ନୂଆପଡ଼ା : ଖପ୍ରାଖୋଲ ଥାନା ମହରାପଦର ବାଗଝରଣ ରାସ୍ତା କଡ଼ରୁ ଆଜି ପୋଲିସ ଏକ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି । ବୃଦ୍ଧା ଜଣକ ରେଙ୍ଗାଲି ପଞ୍ଚାୟତ ଖୁରୀପାଣି ଗାଁ ର ବଉଳା ବରିହା (୭୦) ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ରାସ୍ତା କଡରେ ଏକ ବୃଦ୍ଧାଙ୍କ ଶବ ପଡ଼ିଥିବା ନେଇ ଖପ୍ରାଖୋଲ ପୋଲିସକୁ ସୂଚନା ଦେଇଥିଲେ ।
ପୋଲିସ ପହଞ୍ଚି ବୃଦ୍ଧା ଜଣଙ୍କୁ ଖୁରୀପାଣି ଗ୍ରାମର ବୋଲି ଚି଼ହ୍ନଟ କରିଥିଲା। ଘଟଣାସ୍ଥଳରେ ମହାରପଦର ସରପଞ୍ଚ ସୁମତି ପ୍ରଧାନ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ସହ ବୃଦ୍ଧାଙ୍କ ପୁଅ ରାଜକୁମାର ବରିହା ପହଞ୍ଚିବା ପରେ ଶବର ପଞ୍ଚନାମା କରାଯାଇଥିଲା । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଖପ୍ରାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବୃଦ୍ଧା ଜଣକ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ଅଂଶୁଘାତ ଯୋଗୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।