17.1 C
Bhubaneswar
Friday, January 10, 2025
Homeଓଡିଶାଲକଡାଉନରେ ହାତବାନ୍ଧି ବସିଛନ୍ତି ବିଡ଼ି ଶ୍ରମିକ

ଲକଡାଉନରେ ହାତବାନ୍ଧି ବସିଛନ୍ତି ବିଡ଼ି ଶ୍ରମିକ

ସମ୍ବଲପୁର : କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଜାରି ଲକଡାଉନ ଯୋଗୁ ସମ୍ବଲପୁର ଜିଲ୍ଲାର ବିଡ଼ି କାରିଗରମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପ୍ରଥମେ ବିଡ଼ି ଉପରେ ଲାଗୁ କରାଯାଇଥିବା ମାତ୍ରାଧିକ ବସ୍ତୁ ଓ ସେବା କର (ଜିଏସଟି) ଯୋଗୁ ଏହି ଶିଳ୍ପ ସଙ୍କଟ ଦେଇ ଗତି କରୁଥିଲା । ଏବେ ଲକଡାଉନ ଯୋଗୁଁ ଏଥିରେ ସମ୍ପୃକ୍ତ ବର୍ଗଙ୍କ ସ୍ଥିତି ଆହୁରି ଖରାପ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ୨୭ଟି ପଞ୍ଜିକୃତ ବିଡ଼ି କମ୍ପାନୀ ରହିଛି । ଏଥିରୁ ଅଧିକାଂଶ କମ୍ପାନୀ ଆଉ ଉତ୍ପାଦନକ୍ଷମ ହୋଇରହିନାହିଁ । ଗତ ମାର୍ଚ୍ଚ ମାସ ୨୫ ତାରିଖ ପରଠାରୁ ଏହି ଅବସ୍ଥା ଲାଗିରହିଛି । ଗତ ୩ ତାରିଖ ସରକାର ଲକଡାଉନ ନିୟମରେ କିଛି କୋହଳ କରିବା ପରେ ହାତଗଣତି କମ୍ପାନୀ ନାମକୁ ମାତ୍ର ଚାଲୁରହିଛି । ବିଡ଼ି ଶ୍ରମିକ କାରିଗରମାନେ ଅନୁରୋଧ କରିବାରୁ ବିଡ଼ି ପ୍ରସ୍ତୁତ କାର୍ଯ୍ୟ କରୁଥିବା କିଛି ୟୁନିଟ ଖୋଲିଥିବା ଜିଲ୍ଲା ବିଡ଼ି ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ମିତ୍ରଭାନୁ ପୋଢ୍ କହିଛନ୍ତି ।
ବିଡ଼ି କମ୍ପାନୀ ମାନଙ୍କ ପକ୍ଷରୁ କାରିଗରମାନଙ୍କୁ କେନ୍ଦୁପତ୍ର, ସୂତା ଓ ବିଡ଼ି ତିଆରି କରିବା ପାଇଁ ଅବଶ୍ୟକ ଅନ୍ୟ ସାମଗ୍ରୀ ଯୋଗାଇଥାଆନ୍ତି । ବିଡ଼ି କାରିଗରମାନେ ବିଡ଼ି ତିଆରି କରିବା ପରେ କମ୍ପାନୀକୁ ହସ୍ତାନ୍ତର କରନ୍ତି । କାରିଗରମାନେ ଏକ ହଜାର ବିଡ଼ି ପିଛା ପାଖାପାଖି ୧୪୩ ଟଙ୍କା ପାଆନ୍ତି । ଏବେ ଉପରୋକ୍ତ ଆୟ ଅନେକ କାରିଗରଙ୍କୁ ମିଳୁନାହିଁ । କେବଳ ସମ୍ବଲପୁର ଜିଲ୍ଲାରେ ଆନୁମାନିକ ୧ ଲକ୍ଷ ୪୫ ହଜାର ବିଡ଼ି କାରିଗର ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ଅନୁସୂଚିତ ଜାତି ଏବଂ ଉପଜାତି ବର୍ଗର ଅଟନ୍ତି । ଅନେକ କ୍ଷେତ୍ରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ନିୟୋଜିତ ରହି ବିଡ଼ି ତିଆରି କରିଥାଆନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ୬ ଲକ୍ଷ ଘରେ ବିଡ଼ି ତିଆରି କରି ଗୁଜୁରାଣ ମେଣ୍ଟାଯାଇଥାଆନ୍ତି ବୋଲି ଜଣାପଡ଼ିଛି । ପୂର୍ବରୁ ବିଡ଼ି ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି । ଯଦ୍ୱାରା ବିଡ଼ି ବିକ୍ରି ହ୍ରାସ ପାଇଛି । ଏହାଦ୍ୱାରା ଏହି ଶିଳ୍ପର ସମ୍ପୃକ୍ତ କାରିଗର ଏବଂ ଶ୍ରମିକ ପ୍ରଭାବିତ ହେଉଥିବା ଶ୍ରମିକ ନେତା ମିତ୍ରଭାନୁ ପୋଢ଼ କହିଛନ୍ତି । ସରକାର ଲକ୍‌ଡାଉନ ସମୟରେ ବିଭିନ୍ନ ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି, ହେଲେ ବିଡ଼ି କାରିଗର ଓ ଶ୍ରମିକମାନଙ୍କ ପ୍ରସଙ୍ଗକୁ ଭୁଲିଯାଇଛନ୍ତି । ବିଶେଷକରି ଜିଲ୍ଲାର ଅଣଜଳସେଚିତ ଇଲାକାର ଗାଁ ମାନଙ୍କରେ ବିଡ଼ି ତିଆରି କରି ଅନେକ ପରିବାର ଚଳିଥାନ୍ତି । ଗୋଟିଏ ପରିବାର ବିଡ଼ି ତିଆରିରୁ ସପ୍ତାହକ ହାରାହାରି ନଅ ଶହ ଟଙ୍କା ଆୟ କରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking