ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସ ନିକଟରେ ଗୁଳିକାଣ୍ଡ ଘଟିଛି । ଯାହା ଫଳରେ ଅଞ୍ଚଳକୁ କିଛି ସମୟ ପାଇଁ ସିଲ କରାଯାଇଥିଲା । ଆମେରିକା ସିକ୍ରେଟ ସର୍ଭିସ ନିଶ୍ଚିତ କରିଛି, ଇଣ୍ଡିପେଣ୍ଡନ୍ସ ଆଭେନ୍ୟୁରେ ଜଣେ ସଶସ୍ତ୍ର ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୁଳି କରାଯାଇଛି । ଘଟଣାଟି ଘଟିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କର୍ତ୍ତୃପକ୍ଷ ଗୁଳି ମାଡ ହୋଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି । ଅଧିକାରୀମାନେ କହିଛନ୍ତି ଯେ, ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି ଏବଂ ହ୍ୱାଇଟ ହାଉସ ସୁରକ୍ଷାରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ । ଟ୍ରମ୍ପଙ୍କ ସୁରକ୍ଷା ନେଇ ଚିନ୍ତା ବୃଦ୍ଧି ପାଇଥିବା ସମୟରେ ସମୟରେ ଏହି ସଦ୍ୟତମ ଗୁଳିକାଣ୍ଡ ଘଟଣା ଘଟିଛି । ତାଙ୍କୁ ଅନେକ ଥର ହତ୍ୟା ଧମକ ଏବଂ ହତ୍ୟା ଉଦ୍ୟମ କରାଯାଇଛି । ସବୁଠାରୁ ସାମ୍ପ୍ରତିକ ଘଟଣା ଏପ୍ରିଲରେ ଘଟିଥିଲା । ଯେତେବେଳେ ସାମ୍ବାଦିକମାନଙ୍କ ସହିତ ହ୍ୱାଇଟହାଉସ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ହୋଇଥିଲା । ଟ୍ରମ୍ପ ମୁଖ୍ୟ ଅତିଥି ଥିଲେ । ସିକ୍ରେଟ ସର୍ଭିସ ତୁରନ୍ତ ଟ୍ରମ୍ପ ପ୍ରଥମ ମହିଳା ମେଲାନିଆ ଏବଂ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କୁ ମଞ୍ଚରୁ ବାହାର କରିଦେଇଥିଲା ।










