ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ– ସୁକିନ୍ଦା ନୂତନ ରେଳପଥର କନ୍ତାରିପାଟ ଗ୍ରାମ ନିକଟରେ ଅଘଟଣ। ଟ୍ରେନ୍ ଧକ୍କାରେ ୧୩ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୋରୁ ଆହତ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଗୋରୁପଲ ରେଳ ଲାଇନ୍ ପାର୍ ହେଉଥିବା ବେଳେ ସେମାନଙ୍କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୩ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଉର୍ଦ୍ଧ୍ବ ଗୋରୁ ଆହତ ହୋଇଛନ୍ତି। ଖବର ପାଇ କାମାକ୍ଷାନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ପହଞ୍ଚି ଆହତ ଗୋରୁମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।ସେପଟେ ଘଟଣାକୁ ନେଇ ଚାଷୀ ଓ ଗ୍ରାମବାସୀ କିଛି ସମୟ ଧରି ରେଳ ଟ୍ରାକ୍ରେ ହଟ୍ଟଗୋଳ କରିଥିଲେ। କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଳ ଟ୍ରାକ୍ରୁ ଗୋରୁମାନଙ୍କୁ ହଟାଇଥିଲା। ଏହାପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେପଟେ, ରଙ୍ଗମାଟିଆରୁ ବାଲିଗୋରଡ଼ ପର୍ଯ୍ୟନ୍ତ ରେଳ ଲାଇନ୍ରେ ବାରିକେଡ୍ ନିର୍ମାଣ କରାଗଲେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।










