28.8 C
Bhubaneswar
Saturday, June 20, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ତ ରେଡ୍ଡୀ

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ତ ରେଡ୍ଡୀ

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ଟିପ୍ପଣୀ କରିଥିବା ପ୍ରସଙ୍ଗରେ ଦିନକ ପୂର୍ବେ ସୁପ୍ରିମକୋର୍ଟ ତୀବ୍ର ବିରକ୍ତି ଭାବ ପ୍ରକାଶ କରିବାର ୨୪ ଘଣ୍ଟା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି। ନିଜ ବୟାନ୍ ପାଇଁ ନ୍ୟାୟପାଳିକାକୁ ଆଘାତ ଲାଗିଥିବା କାରଣରୁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ରେଭନ୍ତ ଆଜି କହିଛନ୍ତି।
ପ୍ରକାଶ, ଦିଲ୍ଲୀ ଅବକାରୀ ନୀତିଗତ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ ତଥା ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ଗତ ୨୮ ତାରିଖରେ ଜାମିନ୍ ପ୍ରଦାନ କରାଯିବା ସମ୍ପର୍କରେ କହିବାକୁ ଯାଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରେଭନ୍ତ, ସୁପ୍ରିମକୋର୍ଟ କେ କବିତାଙ୍କୁ ଜାମିନ୍ ଦେବା ବିଜେପି-ବିଆରଏସ୍ ମଧ୍ୟରେ ଏକ ରାଜନୈତିକ ଡିଲ୍‌ର ଫଳାଫଳ ବୋଲି କହିଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ୧୫ ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ କବିତା ମାତ୍ର ୫ ମାସ ମଧ୍ୟରେ ଜାମିନ ପାଇଗଲେ। ଏଥିରେ ବିଜେପିର ହାତ ଥିବା ସନ୍ଦେହ ହେଉଛି। ତେବେ ରେଭନ୍ତ ସର୍ବସାଧାରଣରେ ଦେଇଥିବା ଏପ୍ରକାର ବିବୃତ୍ତିକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ, ରାଜନୀତିକୁ ନ୍ୟାୟପାଳିକା ତଥା ନ୍ୟାୟବ୍ୟବସ୍ଥା ସହ ଯୋଡିବାର ଅପଚେଷ୍ଟା ବନ୍ଦ କରାଯିବା ଉଚିତ୍‌। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଏପ୍ରକାର ମନ୍ତବ୍ୟ ସିଧାସଳଖ ନ୍ୟାୟବ୍ୟବସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ନିଜ ଟିପ୍ପଣୀ ପାଇଁ କ୍ଷମାପ୍ରାର୍ଥନା କରିବା ଉଚିତ୍ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ। ଏପ୍ରକାର ଭର୍ତ୍ସନା ପରେ ରେଭନ୍ତ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking