ବିଶ୍ବ ନିଃସଙ୍ଗତା ସୂଚୀରେ ଭାରତ ଦ୍ବିତୀୟ । ବିଶ୍ବ ନିଃସଙ୍ଗତା ରିପୋର୍ଟରେ ଭାରତକୁ ନେଇ ଚକିତ କରିଦେବା ପରି ତଥ୍ୟ ପ୍ରକାଶ ପାଇଛି । ସାଧାରଣତଃ ବିଶ୍ୱାସ କରାଯାଏ ଯେ, ବଡ଼ ପରିବାରରେ ଏକାଠି ରହୁଥିବା ଲୋକମାନେ କେବେବି ଏକାକୀ ନଥାନ୍ତି କିନ୍ତୁ ରିପୋର୍ଟ ଅନୁଯାୟୀ ଭାରତରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ପରିବାର ସହିତ ରହୁଥିଲେ ମଧ୍ୟ ଏକାକୀ, ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ଅନୁଭବ କରୁଛନ୍ତି ବୋଲି ଜଣାପଡ଼ିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲକ୍ଷ ଲକ୍ଷ ଲୋକ ଭାରତ ପରି ଜନବହୁଳ ଦେଶରେ ରହିବା ସତ୍ତ୍ୱେ ନିଃସଙ୍ଗତା ଅନୁଭବ କରୁଛନ୍ତି । ଡିଜିଟାଲ୍ ମନୋରଞ୍ଜନ ପ୍ଲାଟଫର୍ମ ଜେବି ଡଟ୍କମ୍ ଦ୍ବାରା ଏହି ରିପୋଟର୍ ପ୍ରକାଶ ପାଇଛି । ସର୍ଭେ ଅନୁଯାୟୀ ଏହି ତାଲିକାରେ ତୁର୍କୀ ସର୍ବାଗ୍ରେ ରହିଛି । ଏହାପରେ କ୍ରମାନ୍ବୟରେ ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ କୋରିଆ ରହିଛନ୍ତି । ନିଃସଙ୍ଗତା ସର୍ଭେରେ ୩୬ଟି ଦେଶରେ ଲୋକଙ୍କ ମାନସିକ ସ୍ଥିତି ଓ ସେମାନେ କେତେ ଏକୁଟିଆ ଅଛନ୍ତି ସେ ଉପରେ ଅଧ୍ୟୟନ ହୋଇଥିଲା ।










