ମଥୁରା: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲରେ ଦାୟର ରିଟ୍ ପିଟିସନ୍କୁ ଶୁଣାଣି ପାଇଁ ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଶାହି ଇଦ୍ଗା ମସ୍ଜିସ୍ ମ୍ୟାନେଜମେଣ୍ଟ ଆହ୍ଲାବାଦ ହାଇକୋର୍ଟ ଯିବ । ଜିଲ୍ଲା ଜଜ୍ ରାଜୀବ ଭାରତୀଙ୍କ ମେ ୧୯ ତାରିଖ ଆଦେଶର କପି ଆମର ହସ୍ତଗତ ହୋଇଛି ଏବଂ ଏହାର ବିଭିନ୍ନ ଆଇନଗତ ଦିଗର ପରୀକ୍ଷା କରାଯାଇଛି ବୋଲି ଶାହି ଇଦ୍ଗା ମସ୍ଜିଦ୍ ମ୍ୟାନେଜିଂ କମିଟି ସମ୍ପାଦକ ତଥା ଓକିଲ ତନ୍ବୀର ଅହମ୍ମଦ କହିଛନ୍ତି । ସେ କହିଛନ୍ତି, ତର୍ଜମା ପରେ ରିଟ୍ ପିଟିସନ୍କୁ ନେଇ ଜିଲ୍ଲା ଜଜ୍ଙ୍କ ନିଷ୍କର୍ଷ ଓ ଅବ୍ଜଭେସନ୍ର ଆଇନଗତ ରୂପେ ମାନ୍ୟତା ନଥିବାରୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ଏହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ।
ସୂଚନାଯୋଗ୍ୟ, ଭଗବାନ ଶ୍ରୀକୃଷ୍ଣଙ୍କ ସଖୀ ଭାବେ ଆଡ୍ଭୋକେଟ୍ ରଞ୍ଜନା ଅଗ୍ନିହୋତ୍ରୀଙ୍କ ସମେତ ୬ଜଣ ବ୍ୟକ୍ତିଙ୍କ ପକ୍ଷରୁ କରାଯାଇଥିବା ରିଟ୍ ପିଟିସନ୍ରେ କୁହାଯାଇଛି ଶ୍ରୀକୃଷ୍ଣ ବିରାଜମାନଙ୍କର ୧୩.୩୭ ଏକର ଜମି ରହିଛି । ଏହାର ପ୍ରାୟ ୧୧ ଏକର ଜମିରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିର୍ମିତ ହୋଇଥିବା ବେଳେ ୨.୩୭ ଏକର ଜମି ଉପରେ ଶାହି ଇଦ୍ଗାହ ମସ୍ଜିଦ୍ ରହିଛି । ଏହି ଜମିକୁ ମୁକ୍ତକରି ଶ୍ରୀକୃଷ୍ଣ ଜନ୍ମସ୍ଥାନ ସହିତ ସାମିଲ କରାଯିବାକୁ ସେମାନେ ଦାବି କରିଥିଲେ ।
ଏହା ବ୍ୟତୀତ ୧୯୬୮ରେ ହୋଇଥିବା ବୁଝାମଣାକୁ ମଧ୍ୟ ରଦ୍ଦ କରିବାକୁ ପିଟିସନ୍ରେ ଦାବି କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଜମି ଠାକୁର ବିରାଜମାନ କେଶବ କଟରା ଦେବ ମନ୍ଦିର ନାମରେ ଥିବାରୁ ସଂସ୍ଥାନର ବୁଝାମଣା କରିବା ଅଧିକାର ନାହିଁ । ଆଡ୍ଭୋକେଟ୍ ରଞ୍ଜନା ଅଗ୍ନିହୋତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କ ସଖୀ ଭାବେ ୨୦୨୦ ସେପ୍ଟେମ୍ବର ୨୫ରେ ସିଭିଲ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ତେବେ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ । ଏହାପରେ ଅକ୍ଟୋବରରେ ଏହି ମାମଲାର ରିଭିଜନ୍ ପାଇଁ ଜିଲ୍ଲା ଜଜ୍ କୋର୍ଟରେ ଦାୟର କରାଯାଇଥିଲା । ଏହା ଉପରେ ପ୍ରାୟ ଦେଢ଼ବର୍ଷ ଧରି ଶୁଣାଣି ଚାଲିଥିଲା ।