ଅନୁଗୋଳ: ୬୩ ନମ୍ବର ରାଜ୍ୟ ରାଜପଥ ଅନୁଗୋଳର କୋଇଲା ଖଣି ଆଗରେ ସିରିଜ ଦୁର୍ଘଟଣା। ବର୍ଷାରେ ରାସ୍ତା କାଦୁଅ ଯୋଗୁଁ ଆଜି ସନ୍ଧ୍ୟାରେ ନୟନି ଖଣି ସମ୍ମୁଖରେ ୪ଟି ବାଇକ ନିୟନ୍ତ୍ରଣ ହରେଇ ଖସିପଡ଼ିଥିଲେ । ୪ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଏହାବ୍ୟତୀତ ଖଣିରୁ କାଦୁଅ ପଡି ସରଳୀୟା ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବଲେରୋ ନିୟନ୍ତ୍ରଣ ହରେଇ ରାସ୍ତା ତଳକୁ ଖସି ପଡ଼ିଥିଲା ।ଛେଣ୍ଡିପଦା ନୟନି, ଉତ୍କଳ-ସି, ଉତ୍କଳ-ଡି’ କୋଇଲା ଖଣିରୁ କୋଇଲା ପରିବହନ ଯୋଗୁଁ ଅନୁଗୋଳ-ଛେଣ୍ଡିପଦା ରାସ୍ତାରେ କାଦୁଅ ଭର୍ତ୍ତି ହୋଇଛି। ବର୍ଷାରେ ରାସ୍ତା ଉପରେ କାଦୁଅ ପଡି ବାଇକ ଓ ଚାରିଚକିଆ ଯାନବାହନ ନିୟନ୍ତ୍ରଣ ହରେଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତିନି କୋଇଲା ଖଣି ସମ୍ମୁଖ ଉଭୟ ପାର୍ଶରେ ପ୍ରାୟ ୫ କିମି ପର୍ଯ୍ୟନ୍ତ ରାସ୍ତାରେ ଏଭଳି କାଦୁଅ ଭର୍ତ୍ତି ହୋଇରହୁଛି ।୫ ଦିନ ତଳେ ଜାମୁନାଳୀ ଗାଁର ପ୍ରମୋଦ ମାଝୀ ଓ ତାଙ୍କ ପତ୍ନୀ ପଦ୍ମିନୀ ମାଝୀ ବାଇକରେ ଅନୁଗୋଳ ଯାଉଥିଲେ। ଉଭୟ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେହିଦିନ ଅଧଘଣ୍ଟା ପୂର୍ବରୁ ସ୍କୁଟିରେ ଯାଉଥିବା ଆରୋହି ଗୁରୁତର ଆହତ ହୋଇଛନ୍ତି । ଅଧିକାଂଶ ଦିନ ଏହି ରାସ୍ତାରେ ବାରମ୍ବାର ଛୋଟମୋଟ ଦୁର୍ଘଟଣା ଘଟୁଛି ।










