27.1 C
Bhubaneswar
Tuesday, September 29, 2026
Homeଦେଶ ବିଦେଶବାକ୍ ସ୍ୱାଧୀନତା ସମାଜର ଅବିଚ୍ଛେଦ୍ୟ ଅଂଶ: ସୁପ୍ରିମକୋର୍ଟ

ବାକ୍ ସ୍ୱାଧୀନତା ସମାଜର ଅବିଚ୍ଛେଦ୍ୟ ଅଂଶ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ଏକ ମାମଲାର ଶୁଣାଣି କରିବା ଅଭିପ୍ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିବ୍ୟକ୍ତି ସ୍ୱାଧୀନତା ଏକ ସୁସ୍ଥ ସଭ୍ୟ ସମାଜର ଏକ “ଅବିଚ୍ଛେଦ୍ୟ ଅଂଶ”। ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ଇମ୍ରାନ୍ ପ୍ରତାପଗଡ଼ୀଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଏକ କବିତାକୁ ନେଇ ଗୁଜରାଟରେ ଦାୟର କରାଯାଇଥିବା ଏଫ୍‌ଆଇଆରକୁ ଖାରଜ କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ପ୍ରକାଶ, ଗତ ଡିସେମ୍ବର ୨୯ରେ ‘ଏ ଖୁନ୍ କେ ପ୍ୟାସେ ବାତ୍ ସୁନୋ’ ଶୀର୍ଷକ ଏକ କବିତାକୁ ଭିଡିଓ ଫର୍ମାଟ୍‌ରେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଏଏସ୍ ଓକା ଏବଂ ଜଷ୍ଟିସ୍ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, “ସୁସ୍ଥ ଗଣତନ୍ତ୍ର ଚିନ୍ତାଧାରା ଏବଂ ଦୃଷ୍ଟିକୋଣର ଅଭିବ୍ୟକ୍ତି ସ୍ୱାଧୀନତାକୁ ଅନୁମତି ଦିଏ। କବିତା, ନାଟକ, ଫିଲ୍ମ, କଳା, ବ୍ୟଙ୍ଗ ସମେତ ସାହିତ୍ୟ ଆଦି ଜୀବନକୁ ଅଧିକ ସମୃଦ୍ଧ କରିଥାଏ। ପୋଲିସ୍‌କୁ ଲୋକଙ୍କ ଅଧିକାରକୁ ସୁରକ୍ଷା ଯୋଗାଇଦେବା ଉଚିତ୍‌। ” ପ୍ରତାପଗଡୀଙ୍କ କବିତାରେ କୌଣସି ହିଂସାତ୍ମକ ଆଭିମୁଖ୍ୟ କିମ୍ବା ଦଙ୍ଗା ଉଦ୍ରେକକାରୀ ଭଳି ଆଭିମୁଖ୍ୟ ନାହିଁ। ସୁତରାଂ ତାଙ୍କ ବିରୋଧରେ ରୁଜୁ ଏଫଆଇଆର୍‌କୁ ଖାରଜ କରାଯାଉଛି।

ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଗୁଜରାଟ ପୋଲିସ ବିରୁଦ୍ଧରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଶତ୍ରୁତାକୁ ପ୍ରୋତ୍ସାହିତ କରିବାର ଅପରାଧକୁ “ଅସୁରକ୍ଷିତ ଲୋକଙ୍କ” ମାନଦଣ୍ଡ ଦ୍ୱାରା ବିଚାର କରାଯାଇପାରିବ ନାହିଁ ଯେଉଁମାନେ ସବୁକିଛିକୁ ଏକ ବିପଦ କିମ୍ବା ସମାଲୋଚନା ଭାବରେ ଦେଖନ୍ତି। ତେବେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଏକ କମେଡି ଶୋ’ରେ “ବିଶ୍ୱାସଘାତକ” ବୋଲି କହି ମାନହାନି ମାମଲା ସାମ୍ନା କରୁଥିବା ହାସ୍ୟ ଅଭିନେତା କୁନାଲ କାମରାଙ୍କ ସହ ଜଡିତ ବିବାଦର ପୃଷ୍ଠଭୂମିରେ ଏହି ରାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking