସିଂହଙ୍କ ଭଳି ଅନେକ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ମଧ୍ୟ ସମ୍ମାନ ଜଣାଇଥିଲେ ଯେଉଁମାନେ ସୋମନାଥଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ବିଶେଷ ଭାବରେ ସୋମନାଥ ପୁନରୁଦ୍ଧାରର ଆଧୁନିକ ସ୍ଥପତି ସର୍ଦ୍ଦାର ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, କେ.ଏମ୍. ମୁନସି ଏବଂ ଏପରି ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସମସାମୟିକ ଦାୟିତ୍ୱ ପାଇଁ ସେମାନଙ୍କ ଦ୍ୱାରା ସ୍ଥାପିତ ପରମ୍ପରାରୁ ପ୍ରେରଣା ନେଇଥିଲେ। ଶ୍ରୀ ମୋଦୀ କହିଥିଲେ, ଏମାନଙ୍କର ସ୍ମୃତି ଆମକୁ କେବଳ ଆମର ସାଂସ୍କୃତିକ ଐତିହ୍ୟକୁ ଆଗକୁ ବଢ଼ାଇବାକୁ ନୁହେଁ ବରଂ ଭବିଷ୍ୟତ ପିଢ଼ିକୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ ପ୍ରେରଣା ଦେଇଥାଏ ।
ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟ ଉପରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହଜାର ହଜାର ବର୍ଷ ଧରି ସାଂସ୍କୃତିକ ସ୍ଥଳୀଗୁଡ଼ିକ ଦେଶର ପରିଚୟ ହୋଇଆସିଛି। ତଥାପି, ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଏକ ଦୁଃଖଦ ବିଡ଼ମ୍ବନା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ସ୍ଥିତି ସହ ତୁଳନା କରି ସେ କହିଥିଲେ, ବିଶ୍ୱର ଅନ୍ୟାନ୍ୟ ଅଂଶରେ ଆକ୍ରମଣକାରୀଙ୍କ ଦ୍ୱାରା ଯେଉଁ ରାଷ୍ଟ୍ରଗୁଡ଼ିକର ଐତିହ୍ୟ ଧ୍ୱଂସ ପାଇଥିଲା ସେମାନେ ପରବର୍ତ୍ତୀ ସମୟରେ ଏକତ୍ରିତ ହୋଇ ଏହାକୁ ପୁନଃନିର୍ମାଣ କରିବାରେ ସଫଳ ହୋଇଥିଲେ। ଏହି ଲକ୍ଷ୍ୟ ପାଇଁ ପ୍ରତିଷ୍ଠାତା ନେତାମାନଙ୍କ ଦ୍ୱାରା ଅକ୍ଳାନ୍ତ ପ୍ରୟାସ କରାଯାଇଥିଲା । ତଥାପି ନେତୃତ୍ୱ ଭିତରୁ ହିଁ ସେମାନେ ଦୁର୍ଭାଗ୍ୟଜନକ ବିରୋଧର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସର୍ଦ୍ଦାର ସାହେବଙ୍କ ଅଟଳ ସଂକଳ୍ପ କାରଣରୁ ଦେଶ ଶହ ଶହ ବର୍ଷର କଳଙ୍କକୁ ଲିଭାଇବାରେ ସକ୍ଷମ ହୋଇଥିଲା ବୋଲି ସେ କହିଥିଲେ । ସମକାଳୀନ ଆହ୍ୱାନ ଉପରେ ଚିନ୍ତାବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଭାଜନକାରୀ ଶକ୍ତି ଆଜି ମଧ୍ୟ ପ୍ରଭାବଶାଳୀ ରହିଛି । ଜାତୀୟ ମହତ୍ୱ ବହନ କରୁଥିବା ସାଂସ୍କୃତିକ ପ୍ରକଳ୍ପକୁ ବିରୋଧର ସଦ୍ୟତମ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏପରି ବିଭାଜନକାରୀ ଚିନ୍ତାଧାରା ପ୍ରତି ଦେଶକୁ ସତର୍କ ରହିବା ଲାଗି ଆହ୍ୱାନ କରିଥିଲେ । ସେ ଜାତୀୟ ବିକାଶର ଉଭୟ ଦିଗକୁ ସମ୍ମାନ ଦେଉଥିବା ସନ୍ତୁଳିତ ପ୍ରଗତିର ପରିକଳ୍ପନା ଉପସ୍ଥାପନ କରିଥିଲେ । ଶ୍ରୀ ମୋଦୀ କହିଥିଲେ, ‘‘ଆମକୁ ବିକାଶ ଏବଂ ଐତିହ୍ୟକୁ ଉଭୟକୁ ସାଥୀରେ ନେଇ ଆଗକୁ ବଢ଼ିବାକୁ ହେବ ।’’
ଆର୍ଥିକ ପରିବର୍ତ୍ତନରେ ମନ୍ଦିର ଟ୍ରଷ୍ଟର ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ, ସୋମନାଥ ଆଜି ଏକୀକୃତ ବିକାଶର ପ୍ରତୀକ ପାଲଟିଛି । ଏହା ଏକ ସଙ୍ଗେ ଆଧ୍ୟାତ୍ମିକ କେନ୍ଦ୍ର ଏବଂ ଆର୍ଥିକ ବିକାଶ ଇଞ୍ଜିନ ପାଲଟିଛି । ଏହାଦ୍ୱାରା ଶହ ଶହ ପରିବାର ଏବଂ ହଜାର ହଜାର ଲୋକଙ୍କୁ ଜୀବିକାର ଲାଭ ମିଳୁଛି । ସେ କହିଥିଲେ, ‘‘ଏହି ମନ୍ଦିର ବିଶ୍ୱର କୋଣଅନୁକୋଣରୁ ଲୋକମାନଙ୍କୁ ଆକର୍ଷିତ କରୁଛି ଏବଂ ସେମାନଙ୍କ ଦର୍ଶନ ଦ୍ୱାରା ସମ୍ପୂର୍ଣ୍ଣ କ୍ଷେତ୍ରରେ ସମୃଦ୍ଧି ଉତ୍ପନ୍ନ ହେଉଛି ।’’ ଭାରତର ପବିତ୍ର ତୀର୍ଥଯାତ୍ରା ନେଟୱର୍କ ଉପରେ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, କିଛି ବର୍ଷ ହେବ ସାରା ଦେଶରେ ପରିବର୍ତ୍ତନକାରୀ ବିକାଶ କାର୍ଯ୍ୟ ଦେଖିବାକୁ ମିଳିଛି । କେଦାରନାଥ ମନ୍ଦିରର ପୁନଃନିର୍ମାଣ, କାଶୀ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ, ଉଜ୍ଜୈନୀ ମହାକାଳ ମହାଲୋକ, ଚାରଧାମ ରାଜମାର୍ଗ ପ୍ରକଳ୍ପ, ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ପର୍ଯ୍ୟନ୍ତ ରୋପୱେ ପ୍ରକଳ୍ପ, କର୍ତ୍ତାରପୁର କରିଡର ଏବଂ ବୌଦ୍ଧ ସର୍କିଟ ସାମିଲ ରହିଛି । ଶ୍ରୀ ମୋଦୀ କହିଥିଲେ, ‘‘ଏସବୁ ୧୦-୧୨ ବର୍ଷ ମଧ୍ୟରେ ହୋଇଛି, ଯାହା ଦର୍ଶାଇଥାଏ ଯେ ସାଂସ୍କୃତିକ ସ୍ଥଳଗୁଡ଼ିକ ପ୍ରଗତିରେ ବାଧା ନୁହେଁ, ବରଂ ବାସ୍ତବରେ ଭାରତର ଆଧ୍ୟାତ୍ମିକ-ସାମାଜିକ ବ୍ୟବସ୍ଥାର କେନ୍ଦ୍ର ଅଟେ । ଦେଶର ଆର୍ଥିକ ପ୍ରଗତି ଉତ୍ସ ଏବଂ ବାସ୍ତବିକ ବିକାଶ ଦ୍ୱାର ମଧ୍ୟ ପାଲଟିଛି ।’’
ଏହି ପ୍ରୟାସର ଦାର୍ଶନିକ ଆଧାର ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଉପନିଷଦର କଥନ ‘‘ସର୍ବମ୍ ଖଲ୍ୱିଦଂ ବ୍ରହ୍ମ’’ର ଉଦାହରଣ ଦେଇଥିଲେ । ଅର୍ଥାତ୍- ‘‘ସବୁକିଛି ବ୍ରହ୍ମ ଅଟେ’’। ସେ କହିଥିଲେ, ଏହି ଦୃଷ୍ଟିକୋଣରୁ ଦେଖିଲେ, ନଦୀ, ଜଙ୍ଗଲ, ପର୍ବତ ଏବଂ ସମସ୍ତ ପ୍ରକୃତି ପବିତ୍ର ଅଭିବ୍ୟକ୍ତି ମଧ୍ୟରେ ସମାହିତ । ବିଶ୍ୱ ପ୍ରାକୃତିକ ଜୀବନ ଆଡକୁ ଗତି କରୁଛି, ଆମେ ଏହି ପ୍ରାଚୀନ ଜ୍ଞାନକୁ ଚିହ୍ନିବା ଏବଂ ବାଣ୍ଟିବା ଉଚିତ । ଆସନ୍ତୁ ଆମେ ଆମର ପବିତ୍ର ସ୍ଥଳଗୁଡ଼ିକୁ ବିଶ୍ୱ ପାଇଁ ସମନ୍ୱିତ ବିକାଶର ଉଦାହରଣ କରିବା ବୋଲି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ । ରାଷ୍ଟ୍ରୀୟ ଶକ୍ତିରେ ସାଂସ୍କୃତିକ ନିରନ୍ତରତାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ନୂଆ ପିଢ଼ି ସେମାନଙ୍କର ଇତିହାସ, ବିଶ୍ୱାସ ଏବଂ ମୂଲ୍ୟବୋଧ ସହିତ ପୁନଃସମ୍ପର୍କ ସ୍ଥାପନ କରନ୍ତି, ସେତେବେଳେ ଦେଶର ଆଭ୍ୟନ୍ତରୀଣ ଶକ୍ତି ଅସୀମ ଗଭୀର ହୋଇଯାଏ। ଆଜି ଭାରତ ଯେଉଁ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛି ତାହା ଏହି ସାଂସ୍କୃତିକ ନିରନ୍ତରତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।ଭବିଷ୍ୟତ ପିଢ଼ିଙ୍କ ପ୍ରତି ଏକ ଆହ୍ୱାନ ସହିତ ନିଜର ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ପଞ୍ଚସ୍ତରି ବର୍ଷ ପୂର୍ବେ ସୋମନାଥର ପ୍ରାଣ-ପ୍ରତିଷ୍ଠା ଏକ ପରିବର୍ତ୍ତନକାରୀ ଯାତ୍ରା ଆରମ୍ଭ କରିଥିଲା। ଆଜି, ସେହି ଯାତ୍ରା ଆହୁରି ବ୍ୟାପକ ରୂପରେ ଆମ ସମ୍ମୁଖରେ ଅଛି ବୋଲି ଶ୍ରୀ ମୋଦୀ କହିଥିଲେ। ଆମ ପରମ୍ପରା ସହ ଜଡ଼ିତ ରହି ଏହାକୁ ଆହୁରି ଉଚ୍ଚତାକୁ ନେଇଯିବା ଉଚିତ; ଏହା ଆମ ସମୟର ଦାୟିତ୍ୱ ବୋଲି ସେ କହିଥିଲେ ।










