ରାଉରକେଲା: ଓଡ଼ିଶାର ଶିଳ୍ପ ରାଜଧାନୀ ଭାବେ ପରିଚିତ ରାଉରକେଲାର ବହୁ ଦିନର ସ୍ୱପ୍ନ ଆସନ୍ତା ୨୧ ତାରିଖ ରବିବାର ବାସ୍ତବ ରୂପ ନେବାକୁ ଯାଉଛି । ଗତ ୨୦୧୫ ମସିହା ଏପ୍ରିଲ ୧ ତାରିଖ ରାଉରକେଲା ଗସ୍ତରେ ଆସିଥିବା ବେଳେ, ସେଲ ପରିଚାଳିତ ଆଇଜିଏଚ ପରିସରରେ ସୁପର ସ୍ପେଶାଲିଟି ର୍ନିମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଥିବା ବେଳେ, ଚଳିତ ମାସ ୨୧ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦଘାଟିତ ହେବ । ରାଉରକେଲାର ଦାବି ଓ ଦୁଆର ପ୍ରତିଫଳନ ଏହି ସୁପରସ୍ପେଶାଲିଟି ହସ୍ପିଟାଲ ରାଜନୀତୀର ଗୋଲକଛନ୍ଦାରେ ବଳି ନପଡ଼ୁ ଅବା ଏହାକୁ ନେଇ ରାଜନିତୀ କରାନଯାଉ ବୋଲି ଆଜି ସେକ୍ଟର-୩ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଅବସରରେ ଭାଜପା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଲେଯେ, ସୁପରସ୍ପେଶାଲିଟି ହସ୍ପିଟାଲକୁ ନେଇ ବିଜେଡ଼ି, କଂଗ୍ରେସ, ସିପିଆଇଏମ ପକ୍ଷରୁ ଶସ୍ତା ରାଜନିତୀ ବନ୍ଦ ହେବା ଆବଶ୍ୟକ । କେନ୍ଦ୍ର ସରକାର ଓ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏହାକୁ ଠିକ ସମୟରେ ଶେଷ କରି ଜନସାଧାରଣଙ୍କ ସେବା ପାଇଁ ଯୋଜନା କରିଥିବାରୁ ସୁନ୍ଦରଗଡ଼ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶେଷ ଧନ୍ୟବାଦ ଭାଜପା ପକ୍ଷରୁ ଦିଆଯାଇଥିଲା ।
ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦିଆଯାଇଥିଲାଯେ, ସୁପର ସ୍ପେଶାଲିଟି ହସ୍ପିଟାଲ ହେଉଛି ରୋଗୀଙ୍କ ପାଇଁ ସଂଜିବନୀ ସଦୃଶ । ଏହା ଦ୍ୱାରା କେବଳ ରାଉରକେଲା ନୁହେଁ, ବରଂ ପଡୋଶୀ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼ ତଥା ସୀମାନ୍ତ ଜିଲା ମାନଙ୍କରେ ବସବାସ କରୁଥିବା ବ୍ୟକ୍ତି ମାନେ ନିଜେ ତଥା ସେମାନଙ୍କ ପରିବାରର ଚିକିତ୍ସା ଏହି ହସ୍ପିଟାଲରେ ସହଜ ଓ ସୁବିଧାରେ ହୋଇପାରିବ । ଏହା ବ୍ୟତୀତ ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ ରାଜ୍ୟର ଲୋକ ମାନେ ମଧ୍ୟ ଏହି ହସ୍ପିଟାଲ ଦ୍ୱାରା ବହୁଳ ଭାବରେ ଉପକୃତ ହେବେ । ବାରକୋଟ- ବୀରମିତ୍ରପୁର ରାସ୍ତାର ଜମି ଅଧିଗ୍ରହଣ ଓ ତାଳଚେର- ବିମଳାଗଡ଼ ରେଳପଥ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଥିବାରୁ ଉଭୟ କାର୍ଯ୍ୟରେ ବାଧା ଉପୁଜିଛି, ତେଣୁ ଏନେଇ ରାଜ୍ୟ ସରକାର ଜିଲାବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଥିଲା । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆରଜିଏଚକୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଭଳି କରିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ମଧ୍ୟ ଏକ ଧୂଆଁ ବାଣ ବୋଲି ଶ୍ରୀ ସେନାପତି ପ୍ରଶ୍ନ ଉଠାଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ. ଜିଲା ଉପସଭାନେତ୍ରୀ ପ୍ରମିଳା ସୁନା ଓ ଜିଲା ମୁଖପାତ୍ର ଗଙ୍ଗାଧର ଦାଶ ଉପସ୍ଥିତ ଥିଲେ ।