ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶରେ କରାଯାଉଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ବୈଧ ବୋଲି କହିଛନ୍ତି । ଇସିଆଇଙ୍କର ଏସଆଇଆର କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିହାରରେ ଭୋଟର ତାଲିକା ଏସଆଇଆରକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନଗୁଡିକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରଦାନ କରିଛନ୍ତି । ଏସାଇଆର ପ୍ରକ୍ରିୟା ଅନୁଯାୟୀ, ଭୋଟର ତାଲିକାରୁ ନାମ ବାଦ ଦେବା ନାଗରିକତା ନିର୍ଣ୍ଣୟ କରେ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ଗୁରୁତ୍ୱପୂର୍ଣ୍ଣ କାରଣ ଆବେଦନକାରୀ ଓ ବିରୋଧୀ ଯୁକ୍ତି ଦେଇଥିଲେ ଯେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏସଆଇଆର ବ୍ୟାକ ଡୋର ବା ତ୍ୁଟି ଯୁକ୍ତ ନାଗରିକତା ଯାଞ୍ଚ ପ୍ରକ୍ରିୟା ଥିଲା ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସଆଇଆର ଜରୁରୀ । ଆୟୋଗ ଭୋଟରଙ୍କ ନାଁ କାଟିପାରିବ , କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେ ଆଉ ଭାରତରେ ନାଗରିକ ନୁହଁନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଚଳିତ ବର୍ଷ ଆରମ୍ଭରେ ଏକ ଦୀର୍ଘ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ଓ ବୁଧବାର ଦିନ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ । ଆବେଦନଗୁଡିକ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏସଆଇଆର କାର୍ଯ୍ୟର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । ଆବେଦନକାରୀମାନେ ଯୁକ୍ତି ଦେଇଥିଲେ ଯେ, ଏହି ପ୍ରକ୍ରିୟା ସମ୍ବିଧାନର ଧାରା ୩୨୬ , ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଓ ଏହା ଅଧୀନରେ ପ୍ରଣୀତ ନିୟମ ଅନୁଯାୟୀ ଆୟୋଗଙ୍କ କ୍ଷମତା ବାହାରେ ଏହି ରାୟ ଏସଆଇଆର ପ୍ରକ୍ରିୟାରେ ବୈଧତାକୁ ଚ୍ୟାଲେଞ୍ଜ କରି ଆସିଥିବା ଅନେକ ଆବେଦନ ଉପରେ ଆସିଥିଲା । ଯେଉଁଥିରେ ୨୦୦୨/ ୨୦୦୩ ନିର୍ବାଚନ ତାଲିକାରେ ନାମ ଥିବା ଭୋଟରମାନଙ୍କୁ ସେହି ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହିତ ପୂର୍ବପୁରୁଷ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରାଯାଇଥିଲା ।










