୨୬ରେ ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର: ସବୁ ବର୍ଷ ସୂର୍ଯ୍ୟୋପରାଗ ଦେଖିବାକୁ ମିଳେ । କେବେ ଆଂଶିକ ସୂର୍ଯ୍ୟୋପରାଗ ତ କେବେ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖାଯାଏ । ତେବେ ଏହି ଆସନ୍ତା ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ ।
ସୂଚନା ଅନୁସାରେ, ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ । ଓଡ଼ିଶାରେ ସକାଳ ୯ଟା ୪୬ମିନିଟ ସମୟରେ ସର୍ବାଧିକ ପରାଗ ଦେଖାଯିବ । ୨୬ ତାରିଖ ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟୋପରାଗ ବୃତ୍ତାକାର ହେବ ଏବଂ ଏହା ଆଂଶିକ ସୂର୍ଯ୍ୟୋପରାଗ ବୋଲି ସୂଚନା ଦିଆଯାଇଛି । ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧା ଦୃଶ୍ୟମାନ ହେବ । ତେବେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟୋରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର ପ୍ରସ୍ତୁତି ମଧ୍ୟ କରାଯାଉଛି । ଏନେଇ ପଠାଣି ସମାନ୍ତ ପ୍ଲାନିଟୋରିୟମ ସୂଚନା ଦେଇଥିବା ଜଣାପଡିଛି ।