ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ଏହି ଗସ୍ତରେ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ । ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ୍ରେ ଦିନିକିଆ ବିଶ୍ୱକପ୍ ପରେ ଏହା ଭାରତୀୟ ଦଳର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ହେବ । ବିସିସିଆଇ ସହ ଜଡ଼ିତ ଜନୈକ ଅଧିକାରୀଙ୍କଠାରୁ ମିଳିଥିବା ସୂଚନାନୁସାରେ, ଜୁନ୍ ୨୩ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ସିରିଜ୍ ଚାଲିବ । ଏହି ଗସ୍ତ ସକାଶେ ଖୁବଶୀଘ୍ର ବିସିସିଆଇ ମହିଳା ସିନିୟର୍ ଚୟନ କମିଟି ବୈଠକ ବସିବ ।
ଏଥିସହ ଦଳର ନୂଆ ଦିନିକିଆ ଅଧିନାୟିକା ମଧ୍ୟ ଘୋଷଣା ହେବାର ସମ୍ଭାବନା ମଧ୍ୟ ରହିଛି । ଦଳର ନିୟମିତ ଅଧିନାୟିକା ମିତାଲି ରାଜ୍ ଯଦିଓ ତାଙ୍କର ଅବସର ଘୋଷଣା କରିନାହାନ୍ତି, କିନ୍ତୁ ମହିଳା ଦଳର ନେତୃତ୍ୱ ଅନ୍ୟ କାହାକୁ ଦେବା ପାଇଁ ଚୟନ କମିଟି ଚିନ୍ତା କରୁଛି । ଆସନ୍ତା ୨୩ରୁ ଆରମ୍ଭ ହେଉଥିବା ୱିମେନ୍ସ ଟି-୨୦ ଚାଲେଞ୍ଜ୍ରୁ ମଧ୍ୟ ମିତାଲି ଓ ଅନ୍ୟତମ ଭେଟେରାନ୍ ଖେଳାଳି ପେସର୍ ଝୁଲନ୍ ଗୋସ୍ୱାମୀ ଓହରିଯାଇଛନ୍ତି । ସେହିପରି ମୁଖ୍ୟ କୋଚ୍ ଭାବେ ରମେଶ ପାୱାର୍ ଶ୍ରୀଲଙ୍କା ଗସ୍ତ କରିବେ । ତେବେ ଦଳକୁ ଜେମିମା ରଡରିଗ୍ସ ଓ ପେସର୍ ଶିଖା ପାଣ୍ଡେ ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ, ତାହା ଉପରେ ନଜର ରହିବ । ପାଣ୍ଡେ ମଧ୍ୟ ମିତାଲି ଓ ଝୁଲନ୍ଙ୍କ ପରି ୱିମେନ୍ସ ଟି-୨୦ ଚାଲେଞ୍ଜ୍ର ଅଂଶବିଶେଷ ନାହାନ୍ତି ।